ଭାରତର ୯ଟି ସହରରେ ଟ୍ବେଣ୍ଟି୨୦ ବିଶ୍ବକପ୍, ଆଇସିସି ନେବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏହି ବିଶ୍ବକପ୍‌ରେ ୧୬ଟି ଦଳ ମୋଟ ୪୫ଟି ମ୍ୟାଚ୍‌ ଖେଳିବେ। ଏହି ୪୫ଟି ମ୍ୟାଚ୍‌ ଦେଶର ୯ଟି ସହରରେ ଖେଳାଯିବ ବୋଲି ଶନିବାର ଆଇସିସିକୁ ପ୍ରସ୍ତାବ ଦେଇଥିଲା ବିସିସିଆଇ। ଆଇସିସି ଏବେ ଏହି ୯ଟି ସହରରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ମ୍ୟାଚ୍‌ ଆୟୋଜନ ନେଇ ବିଚାର କରୁଛି। ସାରାବିଶ୍ବ ଏବେ କରୋନା ମହାମାରୀ କବଳରେ। ଭାରତରେ କରୋନା ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟିକରିଛି। ଏପରି ପରିସ୍ଥିତିରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିର୍ଦ୍ଧାରିତ ତାରିଖରେ ଭାରତରେ ଖେଳାଯିବ କି ନାହିଁ; ତାହାର ବିଚାର କରୁଛି।

ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ଲାଗି ବିସିସିଆଇ ଦେଇଥିବା ୯ଟି ସହର ହେଲେ ଅହମ୍ମଦାବାଦ, ବେଙ୍ଗାଲୁରୁ, ​‌େ​‌ଚନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, ଲ​‌କ୍ଷ୍ନୌ, କଲକାତା ଓ ମୁମ୍ବଇ। ଏହି ୯ଟି ସହରର ତାଲିକା ପାଇବା ପରେ ଆଇସିସି ଏକ ପ୍ରତିନିଧି ଦଳ ଭାରତ ପଠାଇ ଏହି ୯ଟି ସହରର ସ୍ଥିତି ପରଖିବାର ନିଷ୍ପତ୍ତି ନେଇଥିଲା। ତେବେ ଗତ ୩ ଦିନରେ ଭାରତରେ କରୋନା ସଂକ୍ରମଣର ହାର ବେଶ୍‌ ବୃଦ୍ଧି ପାଇବାରୁ ଆଇସିସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି କହିଥିଲା। ତେବେ ମଙ୍ଗଳବାର ଜାଣିବାକୁ ମିଳିଛି ଯେ ଆସନ୍ତା ୨୬ରେ ଆଇସିସିର ପ୍ରତିନିଧି ଦଳ ଭାରତ ଆସିବ।

କରୋନା ପରିସ୍ଥିତି ଯୋଗୁଁ ୯ଟି ସହରରେ ମ୍ୟାଚ୍‌ ଆୟୋଜନ ପ୍ରସ୍ତାବକୁ ଆଇସିସି ପସନ୍ଦ କରୁନାହିଁ। ଏହା ଆଇପିଏଲ୍‌ ଉପରେ ନଜର ରଖିଛି। ୬ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଥିବା ବେଳେ ୨ଟି ସହରରେ ୮ଟି ଦଳ ମ୍ୟାଚ୍‌ ଖେଳିସାରିବା ପରେ ଅନ୍ୟ ୨ଟି ସହରକୁ ଯିବାର କାର୍ୟ୍ୟକ୍ରମ ରହିଛି। ଏହି ସୂତ୍ରରେ ପ୍ରତି ଗ୍ରୁପ୍‌ର ମ୍ୟାଚ୍‌ ଗୋଟିଏ ସହରରେ, ନକ୍‌ଆଉଟ୍ ମ୍ୟାଚ୍‌ସବୁ ଆଉ ୨ଟି ସହର​‌େ​‌ର ଏବଂ ସେମିଫାଇନାଲ ଓ ଫାଇନାଲ ଗୋଟିଏ ସହରରେ ଆୟୋଜନ କରିବାକୁ ଚାହୁଁଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ପାଇଁ ବିସିସିଆଇ ଆଶାବାଦୀ ଥିବା ବେଳେ ଆଇସିସି କିନ୍ତୁ ଶ୍ରୀଲଙ୍କା ଓ ୟୁଏଇକୁ ବିକଳ୍ପ ଭାବେ ରଖିଛି। ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ କରୋନା ଯୋଗୁଁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ଅଷ୍ଟ୍ରେଲିଆ ଆୟୋଜନ କରିବ।

Comments are closed.