ନୂଆ ନିର୍ଦ୍ଦେଶାବଳୀ – ଜ୍ୱର କାଶରେ ଡାକ୍ତରଖାନା ଗଲେ ହେବ କରୋନା ପରୀକ୍ଷା

- ଭାରତରେ ସଂକ୍ରମିତ ସଂଖ୍ୟା ୨୯୮ - ଦେଶରେ ଆଜିଠାରୁ ଆଉ ୧୧୧ଟି ଭୂତାଣୁ ଗବେଷଣାଗାର କାର୍ଯ୍ୟକ୍ଷମ

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍‍ଆର୍‍ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ରଣକୌଶଳରେ ସଂଶୋଧନ କରିଛି। ଆଇସିଏମ୍‍ଆର୍‍ କହିଛି ଶ୍ୱାସପ୍ରଶ୍ୱାସରେ ଅଧିକ ଅସୁବିଧା ଅନୁଭବ କରୁଥିବା, ଶ୍ୱାସପ୍ରଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ କରୁଥିବା ଓ ଜ୍ୱର ଏବଂ କାଶ ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କର ବର୍ତ୍ତମାନ କରୋନା ଭୂତାଣୁ ପରୀକ୍ଷା କରାଯିବ। ଆଇସିଏମ୍‍ଆର୍‍ ଦ୍ୱାରା ଜାରି କରାଯାଇଥିବା ଏହି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣେ ବ୍ୟକ୍ତି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଯଦି ଆସନ୍ତି ତେବେ ତାଙ୍କୁ ୫ରୁ ୧୪ଦିନ ମଧ୍ୟରେ ନିଶ୍ଚିତରୂପେ ପରୀକ୍ଷା କରାଯିବ।

କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଚଳିତ ସପ୍ତାହରେ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଆଇସିଏମ୍‍ଆର୍‍ ଦ୍ୱାରା ଏହାର ରଣକୌଶଳରେ ଏହି ସଂଶୋଧନ ଅଣାଯାଇଛି। ଅଧିକ ଲୋକ ଯେଭଳି ଭୂତାଣୁରେ ସଂକ୍ରମିତ ନହୁଅନ୍ତି ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତା’ଛଡା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କର ପରୀକ୍ଷା କରାଯିବାକୁ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ଦେଶରେ କରୋନା ଭୂତାଣୁରେ ସଂକ୍ରମିତ, ଲୋକଙ୍କ ସଂଖ୍ୟା ଆଜି ୨୯୮ରେ ପହଞ୍ଚିଛି। ଦେଶର ବିଭିନ୍ନ ଭାଗରୁ ଭୂତାଣୁରେ ସଂକ୍ରମିତ ହେଉଥିବା ଲୋକମାନଙ୍କ ବିଷୟରେ ଖବରମାନ ଆସି ପହଞ୍ଚୁଛି। ଭାରତରେ ଏପର୍ଯ୍ୟନ୍ତ ବିଦେଶରୁ ଆସିଥିବା ଲୋକମାନଙ୍କ ମଧ୍ୟରେ ଭୂତାଣୁ ସଂକ୍ରମଣ ସୀମିତ ରହିଛି ଓ ସେମାନଙ୍କ ଠାରୁ କିଛି ଲୋକଙ୍କ ଶରୀରରେ ଭୂତାଣୁ ପ୍ରବେଶ କରିଛି। ଏପର୍ଯ୍ୟନ୍ତ ଭାରତରେ ଲୋକମାନଙ୍କଠାରୁ ଲୋକମାନଙ୍କୁ ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ। ତା’ଛଡା ସାମୁହିକ ଭୂତାଣୁ ସଂକ୍ରମଣର ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ଭୂତାଣୁ ସଂକ୍ରମଣ ପରୀକ୍ଷା ବିଷୟରେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପରାମର୍ଶ ଦିଆଯାଉଛି ଓ ସମୀକ୍ଷା କରାଯାଉଛି।

