ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌

ମେଲବୋର୍ଣ୍ଣ  : ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ରବିବାର ଭାରତର ମୁକାବିଲା ଗତଥରର ଚମ୍ପିଆନ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ସହ ହେବ। ଭାରତୀୟ ଦଳ ପ୍ରଥମଥର ପାଇଁ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ପୂର୍ବରୁ ୪ଥର ଚମ୍ପିଆନ୍‌ ହୋଇଛି। ଅଷ୍ଟ୍ରେଲିଆ ଘରୋଇ ମାଟିରେ ୫ମ ଥର ପାଇଁ ଚମ୍ପିଆନ୍‌ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଭାରତ ପ୍ରଥମଥର ଚମ୍ପିଆନ୍ ହୋଇ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି।
ହରମନ୍‌ପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ନିଜର ସମସ୍ତ ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବାର ଥିଲା। ତେବେ ବର୍ଷା ଯୋଗୁଁ ମ୍ୟାଚ୍ ଖେଳାଯିବା ସମ୍ଭବପର ହୋଇପାରିନଥିଲା। ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ସବୁ ମ୍ୟାଚ୍‌ ଜିତିଥିବାରୁ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚମ୍ପିଆନ୍ ହେବ ବୋଲି ଭାରତୀୟ କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି।
ଭାରତୀୟ ଦଳକୁ ଦୃଷ୍ଟି ଦେଲେ ୧୬ ବର୍ଷୀୟା ଓପନର୍‌ ସେଫାଳି ବର୍ମା ଚମତ୍କାର ଫର୍ମରେ ଅଛନ୍ତି। ସେହିପରି ଦଳର ସ୍ପିନରମାନେ ବେଶ୍ ଭଲ ପ୍ରଦର୍ଶନ କରୁଥିବାରୁ ଦଳ କ୍ରମାଗତ ବିଜୟ ହାସଲ କରିବା ସହଜ ହୋଇଛି। ତେବେ ଅଧିନାୟିକା ହରମନ୍‌ପ୍ରୀତ କୌର୍‌ ଓ ସ୍ମୃତି ମାନ୍ଧାନା ଆଶାନୁରୂପ ବ୍ୟାଟିଂ ପ୍ରଦର୍ଶନ କରିପାରିନଥିବା ବେଳେ ଫାଇନାଲରେ ସେମାନଙ୍କ ଠାରୁ ଅଧିକ ରନ୍ ଆଶା ରଖିଛି ଭାରତୀୟ ଦଳ। ଭାରତୀୟ ଦଳ ୨୦୧୭ ଦିନିକିଆ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରି ପରାସ୍ତ ହୋଇଥିବାରୁ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଚମ୍ପିଆନ୍‌ ହେବାକୁ ହେଲେ ଖେଳାଳିଙ୍କୁ ଧୈର୍ଯ୍ୟପୂର୍ଣ୍ଣ କ୍ରିକେଟ୍ ଖେଳିବାକୁ ପଡ଼ିବ।
ଫାଇନାଲରେ ଭାରତୀୟ ଦଳର ଓପନର୍‌ ସେଫାଳି ବର୍ମା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଭଳି ମୂଳରୁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ସେହିପରି ସ୍ମୃତି ମାନ୍ଧାନା ମଧ୍ୟ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ଫାଇନାଲରେ ଅଧିକ ରନ୍‌ ସ୍କୋର କରିବେ ବୋଲି ଆଶା ରହିଛି। ଭାରତୀୟ ଦଳ ଚମ୍ପିଆନ୍ ହେବାକୁ ହେଲେ ଅଧିନାୟିକା ହରମନ୍‌ପ୍ରୀତ କୌର୍‌ଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ ଏଥିରେ କୌଣସି ସନ୍ଦେହ ନାହିଁ। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତୀୟ ଦଳ ୧୫୦ ରନ୍‌ ସଂଗ୍ରହ କରିନପାରି ମଧ୍ୟ ସବୁ ମ୍ୟାଚ୍‌ ଜିତିଥିଲା। ତେବେ ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ଭାରତୀୟ ଦଳକୁ ଅଧିକ ରନ୍ ସଂଗ୍ରହ କରିବାକୁ ପଡ଼ିବ। ଭାରତୀୟ ଲେଗ୍‌ସ୍ପିନ୍‌ର ପୁନମ ଯାଦବ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଫାଇନାଲରେ ମଧ୍ୟ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ସେହିପରି ଦ୍ରୁତ ବୋଲର ଶିଖା ପାଣ୍ଡେ ଆଶାନୁରୂପ ପ୍ରଦର୍ଶନ କରିଥିବାରୁ ଫାଇନାଲରେ ଭାରତୀୟ ଦଳ ତାଙ୍କ ଠାରୁ ଅନେକ କିଛି ଆଶା ରଖିଛି। ଅନ୍ୟ ଦୁଇ ସ୍ପିନର ରାଧା ଯାଦବ ଓ ରାଜେଶ୍ବରୀ ଗାଏକ୍ବାଡ୍‌ଙ୍କୁ ମଧ୍ୟ ସଠିକ୍‌ ଲାଇନ୍‌ଲେନ୍‌ଥରେ ବୋଲିଂ କରିବାକୁ ପଡ଼ିବ।
ଫାଇନାଲ୍‌ ମ୍ୟାଚ୍ ପାଇଁ ୭୫ ହଜାର ଟିକଟ୍‌ ବିକ୍ରି ସରିଥିବା ବେଳେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିକଟ ବିକ୍ରି ସଂଖ୍ୟା ୯୦ ହଜାର ଛୁଇଁବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ମେଗ୍‌ ଲାଲିଙ୍ଗ୍‌ଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳ ଘରୋଇ ମାଟିରେ ଖେଳୁଥିବାରୁ ବେଶ୍‌ ଉନ୍ନତ ପ୍ରଦର୍ଶନ କରିବାର ଆଶା ରହିଛି। ଏହି ଦଳରେ ଅନେକ ଭଲ ଖେଳାଳି ରହିଥିବାରୁ ଫାଇନାଲ୍‌ ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

Comments are closed.