ଆଇସକ୍ରିମ ଖାଇଲେ ହୁଏନି କରୋନା : ହୁ

ନୂଆଦିଲ୍ଲୀ : ଆଇସକ୍ରିମ ଏବଂ ଫ୍ରିଜରୁ ବାହାରିଥିବା ଅନ୍ୟ ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା କରୋନା ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ସମ୍ବନ୍ଧରେ ହୁ ଏକ ପୃଷ୍ଠା ସମ୍ବଳିତ ଏକ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଛି। ଏଥିରେ କରୋନାକୁ ନେଇ ରହିଥିବା ବିଭିନ୍ନ ଗୁଜବ ଓ ତାହାର ସତ୍ୟାସତ୍ୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ ସୁପ ଏବଂ ଖାଦ୍ୟରେ ଗୋଲମରିଚ ପକାଇ ସେବନ କରିବା ଦ୍ବାରା କୋଭିଡ-୧୯ରୁ ଆରୋଗ୍ୟ ମିଳେ ନାହିଁ। ସେହିଭଳି ହୁ ପୂର୍ବରୁ କହିଥିଲା ଯେ କରୋନା ଭୂତାଣୁ ଘରେ ଉଡିବୁଲୁଥିବା ମାଛିଙ୍କ ଦ୍ବାରା ମଧ୍ୟ ବ୍ୟାପେ ନାହିଁ। ସୂର୍ଯ୍ୟକିରଣରେ ଛିଡା ହେବା କିମ୍ବା ଶରୀରରେ କୀଟାଣୁନାଶକ ଛିଞ୍ଚନ କରିବା ଦ୍ବାରା ମଧ୍ୟ କରୋନା ସଂକ୍ରମଣରୁ ସୁରକ୍ଷା ମିଳେ ନାହିଁ। ମଶା କାମୁଡିବା ଦ୍ବାରା କୋଭିଡ-୧୯ ବ୍ୟାପୁଥିବା ଖବରକୁ ମଧ୍ୟ ହୁ ଅସ୍ବୀକାର କରିଥିଲା। ଗରମ ପାଣିରେ ସ୍ନାନ କରିବା ଦ୍ବାରା କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ଯାହା ଆଲୋଚନା ହେଉଛି ତାହା ମଧ୍ୟ ମିଥ୍ୟା ବୋଲି ହୁ ଦର୍ଶାଇଛି।

Comments are closed.