ଦେଶରେ ଏ ପର୍ଯ୍ୟନ୍ତ ୨୯୮ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ମିଳିଥିବା ସଦ୍ୟ ତଥ୍ୟ ଅନୁସାରେ ସଂକ୍ରମିତ ଲୋକମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଲୋକ ସୁସ୍ଥ ହୋଇ ସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଛାଡ଼ି ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି, ଦେଶରେ ଆଜିଠାରୁ ଆଉ ୧୧୧ଟି ଭୂତାଣୁ ଗବେଷଣାଗାର କାର୍ଯ୍ୟକ୍ଷମ ହୋଇଛି। ସେ କହିଛନ୍ତି, ଲୋକମାନେ ନିଜ ଇଚ୍ଛା ଅନୁଯାୟୀ କିମ୍ବା ସନ୍ଦେହ ଦୂର କରିବା ପାଇଁ ଆପଣାଛାଏଁ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା କରିପାରିବେ ନାହିଁ। ଏହାକୁ ଆବଶ୍ୟକ ନିୟମାବଳୀ ଅନୁଯାୟୀ କରାଯିବ। ସେ କହିଛନ୍ତି, ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୭ହଜାର ଲୋକଙ୍କୁ ଠାବ କରାଯାଇ ସାରିଲାଣି। ସେ କହିଛନ୍ତି, ରୋମ୍‍ରୁ ଆଜି ଅଧିକାଂଶ ଛାତ୍ରଙ୍କ ସମେତ ୨୬୨ ଜଣ ଲୋକ ବିମାନ ଯୋଗେ ସ୍ୱଦେଶ ଆସିବେ।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ୫ ଜଣରୁ ଅଧିକ ଲୋକ କୌଣସି ଏକ ସ୍ଥାନରେ ଏକତ୍ରିତ ହେବାକୁ ନିଷେଧ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏ ବିଷୟ ଘୋଷଣା କରି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସହରରେ ଘରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହୋଇନାହିଁ, କିନ୍ତୁ ଆବଶ୍ୟକ ପଡ଼ିଲେ ଏହା ଲାଗୁ କରାଯିବ। ସେ କହିଛନ୍ତି, ଯେଉଁ ଲୋକମାନେ ରାଜ୍ୟ ସରକାରୀ ରେସନ ଯୋଜନା ଉପରେ ନିର୍ଭରଶୀଳ ସେହିଭଳି ୭୨ଲକ୍ଷ ଲୋକଙ୍କୁ ଦିଲ୍ଲୀ ସରକାର ମାଗଣା ରେସନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ସାଢ଼େ ୭ କିଲୋଗ୍ରାମ ରେସନ ପାଇବେ ଯେତେବେଳେ କି ସେମାନେ ୫ କିଲୋଗ୍ରାମ ରେସନ ପାଇ ଆସୁଥିଲେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦିନ ମଜୁରିଆମାନେ ସେମାନଙ୍କର ଜିବିକା ନିର୍ବାହର ପନ୍ଥା ହରାଇଛନ୍ତି। କେଜରିୱାଲ କହିଛନ୍ତି, ଦିଲ୍ଲୀର ରାତ୍ରି ଆଶ୍ରୟ ଗୃହଗୁଡ଼ିକରେ ରହୁଥିବା ବାସହୀନ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ସେ କହିଛନ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତି, ବିଧବା ମହିଳା ଓ ଭିନ୍ନକ୍ଷମମାନଙ୍କ ପେନସନକୁ ଦ୍ୱିଗୁଣିତ କରାଯାଇଛି। ଜନତା କର୍ଫ୍ୟୁ ବିଷୟରେ ସେ କହିଛନ୍ତି, ଏହି ସମୟରେ ଦିଲ୍ଲୀରେ ଶତକଡ଼ା ୫୦ ଭାଗ ବସ୍‍ ଚଳାଚଳ କରିବ ନାହିଁ। ଦିଲ୍ଲୀର ଜନସାଧାରଣ ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପ୍ରାତଃ ଭ୍ରମଣ ନ କରିବା ଓ ମିଳାମିଶା କରିବାରୁ ଦୂରରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ଆଉ ୧୧ ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ରାଜ୍ୟରେ ଏହି ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇରୁ ଥିବା ବେଳେ ଜଣେ ବ୍ୟକ୍ତି ପୁଣେରୁ ଅଛନ୍ତି। ଇତିମଧ୍ୟରେ ବ୍ରିହନ ମୁମ୍ବାଇ ପୌର ନିଗମ ଯେଉଁ ଲୋକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ସେମାନଙ୍କୁ ପୌର ହସ୍ପିଟାଲଗୁଡ଼ିକରୁ ଛାଡ଼ି ଦେବା ପାଇଁ ନିଷ୍ପତ୍ତି ନେଇଛି। ନୂଆ ସଂକ୍ରମିତ ଲୋକମାନଙ୍କ ପାଇଁ ଜାଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି।

Comments are closed.