ଅଣ୍ଡର୍-୧୯ ବିଶ୍ୱକପ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟାନ୍ ଭାରତ

ପୋଚେଫଷ୍ଟ୍ରୁମ୍: ଅଣ୍ଡର୍-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପୁଣିଥରେ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ତାର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ମଙ୍ଗଳବାର ଭାରତ ସୁପର୍ ଲିଗ୍ କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ବୋଲିଂ ପାଇଁ ଅନୁକୂଳ ସେନୱେସ୍ ପାର୍କ ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୬୨, ଅଙ୍କୋଲେକର ୫୫, ବିଶ୍ନୋଇ ୩୦ ଓ ବୀର୍ ୨୫ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କୋରେ କେଲି ଓ ଟଡ୍ ମର୍ଫି ୨ଟି ଲେଖାଏ ୱିକେଟ୍ ନେଇଥିଲେ।
ଭାରତର ୨୩୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସାମ୍ ଫେନିଙ୍ଗ (୭୫)ଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ୪୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୯ ରନ୍ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ୨୪ ରନ୍ ଦେଇ ୪ଟି ଏବଂ ଆକାଶ ସିଂ ୩୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

 

Comments
Loading...