ଆଇସିସି ରାଙ୍କିଂ: ଦିନିକିଆରେ ପ୍ରଥମ ଦୁଇ ସ୍ଥାନରେ ବିରାଟ-ରୋହିତ, ବୋଲିଂରେ ବୁମରାଙ୍କ ସ୍ଥାନ ୯ମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମା ପୁଣି ଆଇସିସି ଦିନିକିଆ ରାଙ୍କିଂରେ ପ୍ରଥମ ଦୁଇ ସ୍ଥାନ ଦଖଲ କରିଛନ୍ତି । ଅଷ୍ଟ୍ରେଲୀୟ ରନମେସିନ୍ ଷ୍ଟିମ୍ ସ୍ମିଥ୍ ଟେଷ୍ଟରେ ଶୀର୍ଷସ୍ଥାନରେ ଥିବାବେଳେ କୋହଲି ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି । 

ନୂଆଦିଲ୍ଲୀ: ଆଇସିସି ଆଜି ଜାରି କରିଛି କ୍ରିକେଟ ଖେଳାଳିଙ୍କ ରାଙ୍କିଂ ତାଲିକା । ଦିନିକିଆ, ଟେଷ୍ଟ ଓ ଟି-୨୦ ବର୍ଗରେ ଖେଳାଳିମାନଙ୍କ କ୍ରମାଙ୍କ ଏଥିରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କର ସହଯୋଗୀ ରୋହିତ ଶର୍ମା ଦିନିକିଆ ତାଲିକାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ଟେଷ୍ଟରେ ଶୀର୍ଷସ୍ଥାନ ଦଖଲ କରିଛନ୍ତି ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିରାଟ । ସେହିପରି ଟେଷ୍ଟରେ ୩ୟ ଓ ୪ର୍ଥ ସ୍ଥାନ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେ ଓ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଦଖଲ କରିଛନ୍ତି । ପାକିସ୍ଥାନୀ ବ୍ୟାଟ୍ସମ୍ୟାନ ବାବର ଆଜମ ୫ମ ସ୍ଥାନରେ ଅଛନ୍ତି ।

୬୦୦ ୱିକେଟ ହାସଲ କରିଥିବା ଦୁନିଆର ପ୍ରଥମ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ ବୋଲର ରାଙ୍କିଂର ପ୍ରଥମ ୧୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲୀୟ ଦ୍ରୁତବୋଲର ପେଟ କମିନ୍ସ ବୋଲରମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନରେ ପହଞ୍ଚିଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ଥାନ ବିରୋଧରେ ଟେଷ୍ଟମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଦ୍ରୁତବୋଲର ଷ୍ଟୁଆର୍ଟ ବ୍ରଡ଼ ୨ନମ୍ବର ସ୍ଥାନରେ ରହିଛନ୍ତି । ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟେଷ୍ଟ ବୋଲର ରାଙ୍କିଂରେ ୯ମ ସ୍ଥାନ ଦଖଲ କରିଛନ୍ତି ।

ଟି-୨୦ରେ ପାକିସ୍ଥାନୀ ବ୍ୟାଟ୍ସମ୍ୟାନ ବାବର ଆଜମ ପ୍ରଥମସ୍ଥାନରେ ଥିବାବେଳେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଳ ଦ୍ବିତୀୟ ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ତୃତୀୟ ସ୍ଥାନରେ ଅଛନ୍ତି । ମାତ୍ର ଏକଦିବସୀୟ କ୍ରିକେଟରେ ବୋଲରମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରା ପ୍ରଥମସ୍ଥାନରେ ଅଛନ୍ତି । ସେହିପରି ଟି-୨୦ ବୋଲରଙ୍କ ମଧ୍ୟରେ ଆଫଗାନିସ୍ଥାନର ରସିଦ୍ ଖାଁ ଏକନମ୍ବର ସ୍ଥାନ ପାଇଛନ୍ତି ।

ଅନ୍ୟପକ୍ଷରେ ଦଳୀୟ ରାଙ୍କିଂରେ ଭାରତ ଦିନିକିଆରେ ଦ୍ବିତୀୟସ୍ଥାନରେ ଏବଂ ଟେଷ୍ଟ ଓ ଟି-୨୦ରେ ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ସର୍ବକାଳୀନ ବ୍ୟାଟ୍ସମ୍ୟାନ ତାଲିକାରେ ୱେଷ୍ଟଇଣ୍ଡିଜର ଭିଭିଆନ ରିଚାର୍ଡ଼ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ଏହି ଶ୍ରେଷ୍ଠ ୧୦ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତରୁ ଏକମାତ୍ର ବିରାଟ କୋହଲି ସ୍ଥାନ ପାଇଛନ୍ତି ।

Comments are closed.