ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା : ଶୀର୍ଷରେ ଲାବୁସେନ, ୭କୁ ଖସିଲେ କୋହଲି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ହଟାଇ ଚଳିତ ଆସେସ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ମାର୍ନୁସ ଲାବୁସେନ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୯୧୨ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପଏଣ୍ଟ ସହ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟର ଏକ ନମ୍ବର ବ୍ୟାଟ୍‌ସମ୍ୟାନ ହୋଇଛନ୍ତି ଲାବୁସେନ । ଅନ୍ୟପକ୍ଷରେ ରୁଟ୍‌ (୮୯୭) ମାନ୍ୟତା ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ଆସେସ ସିରିଜ୍‌ ଆରମ୍ଭ ପୂର୍ବରୁ ଲାବୁସେନ ବ୍ୟାଟିଂ ମାନ୍ୟତାରେ ୪ର୍ଥ ସ୍ଥାନରେ ରହିଥିଲେ। ଇଂଲଣ୍ଡ ବିପକ୍ଷ ବ୍ରିସବେନ ଟେଷ୍ଟରେ ପ୍ରଥମ ଇନିଂସରେ ୭୪ରନ କରିଥିବାବେଳେ ଆଡିଲେଡ୍‌ ଦିବାରାତ୍ର ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୧୦୩ ଓ ଦ୍ବିତୀୟ ଇନିଂସରେ ୫୧ରନ କରିଥିଲେ। ରୁଟ୍‌ଙ୍କ ଭଳି ବିରାଟ କୋହଲିଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବଇ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ଶୂନରେ ଆଉଟ୍‌ ହୋଇଥିଲେ। ଫଳରେ ସର୍ବଶେଷ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ କୋହଲି ୭୫୬ ପଏଣ୍ଟ ପାଇ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଟ୍‌ସମ୍ୟାନ ରୋହିତ ଶର୍ମା ୭୯୭ ପଏଣ୍ଟ ସହ ଶ୍ରେଷ୍ଠ ୫ ମଧ୍ୟରେ ରହିଛନ୍ତି। କୋହଲି ଓ ରୋହିତଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଶ୍ରେଷ୍ଠ ୧୦ ମଧ୍ୟରେ ନାହାନ୍ତି। ବୋଲିଂ ମାନ୍ୟତାରେ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଏବେ ମଧ୍ୟ ଏକ ନମ୍ବର ଟେଷ୍ଟ ବୋଲର ରହିଛନ୍ତି। ଭାରତୀୟ ସ୍ପିନର ରବୀଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୧୦ ନମ୍ବର ସ୍ଥାନ​‌େ​‌ର ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଚଳିତ ଆସେସ ସିରିଜ୍‌ରେ ଷ୍ଟାର୍କ ଦ୍ବିତୀୟ ଟେଷ୍ଟରେ ୮ଟି ୱିକେଟ ନେଇ ମାନ୍ୟତାରେ ଅଭିବୃଦ୍ଧି ଘଟାଇଛନ୍ତି। ଟ୍ବେଣ୍ଟି୨୦ ମାନ୍ୟତାରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି୨୦ରେ ଖରାପ ବ୍ୟାଟିଂ ପାଇଁ ବାବର ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ଅନ୍ୟତମ ଓପନର ମହମ୍ମଦ ରିଜ୍‌ୱାନ ୩ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଇଂଲଣ୍ଡର ଦାୱିଦ ମାଲାନ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତୀୟ ଓପନର ଲୋକେଶ ରାହୁଲ ୫ମ ସ୍ଥାନରେ ରହିଛନ୍ତି।

Comments are closed.