ଆଇସିସି ଟେଷ୍ଟମାନ୍ୟତା : କୋହଲି, ରୋହିତଙ୍କ ସ୍ଥାନ ଅପରିବର୍ତ୍ତିତ ; ସ୍ମିଥ୍‌ ୩କୁ ଉଠିଲେ

ଦୁବାଇ : ବାଂଲାଦେଶ ବିପକ୍ଷରେ ଘରୋଇ ଟେଷ୍ଟ ଶୃଙ୍ଖଳା ଖେଳିନଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୪ର୍ଥ ଆସେସ୍ ଟେଷ୍ଟର ପରିସମାପ୍ତି ପରେ ବୁଧବାର ଆଇସିସି ପକ୍ଷରୁ ସଦ୍ୟତମ ଟେଷ୍ଟ ମାନ୍ୟତା ତାଲିକା ପ୍ରକାଶ ପାଇଛି। ବ୍ୟାଟିଂ ମାନ୍ୟତାର ପ୍ରଥମ ୩ଟି ସ୍ଥାନରେ ୨ ଜଣ ଅଷ୍ଟ୍ରେଲୀୟ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ ୧ନଂ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୨ୟ ସ୍ଥାନରେ ରହିଛନ୍ତି। ୪ର୍ଥ ଟେଷ୍ଟମ୍ୟାଚ୍‌ରେ ୬୭ ରନ୍‌ କରିବା ଯୋଗୁଁ ୱିଲିୟମ୍‌ସନଙ୍କୁ ଟପି ସ୍ମିଥ୍ ୩ୟ ସ୍ଥାନରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଆଇସିସି ବ୍ୟାଟିଂ ମାନ୍ୟତାରେ ପୂର୍ବପରି ୯ମ ସ୍ଥାନ ବଜାୟ ରଖିଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ୟ ଟେଷ୍ଟମ୍ୟାଚ୍‌ରୁ ବିଶ୍ରାମ ନେବା ସତ୍ତ୍ବେ କୋହଲିଙ୍କ ମାନ୍ୟତା ନିମ୍ନଗାମୀ ହୋଇନାହିଁ। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାରୁ ଆହତ ରୋହିତ ବାଦ୍‌ ପଡ଼ିଥିଲେ ହେଁ ପୂର୍ବ ପରି ସେ ୫ମ ସ୍ଥାନ ବଜାୟ ରଖିଛନ୍ତି। ଭାରତ ବିପକ୍ଷ ୨ୟ ଟେଷ୍ଟରେ ଅପରାଜିତ ୯୬ ରନ୍‌କରି ଦଳକୁ ବିଜୟ ଦେଇଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲ୍‌ଗାରଙ୍କ ବ୍ୟାଟିଂ ମାନ୍ୟତାରେ ୪ଟି ସ୍ଥାନର ଉନ୍ନତି ଘଟିଛି। ଏଲ୍‌ଗାର ଏବେ ୧୦ମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ ୬ଷ୍ଠ​‌, ଅଷ୍ଟ୍ରେଲିଅାର ଡେଭିଡ୍‌ ୱାର୍ଣ୍ଣର ୭ମ ଓ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ୮ମ ସ୍ଥାନରେ ରହିଛନ୍ତି। ସିଡ୍‌ନୀରେ ଆସେସ୍ ଶୃଙ୍ଖଳାର ୪ର୍ଥ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ଉସ୍‌ମାନ ଖାୱାଜା ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପୁନଃପ୍ରବେଶ କରିବା ସହ ୨୬ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ଫାଷ୍ଟବୋଲର କାଏଲ୍‌ ଜେମିସନ୍ ଅଧିକ ଉନ୍ନତି କରିଛନ୍ତି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ କାଏଲ୍‌ ଜେମିସନ୍‌ ୮ଟି ସ୍ଥାନର ଉନ୍ନତି ଘଟାଇ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍‌ରେ ୬ଟି ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡା ଗୋଟିଏ ସ୍ଥାନର ଉନ୍ନତି କରି ୫ମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍‌ସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷରେ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ଥାନରେ ରହିଛନ୍ତି। ଜେମିସନ୍‌ଙ୍କ ପଛକୁ ୪ର୍ଥ ସ୍ଥାନରେ ପାକିସ୍ତାନର ସାହିନ୍ ଶାହା ଆଫ୍ରିଦି ରହିଛନ୍ତି। ରାବାଡାଙ୍କ ପଛକୁ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍ ୬ଷ୍ଠ, ନ୍ୟୁଜିଲାଣ୍ଡର ଟିମ୍ ସାଉଦି ୭ମ, ଅଷ୍ଟ୍ରେଲିଆର ଜୋସ୍ ହାଜେଲ୍‌ଉଡ୍‌ ୮ମ, ନ୍ୟୁଜିଲାଣ୍ଡର ନିଲ୍ ୱାଗ୍‌ନର ୯ମ ଓ ପାକିସ୍ତାନର ହାସନ୍ ଅଲୀ ୧୦ମ ସ୍ଥାନରେ ରହିଛନ୍ତି।

Comments are closed.