ବ୍ରହ୍ମପୁରରେ ଆଇସିୟୁ ଅଭାବ : ମୁଖ୍ୟ ଚିକିତ୍ସାଳୟରେ ‘ଶୂନ’, ଏମକେସିଜିରେ ମାତ୍ର ୨୦ ଶଯ୍ୟା

ବ୍ରହ୍ମପୁର: ରୋଗୀଙ୍କ ପାଇଁ ଅଭାବ ପଡ଼ୁଛି ଇନଟେନସିଭ କେୟାର ୟୁନିଟ(ଆଇସିୟୁ)। ବ୍ରହ୍ମପୁର ସହରରେ ୨ଟି ବଡ଼ ସରକାରୀ ଡାକ୍ତରଖାନା ରହିଥିଲେ ମଧ୍ୟ ରୋଗୀଙ୍କୁ ଆଇସିୟୁ ସେବା ମିଳିପାରୁନାହିଁ। ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଦୌ ଆଇସିୟୁ ନଥିବା ବେଳେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ମାତ୍ର ୨୦ଟି ଆଇସିୟୁ ଶଯ୍ୟା ରହିଛି।
ବ୍ରହ୍ମପୁର ସହରକୁ ବିଭିନ୍ନ ଅଞ୍ଚଳରୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ସିଟି ହସପିଟାଲକୁ ଜିଲାର ବିଭିନ୍ନ ବ୍ଳକରୁ ରୋଗୀଙ୍କ ସୁଅ ଛୁଟୁଥିବା ବେଳେ ଏମକେସିଜି ମେଡିକାଲ କଲେଜକୁ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ବୌଦ୍ଧ ସହ ଆନ୍ଧ୍ରପ୍ରଦେଶ ସୀମାନ୍ତ ଜିଲାରୁ ରୋଗୀଙ୍କ ସୁଅ ଛୁଟିଥାଏ। ସେହିକ୍ରମରେ ସିଟି ହସପିଟାଲକୁ ଦୈନିକ ପାଖାପାଖି ୧୦୦୦ ରୋଗୀ ଆସୁଥିବା ବେଳେ ଏମକେସିଜିକୁ ଦୈନିକ ୩ ହଜାରରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ସିଟି ହସପିଟାଲରେ ଶତାଧିକ ଇନଡୋର ଶଯ୍ୟା ରହିଥିବା ବେଳେ ଏମକେସିଜି ମେଡିକାଲରେ ୧୦୦୦ରୁ ଊର୍ଦ୍ଧ୍ବ ଇନଡୋର ଶଯ୍ୟା ରହିଛି। ହେଲେ ସିଟି ହସପିଟାଲରେ ଜମାରୁ ଆଇସିୟୁ ବେଡ୍‌ ନାହିଁ। ଅର୍ଥାତ ଚିକିତ୍ସା ବେଳେ ରୋଗୀ ଗୁରୁତର ହେଲେ କିମ୍ବା ରେଫେର ହୋଇ ଗୁରୁତର ରୋଗୀ ଏଠାକୁ ଆସିଲେ ହଠାତ ଆଇସିୟୁ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ସଂପୃକ୍ତ ରୋଗୀଙ୍କୁ ଏମକେସିଜିକୁ ପଠାଇବାକୁ ପଡ଼ୁଛି। ରାଜ୍ୟର ଅନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ମିନି ଆଇସିୟୁ ଥିବା ବେଳେ ସିଟି ହସପିଟାଲରେ ସେଭଳି କୌଣସି ସୁବିଧା ନାହିଁ। ଅନ୍ୟପକ୍ଷରେ ଏମକେସିଜି ମେଡିକାଲ ଉପରେ ୫ଟି ଜିଲାର ରୋଗୀ ସହ ସିଟି ହସପିଟାଲର ରୋଗୀ ନିର୍ଭର କରୁଥିଲେ ମଧ୍ୟ ସେଠାରେ ମାତ୍ର ୨୦ଟି ହିଁ ଆଇସିୟୁ ଶଯ୍ୟା ରହିଛି।

