ଆଇସିସି ଟେଷ୍ଟ ମାନ୍ୟତା – ଭାରତ ୧ନଂ

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ ପକ୍ଷରୁ ଗୁରୁବାର ବାର୍ଷିକ ସଂଶୋଧନ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏଥିରେ ସର୍ବାଧିକ ୧୨୧ ପଏଣ୍ଟ ସହ ବିରାଟ କୋହଲି ନେତୃତ୍ୱାଧୀନ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସିର ନୂଆ ବାର୍ଷିକ ସଂଶୋଧନ ମାନ୍ୟତା ନିୟମ ଅନୁସାରେ, ୨୦୨୦ ମେ’ ପରଠାରୁ ଏକ ଦଳ ଖେଳିଥିବା ମ୍ୟାଚ୍‍ର ପ୍ରଦର୍ଶନକୁ ୧୦୦ ପ୍ରତିଶତ ଗଣନା କରାଯିବ। ତେବେ ୨୦୧୮ ମେ’ରୁ ୨ ବର୍ଷ ଲାଗି ଏକ ଦଳର ପ୍ରଦର୍ଶନର ୫୦ ପ୍ରତିଶତ ହିସାବକୁ ନିଆଯାଇଛି। ଭାରତ ପଛକୁ ୧୨୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ; ଆଇସିସି ଟେଷ୍ଟ ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନରେ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍‍ ୧୮ରୁ ସାଉଥାମ୍ପ୍‍ଟନରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ର ଫାଇନାଲ ମ୍ୟାଚ୍‍ ଖେଳାଯିବ।

ଚଳିତବର୍ଷ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟମ୍ୟାଚ୍‍ ହାରିବା ପରେ ଲଢ଼ୁଆ ପ୍ରଦର୍ଶନ କରି ସିରିଜ୍‍କୁ ୨-୧ରେ ଜିତି ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ୨ଟି ଟେଷ୍ଟ ସିରିଜ୍‍ ଜିତିବାର କୃତିତ୍ୱ ହାସଲ କରିଥିଲା। ପରେ ଘରୋଇ ମାଟିରେ ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟରେ ବଡ଼ ବ୍ୟବଧାନରେ ପରାସ୍ତହେବା ପରେ ଭାରତ ୩-୧ରେ ସିରିଜ୍‍ ଜିତି ପାରିଥିଲା। ଏହି ୨ଟି ସିରିଜ୍‍ ବିଜୟ ଯୋଗୁଁ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟ ଏହି ସମୟରେ ଭଲ ପ୍ରଦର୍ଶନ କରିଛି। ଘରୋଇମାଟିରେ ଏହା ୱେଷ୍ଟଇଣ୍ଡିଜ୍‍ ଓ ପାକିସ୍ତାନ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‍ ଜିତିପାରିଛି। ଉପରୋକ୍ତ ସମୟରେ ଭାରତ ୨୪ଟି ମ୍ୟାଚ୍‍ ଖେଳି ୨୯୧୪ ପଏଣ୍ଟ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ଏହି ସମୟରେ ୧୮ଟି ଟେଷ୍ଟମ୍ୟାଚ୍‍ ଖେଳି ୨୧୬୬ ପଏଣ୍ଟ ପାଇଛି। ଏଣେ ୧୦୮ ପଏଣ୍ଟ ପାଇଥିବା ଅଷ୍ଟ୍ରେଲିଆକୁ ପଛରେ ପକାଇ ୧୦୯ ପଏଣ୍ଟ ପାଇଥିବା ଜୋ ରୁଟ୍‍ ନେତୃତ୍ୱାଧୀନ ଇଂଲଣ୍ଡ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆ ୪ର୍ଥ ସ୍ଥାନରେ ରହିଛି। ୨୦୧୭-୧୮ରେ ଆସେସ୍‍ ସିରିଜ୍‍ରେ ଇଂଲଣ୍ଡ ୦-୪ରେ ଅଷ୍ଟ୍ରେଲିଆର ପରାସ୍ତ ହୋଇଥିବା ବେଳେ ଉକ୍ତ ମାନ୍ୟତା ବାର୍ଷିକ ସଂଶୋଧନରୁ ହଟିଯିବା ଯୋଗୁଁ ଅଷ୍ଟ୍ରେଲିଆକୁ ସଦ୍ୟତମ ମାନ୍ୟତାରେ ଇଂଲଣ୍ଡ ପଛରେ ପକାଇଛି। ନିକଟରେ ଭଲ ପ୍ରଦର୍ଶନ କରି ପାକିସ୍ତାନ ଟେଷ୍ଟ ଦଳ ୩ ପଏଣ୍ଟ ପାଇଥିଲେ ହେଁ ୯୪ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି।

