ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ : ଭାରତ-ଇଣ୍ଡିଜ ପ୍ରଥମ ମୁକାବିଲା

ଦୁବାଇ : ଆଇସିସି ଦ୍ବାରା ଆରମ୍ଭ ହେବାକୁ ଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ମୁକାବିଲା ହେବ। ଅଗଷ୍ଟ ଶେଷରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳ ବିରୋଧରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟ ଅଗଷ୍ଟ ୨୨ରୁ ୨୬ ପର୍ଯ୍ୟନ୍ତ ଭିଭ୍‌ ରିଚାର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସାବିନା ପାର୍କରେ ଖେଳାଯିବ।
ଟେଷ୍ଟ କ୍ରିକେଟ୍‌ର ପୂର୍ବ ଚମକ ଫେରାଇ ଆଣିବାକୁ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଆୟୋଜନ କରୁଛି। ଏହା ଦୁଇବର୍ଷ ଧରି ଚାଲିବ। ଏଥିରେ ଟେଷ୍ଟ ଖେଳୁଥିବା ୯ଟି ଦେଶ ଭାଗନେବେ। ପ୍ରତି ଦଳ ଅନ୍ୟ ୮ଟି ଦଳ ମଧ୍ୟରୁ ୬ଟି ଦଳ ବିରୋଧରେ ସିରିଜ୍‌ ଖେଳିବ। ଘରୋଇ ମାଟିରେ ୩ଟି ଓ ବିଦେଶରେ ୩ଟି ସିରିଜ୍‌ ଖେଳାଯିବ। ପ୍ରତି ସିରିଜ୍‌ରୁ ବିଜୟୀ ଦଳ ୧୨୦ ଲେଖାଏଁ ପଏଣ୍ଟ ହାସଲ କରିପାରିବେ। ଲିଗ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍‌ ୨୦୨୧ରେ ଇଂଲଣ୍ଡରେ ଖେଳାଯିବ। ଇଣ୍ଡିଜଗସ୍ତରେ ଭାରତ ୨ଟି ଟେଷ୍ଟସହ ୩ଟି ଲେଖାଏଁ ଟି୨୦ ଓ ଦିନିକିଆ ଖେଳିବ।

Comments
Loading...