ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା : ୨ୟ ସ୍ଥାନରେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ୫ମ ସ୍ଥାନରେ ଥିବା ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଟ୍ବେଣ୍ଟି-୨୦ ମ୍ୟାଚରେ ୪୪ଟି ବଲରୁ ୭୬ରନ କରିବା ସହିତ ୮୧୬ ପଏଣ୍ଟ ପାଇ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜାମ ୮୧୮ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି। ବାବରଙ୍କଠାରୁ ସୂର୍ଯ୍ୟକୁମାର ଆଉ ମାତ୍ର ୨ ପଏଣ୍ଟ ପଛରେ ରହିଛନ୍ତି।
ଦକ୍ଷିଣ ଆଫ୍ରିକାର ରିଜା ହେଣ୍ଡ୍ରିକ୍‌ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ୧୬ଟି ସ୍ଥ​‌ାନ ଉପରକୁ ଉନ୍ନୀତ ହୋଇ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ୍‌ର ବ୍ରାଣ୍ଡେନ କିଙ୍ଗ ୨୯ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୭ତମ ସ୍ଥାନ, ଇଂଲଣ୍ଡର ଜନି ବେୟାରଷ୍ଟ୍ରୋ ୧୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୧ତମ, ଦକ୍ଷିଣ ଆଫ୍ରିକାର ରିଲି ରୋଶେୟା ୩୭ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ୱିକେଟରକ୍ଷକ ବ୍ୟାଟସମ୍ୟାନ ଋଷଭ ପନ୍ତ୍‌ ୬୬ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୮ଟି ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର ସ୍ପିନର ତାବରିଜ୍‌ ସାମ୍‌ସି ବୋଲିଂ ମାନ୍ୟତାର ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାମ୍‌ସି ମୋଟ ୬୪ ରେଟିଂ ପଏଣ୍ଟ ପାଇ ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ଙ୍କୁ ପଛରେ ପକାଇ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ସ୍ପିନର ଆକେଲ ହୁସେନ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୬ଷ୍ଠ ସ୍ଥାନ, ଇଂଲଣ୍ଡର କ୍ରିସ ଜୋର୍ଡାନ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୬ତମ ସ୍ଥାନ, ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର ୧୭ତମ ସ୍ଥାନରେ ରହିଛନ୍ତି।

Comments are closed.