୬କୁ ଖସିଲେ ରାହୁଲ; କୋହଲି ୮ରେ ସ୍ଥିର

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସଦ୍ୟତମ ଟ୍ବେଣ୍ଟି୨୦ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏହା ଅନୁସାରେ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ୬ଷ୍ଠ ସ୍ଥାନକୁ ଖସି ଆସିଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ପୂର୍ବପରି ୮ମ ସ୍ଥାନରେ ରହିଛନ୍ତି। ନିକଟରେ ସମାପ୍ତ ହୋଇଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଅନ୍ତିମ ୩ଟିଯାକ ଲିଗ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିଲେ ରାହୁଲ। ସେ ଆଫ୍‌ଗାନିସ୍ତାନ ବିପକ୍ଷରେ ୬୯, ସ୍କଟ୍‌ଲାଣ୍ଡ ବିପକ୍ଷରେ ୫୦ ଓ ନାମିବ୍ୟା ବିପକ୍ଷରେ ଅପରାଜିତ ୫୪ ରନ୍‌ କରିଥିଲେ। ଫଳରେ ୭୨୭ ପଏଣ୍ଟ ସହ ରାହୁଲ ୬ଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଭାରତୀୟ ଟ୍ବେଣ୍ଟି୨୦ ଦଳର ନେତୃତ୍ବରୁ ଓହରି ଯାଇଥିବା ବିରାଟ କୋହଲି ୬୯୮ ପଏଣ୍ଟ ସହ ପୂର୍ବପରି ୮ମ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ରାହୁଲ ଓ କୋହଲିଙ୍କୁ ଛାଡ଼ି କୌଣସି ଭାରତୀୟ ନାହାନ୍ତି। ନୂଆ ଟି୨୦ ଅଧିନାୟକ ତଥା ଓପ୍‌ନର ରୋହିତ ଶର୍ମା ୧୬ଶ ସ୍ଥାନରେ ରହିଛନ୍ତି।

ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ଅପରାଜିତ ୭୭ ରନ୍‌ କରିଥିବା ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ବ୍ୟାଟିିଂ ମାନ୍ୟତାରେ ୧୩ଶ ସ୍ଥାନକୁ ଉଠିଛନ୍ତି। ପୁଣି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରି ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ୩୩ତମ ସ୍ଥାନରେ ରହିଛନ୍ତି। ଫାଇନାଲରେ ୮୫ ରନ୍‌ର ଇନିଂସ ଖେଳିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ ୭ଟି ସ୍ଥାନର ଉନ୍ନତି ଘଟାଇ ୩୨ତମ ସ୍ଥାନରେ ପହଞ୍ଚିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ବ୍ୟାଟ୍‌ସମ୍ୟାନ୍‌ ଶୀର୍ଷ ୧୦ରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ୧ନଂ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ଡାୱିଡ୍‌ ମାଲାନ୍ ୨ୟ, ଦକ୍ଷିଣ ଆଫ୍ରିକାର ଐଡେନ୍ ମାର୍କରାମ ୩ୟ, ନ୍ୟୁଜିଲାଣ୍ଡର ଡେଭନ୍ କନ୍‌ୱେ ୪ର୍ଥ, ପାକିସ୍ତାନର ମହମ୍ମଦ ରିଜ୍‌ୱାନ ୫ମ, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍‌ ୭ମ, ଇଂଲଣ୍ଡର ଜୋସ୍‌ ବଟ୍‌ଲର ୯ମ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡର୍ ଡ୍ୟୁସେନ୍ ୧୦ମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଲେଗ୍‌ସ୍ପିନର ସଦ୍ଦାବ ଖାଁ ୭ଟି ସ୍ଥାନର ଉନ୍ନତି ଘଟାଇ ୧୬ଶ ସ୍ଥାନରେ ରହିଛନ୍ତି। ଅ​‌େ​‌ଷ୍ଟ୍ରଲୀୟ ଲେଗ୍‌ସ୍ପିନର ଆଡାମ୍ ଜାମ୍ପା ୨ଟି ସ୍ଥାନର ଉନ୍ନତି ଘଟାଇ ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଜୋସ୍‌ ହାଜେଲ୍‌ଉଡ୍‌ ୨ଟି ସ୍ଥାନର ଉନ୍ନତି ଘଟାଇ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର ବାମହାତି ପେସ୍ ବୋଲର ଟ୍ରେଣ୍ଟ ବୋଲ୍‌ଟ ୭ଟି ସ୍ଥାନ ଉପରକୁ ଉଠି ୧୪ଶ ସ୍ଥାନରେ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ୩୭ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଅଲ୍‌ରାଉଣ୍ଡର ମାନ୍ୟତାରେ ୭ଟି ସ୍ଥାନ ଉପରକୁ ଉଠି ୩ୟରେ ପହଞ୍ଚିଛନ୍ତି।

Comments are closed.