ଆଇସିସି ଟେଷ୍ଟ ମାନ୍ୟତା : ଅଶ୍ୱିନ୍‍ ୭ମ ସ୍ଥାନକୁ ଉନ୍ନୀତ

0

ଦୁବାଇ  : ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ୭ସ୍ଥାନ ହାସଲ କରିଛନ୍ତି। ବୁଧବାର ପ୍ରକାଶିତ ମାନ୍ୟତାରେ ଅଶ୍ୱିନ୍‍ ଉପରକୁ ଉଠି ୭ମ ସ୍ଥାନରେ ରହିଛନ୍ତି। ଅଶ୍ୱିନ୍‍ କୌଣସି ଟେଷ୍ଟ ମ୍ୟାଚ୍‍ ଖେଳିନଥିଲେ ସୁଦ୍ଧା ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‍ଟ ମାନ୍ୟତାରେ ୨ଟି ସ୍ଥାନ ତଳକୁ ଖସି ୮ନଂରେ ଥିବାରୁ ଅଶ୍ୱିନ ଉପରକୁ ଉଠି ୭ମ ସ୍ଥାନରେ ରହିଛନ୍ତି। ପାଟ୍‍ କମିନ୍‍ସ ୬ଷ୍ଠ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଆଇସିସି ଟେଷ୍ଟ ବୋଲର ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ବୁଧବାର ପ୍ରକାଶିତ ମାନ୍ୟତାରେ ରାବାଡ଼ା ଇଂଲଣ୍ଡର ଜେମ୍‍ସ ଆଣ୍ଡରସନ୍‍ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‍ରେ ଆଣ୍ଡରସନ୍‍ ଖେଳିନଥିବା କାରଣରୁ ତାଙ୍କ ପଏଣ୍ଟ ୧୦ ପ୍ରତିଶତ କମି ଯାଇଥିଲା। ଫଳରେ ଆଣ୍ଡରସନ୍‍ଙ୍କୁ ପଛରେ ପକାଇ ରାବାଡ଼ା ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିବା ପାକିସ୍ତାନ ସ୍ପିନର ୟାସିର୍‍ ଶାହା ୯ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୧୦ମ ସ୍ଥାନ ହାସଲ କରିଛନ୍ତି। ସେହିପରି ଜିମ୍ବାୱେ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‍ ଖେଳି ୧୮ଟି ୱିକେଟ୍‍ ହାସଲ କରିଥିବା ବାଂଲାଦେଶର ତାଇଜୁଲ୍‍ ଇସଲାମ୍‍ ମାନ୍ୟତାରେ ୬ଟି ସ୍ଥାନ ଉପରକୁ ଉଠି ୨୧ନଂରେ ରହିଛନ୍ତି। ଇଂଲଣ୍ଡର ବେନ୍‍ ଷ୍ଟୋକ୍‍ସ ୩ଟି ସ୍ଥାନ ଉପରକୁ ଉଠି ୨୮ନଂରେ ରହିଥିବା ବେଳେ ସନ୍ଦାକାନ ୧୧ଟି ସ୍ଥାନ ଉପରକୁ ଉଠି ୪୫ନଂରେ ରହିଛନ୍ତି।

ବ୍ୟାଟିଂ ମାନ୍ୟତାରେ ପ୍ରଥମ ୯ଟି ସ୍ଥାନରେ ରହିଥିବା ବ୍ୟାଟସମ୍ୟାନ୍‍ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ପୂର୍ବରୁ ୧୦ନଂରେ ଥିବା ଦିନେଶ ଚାନ୍ଦିମାଲ ଗୋଟିଏ ସ୍ଥାନ ତଳକୁ ଖସି ୧୧ନଂରେ ରହିଛନ୍ତି। ଉସମାନ୍‍ ଖ୍ୱାଆଜା ୧୦ନଂ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନ୍‍ଙ୍କ ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ଆଝାର ଅଲ୍ଲି ୩ଟି ସ୍ଥାନ ଉପରକୁ ଉଠି ୧୨, ହାରିସ ସୋହେଲ୍‍ ୩୩ଟି ସ୍ଥାନ ଉପରକୁ ଉଠି ୩୮ ଏବଂ ବାବର ଆଜାମ୍‍ ୨୪ଟି ସ୍ଥାନ ଉପରକୁ ଉଠି ୩୯ନଂରେ ରହିଛନ୍ତି। ଜନି ବେୟାରଷ୍ଟୋ ୬ଟି ସ୍ଥାନ ଉପରକୁ ଉଠି ୧୬ନଂରେ ଥିବା ବେଳେ ମୋମିନୁଲ୍‍ ହକ୍‍ ୧୧ଟି ସ୍ଥାନ ଉପରକୁ ଉଠି ୨୪ନଂରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ବାଂଲାଦେଶର ସାକିବ ଅଲ୍‍ ହସନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତର ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ୨ୟ, ୱେଷ୍ଟଇଣ୍ଡିଜର ଜାସନ୍‍ ହୋଲଡର ୩ୟ, ଦକ୍ଷିଣ ଆଫ୍ରିକାର ଭର୍ଣ୍ଣନ୍‍ ଫିଲାଣ୍ଡର ୪ର୍ଥ ଓ ଇଂଲଣ୍ଡର ବେନ୍‍ ଷ୍ଟୋକ୍‍ସ ୫ମ ସ୍ଥାନରେ ରହିଛନ୍ତି।

Leave A Reply