ମେଡିକାଲ କଲେଜଗୁଡ଼ିକରେ ସମସ୍ତପ୍ରକାର ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିକ୍ରମରେ ଗତ କିଛି ବର୍ଷ ଭିତରେ ଏମକେସିଜିର ଭିତ୍ତିଭୂମି ସୁଦୃଢ ହୋଇଛି। ବ୍ରହ୍ମପୁର ଏମକେସିଜିରେ ମେଡିସିନ, ସର୍ଜରୀ, ପ୍ରସୂତି ଓ ସ୍ତ୍ରୀ ରୋଗ, ଏଫଏମଟି, ନେଫ୍ରୋଲୋଜି, କାର୍ଡିଓଲୋଜି, କ୍ୟାନସର, ନ୍ୟୁରୋଲୋଜି, ୟୁରୋଲୋଜି ଭଳି ୨୦ରୁ ଊର୍ଦ୍ଧ୍ବ ସାଧାରଣ ଚିକିତ୍ସା ବିଭାଗରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିବା ବେଳେ ପେଡିଆଟ୍ରିକ ସର୍ଜରୀ, ନ୍ୟୁରୋସର୍ଜରୀ, କାର୍ଡିଓ ଭାସକୁଲାର ସର୍ଜରୀ ଭଳି ୫ରୁ ଊର୍ଦ୍ଧ୍ବ ସୁପରସ୍ପେସିଆଲିଟି ଚିକିତ୍ସା ବିଭାଗରେ ମଧ୍ୟ ବହୁ ରୋଗୀ ଭର୍ତ୍ତି ହେଉଛନ୍ତି। ସେହିପରି ଏମକେସିଜିରେ ରହିଛି ଟ୍ରମା କେୟାର ସେଣ୍ଟର। ଜାତୀୟ ରାଜପଥରେ ଦୁର୍ଘଟଣାରେ ଗୁରୁତରଙ୍କୁ ସମସ୍ତପ୍ରକାର ଚିକିତ୍ସା ଯୋଗାଇଦେବାକୁ ଏହି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି। କେବଳ ସେତିକି ନୁହଁ ଆଖପାଖ ଅଞ୍ଚଳରେ ଯେତେ ଡାକ୍ତରଖାନା ରହିଛି ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ଗୁରୁତର ହେଲେ ସେମାନଙ୍କୁ ପ୍ରଥମେ ଏମକେସିଜିକୁ ପଠାଯାଉଥିବାରୁ ଏହର ଦକ୍ଷିଣଓଡିଶାର ରେଫେରାଲ ହସପିଟାଲ ଭାବେ ଗଣା ହେଉଛି। ସେହିକ୍ରମରେ ଦେଖିଲେ ଏମକେସିଜିରେ ୧୦୦ରୁ ଊର୍ଦ୍ଧ୍ବ ଆଇସିୟୁ ଶର୍ଯ୍ୟା ରହିବା କଥା। ପୂର୍ବରୁ ଏମକେସିଜିରେ ୮ଟି ଆଇସିୟୁ ଶଯ୍ୟା ରହିଥିଲା। ହେଲେ ୨୦୧୮ ପରଠାରୁ ଏହା ୨୦ କୁ ବୃଦ୍ଧି ହୋଇଛି। ହେଲେ ତାହା ସମୁଦ୍ରକୁ ଶଂଖେ ଭଳି ହେଉଛି। ମାତ୍ର ୨୦ଆଇସିୟୁ ଶଯ୍ୟା ଥିବାରୁ ତାହା ସଂଖ୍ୟାଧିକ ଗୁରୁତର ରୋଗୀଙ୍କୁ ଯଥେଷ୍ଟ ହେଉନାହିଁ। ଡାକ୍ତରମାନେ ଦୈନିକ ଯେତିକି ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପରାମର୍ଶ ଦିଅନ୍ତି ତାହାର ମାତ୍ର ୫୦ରୁ ୬୦ ପ୍ରତିଶତକୁ ହିଁ ଶଯ୍ୟା ମିଳିପାରୁଛି। ବଳକା ରୋଗୀ ସେହି ସାଧାରଣ ଶଯ୍ୟାରେ ହିଁ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଫଳରେ ରୋଗୀ ଓ ସୋମନଙ୍କ ସମ୍ପର୍କୀୟଙ୍କୁ ଆଇସିୟୁ ପାଇଁ ସବୁଦିନ ନିରାଶ ହେବାକୁ ପଡ଼ୁଛି। ଏପରିକି ଆଇସିୟୁ ସେବା ନପାଇ କିଛି ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଛି ା ଅତ୍ୟନ୍ତ ଗୁରୁତର ତଥା ମରଣ ସହ ସଂଗ୍ରାମ କରୁଥିବା ରୋଗୀଙ୍କୁ ଆଇସିୟୁରେ ରଖାଯାଉଥିବାରୁ ବଡ଼ ବଡ଼ ଘରୋଇ ଡାକ୍ତରଖାନାକୁ ନେବା ପୂର୍ବରୁ ହିଁ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଯାଉଥିବା ଦେଖିବାକୁ ମିଳୁଛି। ଏମକେସିଜିରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ନୂତନ ସୁପରସ୍ପେସିଆଲିଟି କୋଠା ନିର୍ମାଣ ଶେଷ ହୋଇଛି। ସେଠାରେ ୭୦ରୁ ଊର୍ଦ୍ଧ୍ବ ଆଇସିୟୁ ଶଯ୍ୟା ରହିଛି। ହେଲେ ଏହି କୋଠା କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ହେଉଛି। ସେହିପରି ଏମକେସିିଜିର ଭେଷଜ ବିଭାଗ କୋଠାରେ ୫୦ରୁ ଊର୍ଦ୍ଧ୍ବ ଆଇସିୟୁ ନିର୍ମାଣ ସରିଥିଲେ ସୁଦ୍ଧା କର୍ମଚାରୀ ଅଭାବରୁତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏପଟେ ସିଟି ହସପିଟାଲରେ ମଧ୍ୟ ନିର୍ମାଣ ଚାଲିଥିବା ନୂତନ ଇନଡୋର କୋଠାରେ ୧୦ଟି ଆଇସିୟୁ ଶଯ୍ୟା ରହିବ ବୋଲି ଶୁଣିବାକୁ ମିଳୁଛି। ଆଇସିୟୁ ଅଭାବ ସମ୍ପର୍କରେ ଏକକେସିଜି ଅଧୀକ୍ଷକ ପ୍ରଫେସରସନ୍ତୋଷ କୁମାର ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ସୁପରସ୍ପେଶାଲିଟି କୋଠା କାର୍ଯ୍ୟକ୍ଷମ ହେବା ପରେ ସମସ୍ୟା ରହିବ ନାହିଁ।

Comments
Loading...