ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ୪ର୍ଥରେ ବିରାଟ, ୨ୟରେ ଅଶ୍ବିନ ଓ ଜାଡେଜା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସଦ୍ୟତମ ଟେଷ୍ଟ ବ୍ୟାଟିଂ ଓ ବୋଲିଂ ମାନ୍ୟତା ପ୍ରକାଶ ପାଇଛି। ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ୧ ନମ୍ବର ସ୍ଥାନକୁ ପୁଣି ଉନ୍ନୀତ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ୫ମରୁ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କେନ୍ ୱିଲିୟମସନ ୨ନଂ ସ୍ଥାନକୁ ଖସି ଆସିଛନ୍ତି।

ସ୍ମିଥ୍‌ ୮୯୧ ପଏଣ୍ଟ ପାଇଥିବା ବେଳେ ୱିଲିୟମସନ୍‌ ୮୮୬ ପଏଣ୍ଟ ପାଇଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ୩ୟ, କୋହଲି ୪ର୍ଥ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ୫ମ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଭାରତୀୟ ୱିକେଟ ରକ୍ଷକ ଋଷଭ ପନ୍ତ୍‌ ଓ ଓପନର ରୋହିତ ଶର୍ମା ୬ଷ୍ଠ ଓ ୭ମ ସ୍ଥାନରେ, ନ୍ୟୁଜିଲାଣ୍ଡର ହେନ୍‌ରି ନିକୋଲ୍‌ସ ୮ମ, ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ୯ମ ଓ ପାକିସ୍ତାନ ଅଧିନାୟକ ବାବର ଆଜାମ୍‌ ୧୦ମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍‌ କମିନ୍‌ସ ଶୀର୍ଷରେ ଥିବା ବେଳେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଜେସନ ହୋଲଡର ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷରେ ଥିବା ବେଳେ ରବୀନ୍ଦ୍ର ଜାଡେଜା ୨ୟ ସ୍ଥାନରେ ରହିଛନ୍ତି।

Comments are closed.