ଦାରିଙ୍ଗିବାଡିରେ ତୁଷାରପାତ: ୧୩ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ଶୀତଲହରି । ତାହାସହିତ ଅନୁଭୂତ ହେଉଛି ଭୀଷଣ ଥଣ୍ଡା । ସୂର୍ଯ୍ୟାସ୍ତରୁ ନେଇ ସୂର୍ଯ୍ୟୋଦୟର ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରୁ ବାହାରିବା ସମ୍ଭବ ହେଉନାହିଁ । ଭୀଷଣ ଥଣ୍ଡା ଯୋଗୁଁ ରାଜ୍ୟର ପାହାଡିଆ ଏବଂ ଆଦିବାସୀବହୁଳ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଥଣ୍ଡାର ନିସ୍ତାର ନାହିଁ । ରାଜ୍ୟର ଦାରିଙ୍ଗବାଡି ସୋମବାର ସବୁଠାରୁ ଥଣ୍ଡା ସ୍ଥାନ ଥିବା ଜଣାଯାଇଛି । ଏଠାରେ ରାତିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଥିବାବେଳେ ଏହାର କେତେକ ସ୍ଥାନରେ ବରଫପାତ ହୋଇଛି । ଏଥିସହିତ ରାଜ୍ୟର ୧୩ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟର ତଳେ ରହିଥିବା ରେକର୍ଡ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ ଦାରିଙ୍ଗବାଡିରେ ରାତିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ, ଝାରସୁଗୁଡା ୫.୬ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ, ସୋନପୁର ୬.୯ ଡିଗ୍ରୀ, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ବାରିପଦା ୯.୫ ଡିଗ୍ରୀ ସେଲସିୟସ, ସମ୍ବଲପୁର ୯, ସୁନ୍ଦରଗଡ ୮, ହୀରାକୁଦ ୯, ତାଳଚେର ୯, ଭବାନିପାଟଣା ୮.୯, ବଲାଙ୍ଗିର ୮, ଟିଟିଲାଗଡ ୯, କୋରାପୁଟରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୨.୪ ଓ ଭୁବନେଶ୍ୱର ୧୩.୮ ଡିଗ୍ରୀ ସେଲସିୟସ ଥିବା ଜଣାଯାଇଛି ।

Comments are closed.