କ୍ରିକେଟ୍ ବିଶ୍ବକପ୍‌; ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ ଡାର୍କ ହର୍ସ

ଲଣ୍ଡନ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ହାତଗଣତି ଦିନ ବାକି ରହିଥିବା ବେଳେ କେଉଁ ଦଳ ଚମ୍ପିଆନ୍‌ ହେବ ତାହାକୁ ନେଇ ଅଙ୍କକଷା ଜାରି ରହିଛି। ଆୟୋଜକ ଇଂଲଣ୍ଡ ଓ ଭାରତକୁ ବିଶ୍ବକପ୍‌ ଚମ୍ପିଆନ୍ ହେବାକୁ ପ୍ରମୁଖ ଦାବିଦାର ଭାବେ ପରିଗଣିତ କରାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏହି ଦୌଡ଼ରେ ରହିଛି।
ଚଳିତ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡ ଦଳକୁ ଡାର୍କହର୍ସର ମାନ୍ୟତା ପ୍ରଦାନ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଆଲାନ୍‌ ବର୍ଡର ଓ ବ୍ରେଟ୍‌ ଲି। ବର୍ଡର କହିଛନ୍ତି ଚଳିତ ବିଶ୍ବକପ୍‌ରେ ଭାଗ ନେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ ଦଳ ବେଶ୍‌ ଶକ୍ତିଶାଳୀ ଭଳି ଜଣାପଡୁଛି। ଯଦି ୱେଷ୍ଟଇଣ୍ଡିଜ ଦଳ ମୂଳରୁ ୨/୩ଟି ମ୍ୟାଚ୍‌ରେ ବିଜୟୀ ହୁଏ ତେବେ ଏହି ଦଳ ବିଶ୍ବକପ୍‌ରେ ପ୍ରତିପକ୍ଷ ଦଳ ପାଇଁ ବେଶ୍‌ ଅସୁବିଧା ସୃଷ୍ଟି କରିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆର ଅନ୍ୟତମ ପୂର୍ବତନ କ୍ରିକେଟର୍‌ ବ୍ରେଟ୍‌ ଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଦଳ ଡାର୍କହର୍ସ। ଏହି ଦଳ ଅଧିକାଂଶ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରି ଆସୁଥିବାରୁ ଚଳିତ ବିଶ୍ବକପ୍‌ରେ ଏହି ଦଳ ଚମ୍ପିଆନ୍‌ ହେଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।

Comments are closed.