କରୋନା ଆରୋଗ୍ୟ ହାର ବୃଦ୍ଧି – ଆନ୍ତର୍ଜାତିକ କ୍ଲିନିକାଲ୍‍ ଟ୍ରାଏଲରେ ଭାରତ ସାମିଲ

ସମାଜ ପୋର୍ଟାଲ ଡେସ୍କ: କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମିତମାନଙ୍କ ଆରୋଗ୍ୟ ହାର ଶତକଡ଼ା ୩୩ଦଶମିକ ୬/୩ ଭାଗକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ୨୬ ହଜାର ୨୩୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୭୨୨ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହେବାର ଜଣାପଡ଼ିବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧ହଜାର ୮୪୯ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ଏପର୍ଯ୍ୟନ୍ତ ଭୂତାଣୁରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨ହଜାର ୫୪୯କୁ ଛୁଇଁଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ- ଆଇସିଏମ୍‍ଆର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ କରାଯାଇଥିବା ଗ୍ଲୋବାଲ୍‍ ସଲିଡାରିଟି ଟ୍ରାଏଲ୍‍କୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିଛି। କୋଭିଡ୍‍ ନାଇଣ୍ଟିନ୍‍ର ଫଳପ୍ରଦ ଚିକିତ୍ସା ପାଇଁ ଏହି ପଦକ୍ଷେପ ନିଆଯାଉଛି। ସଲିଡାରିଟି ଏକ ଆନ୍ତର୍ଜାତିକ କ୍ଲିନିକାଲ୍‍ ଟ୍ରାଏଲ୍‍। ଏହା ମଧ୍ୟରେ ୪ଟି ଚିକିତ୍ସା ବିକଳ୍ପର ତୁଳନା କରାଯିବ। କୋଭିଡ୍‍ ନାଇଣ୍ଟିନ୍‍ର ଚିକିତ୍ସାରେ ସେଗୁଡ଼ିକ କେତେଦୂର ଫଳପ୍ରଦ ହେବ, ଏଥିରେ ତାହାର ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ବିଭିନ୍ନ ଦେଶର କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଓ ସେହି ଔଷଧଗୁଡ଼ିକ ସଂକ୍ରମିତମାନଙ୍କ ଆରୋଗ୍ୟରେ କେତେଶୀଘ୍ର କାର୍ଯ୍ୟ କରୁଛି ଓ ସଂକ୍ରମଣକୁ ରୋକିବାରେ କେତେ ସଫଳ ହେଉଛି, ତାହାର ପରୀକ୍ଷା କରାଯିବ।

ଏହି ଆନ୍ତର୍ଜାତିକ ଉଦ୍ୟମରେ ଭାରତର ଅଂଶଗ୍ରହଣ ବିଷୟରେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଓ ଆଇସିଏମ୍‍ଆର୍‍ ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ର ମୁକାବିଲା ପାଇଁ ଆଇସିଏମ୍‍ଆର୍‍ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଜରିଆରେ ଅହରହ ଗବେଷଣା କରୁଛି। ସେ କହିଛନ୍ତି, ଡବ୍ଲୁଏଚ୍‍ଓର ସଲିଡାଟରି ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାର୍ଗବ କହିଛନ୍ତି ଆଇସିଏମ୍‍ଆରର ଜାତୀୟ ଏଡ୍‍ସ ଗବେଷଣା ପ୍ରତିଷ୍ଠାନ-ଏନ୍‍ଏଆର୍‍ଆଇ ଭାରତରେ ଏହି ପରୀକ୍ଷା ପାଇଁ ଜାତୀୟ ସମନ୍ୱୟକାରୀର ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ଏଥିପାଇଁ ୪ଟି ଔଷଧର ପରୀକ୍ଷା କରାଯିବ। ସେଗୁଡ଼ିକ ହେଉଛି–Remdesivir, Chloroquine-Hydroxychloroquine, Lopinavir-Ritonavir ଓ Lopinavir-Ritonavir.

ଏହି ଗବେଷଣାରେ ଭାରତର ଅଂଶଗ୍ରହଣକୁ ସ୍ୱାଗତ କରି ଭାରତରେ ଡବ୍ଲୁଏଚ୍‍ଓର ପ୍ରତିନିଧି ଡକ୍ଟର ହେଙ୍କ୍‍ ଡେକେଡମ୍‍ କହିଛନ୍ତି, ଆଇସିଏମ୍‍ଆର୍‍ ଗ୍ଲୋବାଲ୍‍ ସଲିଡାରିଟି ଟ୍ରାଏଲରେ ଅଂଶଗ୍ରହଣ କରୁଥିବାରୁ ଡବ୍ଲୁଏଚ୍‍ଓ ଭାରତ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି, ଏହାଫଳରେ ଭାରତୀୟ ଗବେଷକ ଓ ଅନୁଷ୍ଠାନଗୁଡ଼ିକ କୋଭିଡ୍‍ ନାଇଣ୍ଟିନର ଚିକିତ୍ସା ପାଇଁ ଏକ ଫଳପ୍ରଦ ଔଷଧ ବାହାର କରିବା ପାଇଁ ଆନ୍ତର୍ଜାତିକ ଉଦ୍ୟମରେ ସାମିଲ ହେବାର ଗୌରବ ଲାଭ କରିବେ। ସେ ପୁଣି କହିଛନ୍ତି, ଏହି ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇଯିବା ପରେ ଭାରତ ଉଭୟ ଗବେଷଣା ଓ ଔଷଧ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Comments are closed.