ତେବେ ଚଳିତବର୍ଷ ବାଂଲାଦେଶକୁ ଟେଷ୍ଟ ସିରିଜ୍‍ରେ ୨-୦ରେ ଜିତିବା ପରେ ଶ୍ରୀଲଙ୍କା ସହ ୦-୦ରେ ସିରିଜ୍‍ ଡ୍ର ରଖିଥିବା ୱେଷ୍ଟଇଣ୍ଡିଜ୍‍ ୨ଟି ସ୍ଥାନର ଉନ୍ନତି ଘଟାଇ ୬ଷ୍ଠ ସ୍ଥାନକୁ କୁଦାମାରିଛି। ୨୦୧୩ ପରେ ୱେଷ୍ଟଇଣ୍ଡିଜ୍‍ର ଏହା ଶ୍ରେଷ୍ଠ ଟେଷ୍ଟ ମାନ୍ୟତା। ୮୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୭ମ ସ୍ଥାନରେ ରହିଛି। ତା’ର ଟେଷ୍ଟ ଇତିହାସରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ମାନ୍ୟତା। ୭୮ ପଏଣ୍ଟ ସହ ଶ୍ରୀଲଙ୍କା ଯଥାକ୍ରମେ ୭ମ ଓ ୮ମ ସ୍ଥାନରେ ରହିଛନ୍ତି। ୫ ପଏଣ୍ଟ ହରାଇଥିବା ବାଂଲାଦେଶ ୪୬ ପଏଣ୍ଟ ସହ ୯ମ ଓ ୮ ପଏଣ୍ଟ ବୃଦ୍ଧି କରାଇଥିବା ଜିମ୍ବାୱେ ୩୫ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛି।

ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‍ ୱିଲିୟମ୍‍ସନ ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି। ଏହି ତାଲିକାର ଶୀର୍ଷ-୨୦ରେ ଥିବା ଭାରତୀୟମାନେ ହେଲେ ଅଧିନାୟକ ବିରାଟ କୋହଲି (୫ମ), ଋଷଭ ପନ୍ତ୍‍ ଓ ରୋହିତ ଶର୍ମା (ଯୁଗ୍ମ ୬ଷ୍ଠ), ଚେତେଶ୍ୱର ପୂଜାରା ୧୪, ଅଜିଙ୍କ୍ୟ ରାହାଣେ (୧୫)। ଟେଷ୍ଟ ବୋଲର ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍‍ କମିନ୍‍ସ ଶୀର୍ଷରେ ଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ୍‍ ୨ୟ, ଯଶପ୍ରୀତ ବୁମ୍‍ରା ୧୧ଶ, ରବୀନ୍ଦ୍ର ଜାଡ଼େଜା ୧୬ଶ, ଈଶାନ୍ତ ଶର୍ମା ୧୭ଶ ଓ ମହମ୍ମଦ ସାମି ୧୮ଶ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‍ ଅଧିନାୟକ ଜେସନ୍‍ ହୋଲ୍‍ଡର ଟେଷ୍ଟ ଅଲ୍‍ରାଉଣ୍ଡର ତାଲିକାର ଶୀର୍ଷରେ ଥିବା ବେରେ ରବୀନ୍ଦ୍ର ଜାଡ଼େଜା ୨ୟ ଓ ରବିଚନ୍ଦ୍ରନ ଅଶ୍ୱିନ ୩ୟ ସ୍ଥାନରେ ରହିଛନ୍ତି।

Comments are closed.