ଆଇସିସି ଟେଷ୍ଟ ମାନ୍ୟତା : ଉଠିଲେ ରାହୁଲ, ବୁମ୍‌ରା ଓ ସାମି; ଖସିଲେ କୋହଲି

ଦୁବାଇ  : ସେଞ୍ଚୁରିଅନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୨୩ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଲୋକେଶ ରାହୁଲ ସଦ୍ୟ ପ୍ରକାଶିତ ଟେଷ୍ଟ ବ୍ୟାଟ୍‌ସମ୍ୟାନ ମାନ୍ୟତାର ୧୮ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ପହଞ୍ଚିଛନ୍ତି। ସେଞ୍ଚୁରିଅନ ଟେଷ୍ଟରେ ରାହୁଲ ଓ ମୟଙ୍କ ଅଗ୍ରୱାଲ ପ୍ରଥମ ୱିକେଟ ଯୋଡ଼ିରେ ୧୧୭ରନ ଯୋଡ଼ିଥିଲେ। ଏଥିରେ ମୟଙ୍କ ମଧ୍ୟ ୬୦ରନ କରିଥିଲେ। ସେ ପୂର୍ବ ଅପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଥିବାବେଳେ ଅଜିଙ୍କ୍ୟ ରାହାଣେ ୨୫ତମ ସ୍ଥାନରେ ରହିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲି ୨ଟି ସ୍ଥାନ ତଳକୁ ଖସି ୯ତମ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ କୋହଲି ସପ୍ତମ ସ୍ଥାନରେ ଥିଲେ। କୋହଲିଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ୮ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରୋହିତ ଶର୍ମା ପୂର୍ବଭଳି ପଞ୍ଚମ ସ୍ଥାନରେ ରହିଛନ୍ତି। ​‌ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ମାନ୍ୟତାରେ ଅଗ୍ରଗତି ହୋଇଛି। ବୁମ୍‌ରା ପୂର୍ବାପେକ୍ଷା ୩ଟି ସ୍ଥାନ ଉପରକୁ ଉଠି ୯ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ ମହମ୍ମଦ ସାମି ୧୯ତମ ସ୍ଥାନରେ ଥିବାବେଳେ ଦୁଇଟି ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ ୭୭ରନ କରିଥିବା ଦକ୍ଷିଣଆଫ୍ରିକା ଅଧିନାୟକ ଡିନ୍‌ ଏଲଗାର ବ୍ୟାଟିଂ ମାନ୍ୟତାର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସେଞ୍ଚୁରିଅନ ଟେଷ୍ଟର ପ୍ରଥମ ଇନିଂସରେ ୫୨ ଓ ଦ୍ବିତୀୟ ଇନିଂସରେ ଅପରାଜିତ ୩୫ରନ କରିଥିବା ଅନ୍ୟତମ ଦକ୍ଷିଣଆଫ୍ରିକା ବ୍ୟାଟ୍‌ସମ୍ୟାନ ତାମ୍ବେ ବାଭୁମା ୩୯ତମ ସ୍ଥାନରୁ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ କାଗିସୋ ରାବଡା ୭ମ ସ୍ଥାନରୁ ଗୋଟିଏ ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ଓ ଲୁଙ୍ଗି ଏନ୍‌ଗିଡି ପ୍ରଥମ ଟେଷ୍ଟରେ ୮ଟି ୱିକେଟ ନେବା ସହିତ ୩୦ତମ ସ୍ଥାନରୁ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ପଦାର୍ପଣ କରିଥିବା ବାମହାତୀ ଦ୍ରୁତ ବୋଲର ମାର୍କୋ ୟାନସେନ ୯୭ତମ ସ୍ଥାନରେ ରହିଛନ୍ତି।

Comments are closed.