ଚନ୍ଦ୍ରରେ ବରଫ ଠାବ୍‍ କଲା ଚନ୍ଦ୍ରଯାନ-୧

0

ହୋନୋଲୁଲୁ : ଚନ୍ଦ୍ରରେ ବରଫ ଥିବାର ପ୍ରମାଣ ଦେଇଛି ଭାରତର ଚନ୍ଦ୍ରଯାନ-୧। ଚନ୍ଦ୍ରର ଉତ୍ତର ମେରୁରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବରଫ ଜମି ରହିଛି। ଚନ୍ଦ୍ରଯାନ-୧ଠାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ୧୦ ବର୍ଷ ତଳେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଭାରତ ନିଜର ପ୍ରଥମ ଅଭିଯାନ କ୍ରମେ ମହାକାଶକୁ ସଫଳତାର ସହ ଚନ୍ଦ୍ରଯାନ-୧କୁ ପଠାଇଥିଲା। ନିଜ କକ୍ଷରେ ଅବସ୍ଥାପିତ ହେବା ପରଠାରୁ ଚନ୍ଦ୍ରଯାନ-୧ ତଥ୍ୟ ପଠାଇ ଚାଲିଛି।
ଉଲ୍ଲେଖ ଯେ ଭାରତ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୦୮ରେ ଚନ୍ଦ୍ରଯାନ-୧ ସହ ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ଦ୍ୱାରା ପ୍ରସ୍ତୁତ ଏକ ଇନ୍‍ଫ୍ରୋରେଡ୍‍ ଉପକରଣ ମଧ୍ୟ ମହାକାଶକୁ ପଠାଯାଇଥିଲା। ମାତ୍ର ଗୋଟିଏ ବର୍ଷ ପରେ ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଖୋଜି ବାହାର କରିଥିଲା। ସେତେବେଳେ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ଚନ୍ଦ୍ରପୃଷ୍ଠରେ ପାଣି ବରଫ ରୂପରେ ନ ରହି ଅଣୁ ରୂପରେ ରହିଛି। ପରେ ନାସା ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ଚନ୍ଦ୍ରରେ ପାଣି ଥିବା କଥା ସ୍ୱୀକାର କରିଥିଲେ। ଚନ୍ଦ୍ରଯାନ ସହ ମହାକାଶକୁ ଯାଇଥିବା ନାସାର ଇନଫ୍ରାରେଡ ଉପକରଣ ନିକଟରେ ଚନ୍ଦ୍ର ମେରୁ ଅଞ୍ଚଳର କେତେକ ଫଟୋ ଉଠାଇଥିଲା। ଏହି ଫଟୋର ବିଶ୍ଲେଷଣରୁ ଚନ୍ଦ୍ରର ଉତ୍ତର ଏବଂ ଦକ୍ଷିଣ ମେରୁ ନିକଟରେ ବରଫ ଜମା ହୋଇ ରହିଥିବା ଜଣାପଡିଛି। ବରଫ ଜମା ହୋଇ ରହିଥିବା ସ୍ଥାନର ତାପମାତ୍ରା ବିଯୁକ୍ତ ୧୬୩ ଡିଗ୍ରୀ ସେଲସିୟସ ରହିଛି। ଚନ୍ଦ୍ରର ଭୂପୃଷ୍ଠ ତୁଳନାରେ ମାତ୍ର ୩.୫% ଅଞ୍ଚଳରେ ବରଫ ଜମା ହୋଇ ରହିଛି। ପ୍ରୋଡିଙ୍ଗସ୍‍ ଅଫ ଦ ନ୍ୟାସନାଲ ଏକାଡମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉପରେ ବିସ୍ତୃତ ବିବରଣୀ ଦିଆଯାଇଛି। ଏହି ନୂଆ ସନ୍ଧାନ ବୈଜ୍ଞାନିକ ପାଇଁ ଏକ ନୂଆ ଅଧ୍ୟୟନର ସୁଯୋଗ ଆଣି ଦେଇଛି। ଆସନ୍ତା କିଛି ବର୍ଷ ବୈଜ୍ଞାନିକଙ୍କ ଅଧ୍ୟୟନ ଏହା ଉପରେ କେନ୍ଦୀଭୂତ ହେବ ବୋଲି ଆଶା କରାଯାଉଛି।

Leave A Reply