ଟି-୨୦ ବ୍ୟାଟିଂ ମାନ୍ୟତା, କୋହଲି ୫, ରାହୁଲ ୮କୁ ଖସିଲେ

ଦୁବାଇ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟ୍ବେଣ୍ଟି-୨୦ ପୁରୁଷ ବ୍ୟାଟ୍‌ସମ୍ୟାନ ମାନ୍ୟତାର ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟ୍‌ସ ମ୍ୟାନ ମାନ୍ୟତାରେ ପୂର୍ବରୁ ୪ ନମ୍ବର ସ୍ଥାନରେ ଥିବା କୋହଲି ୫ମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ଅନ୍ୟତମ ଭାରତୀୟ ଓପନର ଲୋକେଶ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଫଳ ହେବା ପରେ ୮ତମ ସ୍ଥାନକୁ ଖସି ଆସିଛନ୍ତି । କୋହଲି ପାକିସ୍ତାନ ବିପକ୍ଷରେ ୪୯ଟି ବଲରେ ୫୭ରନ କରିବା ସହିତ ୭୨୫ ପଏଣ୍ଟ ପାଇଛନ୍ତି । ସେହିପରି ୩ରନ କରିଥିବା ରାହୁଲ ୬୮୪ପଏଣ୍ଟ ପାଇଛନ୍ତି । ଇଂଲଣ୍ଡର ଡାୱିଡ ମାଲାନ ୮୩୧ ପଏଣ୍ଟ ସହ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜାମ ୮୨୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଇଣ୍ଡିଜ୍‌ ବିପକ୍ଷରେ ଭଲ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଐଡେନ ମାର୍କରାମ ୯ ନମ୍ବର ସ୍ଥାନରୁ ୭୪୩ ପଏଣ୍ଟ ସହ ୩ୟ ସ୍ଥାନରେ ପହଞ୍ଚିଛନ୍ତି । ଭାରତ ବିପକ୍ଷରେ ୭୯ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୩ ରନ କରିଥିବା ପାକିସ୍ତାନ ଓପନର ମହମ୍ମଦ ରିଜୱାନ ଜୀବନର ଶ୍ରେଷ୍ଠ ମାନ୍ୟତା ୪ର୍ଥ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ରହମୁଲ୍ଲା ଗୁରୁବାଜ୍‌ ୧୨ଶ ସ୍ଥାନ​​‌ରେ ରହିଛନ୍ତି । ବୋଲିଂ ମାନ୍ୟତାରେ ବାଂଲାଦେଶର ସ୍ପିନର ମହମ୍ମନ ନଇମ୍‌ ୧୨ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନ ଦ୍ରୁତ ବୋଲର ସାହିନ୍‌ ସାହା ଆଫ୍ରିଦି ୧୨ଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ୱିକେଟ ନେଇ ହାରିସ ରୌଫ ୧୭ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶର ସାକିବ୍‌ ଉଲ୍‌ ହାସନ ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି।

Comments are closed.