ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷରେ କୋହଲି, ବୁମରା ୬ନଂ

ଦୁବାଇ,୧୬ା୧୨ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ସୋମବାର ପ୍ରକାଶିତ ମାନ୍ୟତା ଅନୁଯାୟୀ ବ୍ୟାଟିଂରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ବୋଲିଂରେ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୬ନଂରେ ରହିଛନ୍ତି।

କୋହଲି ୯୨୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ୍ ଷ୍ଟିଭେନ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସୂଚନାଥାଉକି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ମିଥ୍‌ ଯଥାକ୍ରମେ ୪୩ ଓ ୧୬ ରନ୍‌ କରିଥିଲେ। ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ୭୯୧ ପଏଣ୍ଟ ସହ ମାନ୍ୟତାର ୪ନଂରେ ରହିଥିବା ବେଳେ ଅଜିଙ୍କ୍ୟ ରାହାଣେ ୭୫୯ ପଏଣ୍ଟ ସହ ୬ନଂରେ ରହିଛନ୍ତି। ଅଷ୍ଟ୍ରେଲିଆର ଲାବୁସାନ୍‌ ମାନ୍ୟତାର ୫ମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବ୍ୟାଟସମ୍ୟାନ୍‌ ବାବର ଆଜମ୍‌ ପ୍ରଥମଥରପାଇଁ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ୧୦୨ ରନ୍ କରିଥିବା ବାବର ୧୩ନଂ ସ୍ଥାନରୁ ଉପରକୁ ଉଠି ୯ନଂରେ ରହିଛନ୍ତି। ବାବର ଟ୍ବେଣ୍ଟି୨୦ରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦିନିକିଆରେ ୨ନଂରେ ରହିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଅପରାଜିତ ୧୦୯ ରନ୍ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନ୍‌ ଆବିଦ୍‌ ଅଲ୍ଲି ୭୮ନଂରେ ରହିଛନ୍ତି। ପ୍ରଥମ ପୁରୁଷ କ୍ରିକେଟର୍‌ ଭାବେ ଆବିଦ୍‌ ନିଜ ପଦାର୍ପଣ ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ବୋଲିଂ ମାନ୍ୟତାରେ ଭାରତର ଯଶପ୍ରୀତ୍ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୬ନଂରେ ରହିଛନ୍ତି। ସୂଚନାଥାଉକି ଆଘାତଜନିତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆର ପାଟ୍‌ କମିନ୍‌ସ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ନିଲ୍ ୱାଗନର୍‌ ୮୩୪ ପଏଣ୍ଟ ସହ ୩ନଂରେ ରହିଥିବା ବେଳେ ଟିମ୍‌ ସାଉଦୀ ୧୦ମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୯ଟି ୱିକେଟ୍ ହାସଲ କରିଥିବାରୁ ୮୦୬ ପଏଣ୍ଟ ସହ ୫ମ ସ୍ଥାନରେ ରହିଥିବା ବେଳେ ଜୋସ୍ ହାଜେଲଉଡ୍‌ ୭ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ୱେଷ୍ଟଇଣ୍ଡିଜର ଜାସନ୍‌ ହୋଲଡର ଶୀର୍ଷ ସ୍ଥାନରେ ଥିବା ବେଳେ ଭାରତୀୟ କ୍ରିକେଟର୍‌ ରବିନ୍ଦ୍ର ଜାଡେଜା ୨ନଂରେ ରହିଛନ୍ତି। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପରେ ଭାରତ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୧୬ ପଏଣ୍ଟ ସହ ଦ୍ବିତୀୟ, ଶ୍ରୀଲଙ୍କା ୮୦ ପଏଣ୍ଟ ସହ ତୃତୀୟ, ନ୍ୟୁଜିଲାଣ୍ଡ ୬୦ ପଏଣ୍ଟ ସହ ଚତୁର୍ଥ ଓ ଇଂଲଣ୍ଡ ୫୬ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି।

Comments are closed.