ଧିମା ବୋଲିଂ ପାଇଁ ଆଇସିସିର ନୂଆ ନିୟମ, ପଡ଼ିଆରେ ଦଣ୍ଡିତ ହେବ ଦଳ

ଦୁବାଇ: ଟ୍ବେଣ୍ଟି୨୦ ଫର୍ମାଟ୍‌ କ୍ରିକେଟ୍‌ରେ ଧିମା ବୋଲିଂ ପାଇଁ ପୂର୍ବରୁ ଅର୍ଥ ଜୋରିମାନା ରହିଥିବା ବେଳେ ଏହାକୁ ଅଧିକ କଠୋର କରିିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ଧିମା ବୋଲିଂ କରିଥିବା ଦଳକୁ ପଡ଼ିଆରେ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆଇସିସି ନୂଆ ନିୟମ ଆଣିଥିବା ଜଣାପଡ଼ିଛି।

ନୂଆ ନିୟମ ଅନୁଯାୟୀ ବୋଲିଂ କରୁଥିବା ଦଳ ଶେଷ ଓଭର ନିର୍ଦ୍ଧାରିତ ୮୫ ମିନିଟ୍‌ ପୂର୍ବରୁ ଆରମ୍ଭ କରିବାକୁ ହେବ। ଯଦି ଦଳ ଶେଷ ଓଭର ୮୫ ମିନିଟ୍‌ ପୂର୍ବରୁ ଆରମ୍ଭ ନ କରେ ତେବେ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଦଳକୁ ୩୦ ୟାର୍ଡ ସର୍କଲ ବାହାରେ ୫ଜଣ ବଦଳରେ ୪ଜଣ ଖେଳାଳିଙ୍କୁ ରଖିବାକୁ ପଡ଼ିବ। ତେବେ ମ୍ୟାଚ୍‌ ଚାଲିଥିବା ବେଳେ ଆଘାତଜନିତ କାରଣ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଖେଳ ବିଳମ୍ବିତ ହେଲେ ସେହି ସମୟକୁ ଶେଷ ଓଭର ଆରମ୍ଭ ସମୟ ସହ ଯୋଡାଯିବ। ଶେଷ ଓଭର ଠିକ୍‌ ସମୟରେ ଆରମ୍ଭ ହେଲା କିମ୍ବା ନାହିଁ ସେ ସଂପର୍କରେ ତୃତୀୟ ଅମ୍ପାୟାର ନଜର ରଖିବେ ଏବଂ ଏ ସଂପର୍କରେ ପଡ଼ିଆରେ ଉପସ୍ଥିତ ଅମ୍ପାୟାରଙ୍କୁ ଜଣାଇବେ। ଅମ୍ପାୟାରମାନେ ସମୟ ସଂପର୍କରେ ଉଭୟ ଦଳ ଖେଳାଳିଙ୍କୁ ଜଣାଇବେ ବୋଲି ନିୟମ ହୋଇଛି। ଏହି ନୂଆ ନିୟମ ଆସନ୍ତା ୧୬ରେ ୱେଷ୍ଟଇଣ୍ଡିଜ୍‌ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ଲାଗୁ ହେବ। ଟ୍ବେଣ୍ଟି୨୦ର ନିୟମ ଅନୁଯାୟୀ ପ୍ରଥମ ୬ ଓଭର (ପାୱାର ପ୍ଲେ) ସମୟରେ ବୋଲିଂ କରୁଥିବା ଦଳର ୨ଜଣ ଖେଳାଳି ୩୦ ୟାର୍ଡ ସର୍କଲ ବାହାରେ ରହିପାରିବେ। ଏହାପରେ ୫ଜଣ ଖେଳାଳି ୩୦ ୟାର୍ଡ ସର୍କଲ ବାହାରେ ରହିବେ।

ସୂଚନାଥାଉକି ଏହି ନିୟମ ପ୍ରଥମେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ନିଜ ଘରୋଇ ଟ୍ବେଣ୍ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଏହି ନୂଆ ନିୟମ ଲାଗୁ କରିଥିଲା। ବର୍ତ୍ତମାନ ଆଇସିସି ଏହି ନିୟମକୁ ପ୍ରଚଳନ କରିବାକୁ ଯାଉଥିବା ବେଳେ ଆଗାମୀ ଦିନରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସମେତ ଅନ୍ୟାନ୍ୟ ଘରୋଇ ଟ୍ବେଣ୍ଟି୨୦ କ୍ରିକେଟ୍‌ ଲିଗ୍‌ ଏହି ନିୟମକୁ ପ୍ରଣୟନ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଶେଷ ଓଭର ବେଶ୍‌ ଗୁରୁତ୍ବ ରଖିଥାଏ। ଯଦି ଧିମା ବୋଲିଂ ଯୋଗୁଁ ବୋଲିଂ କରୁଥିବା ଦଳର ୫ ବଦଳରେ ୪ ଖେଳାଳି ୩୦ ୟାର୍ଡ ସର୍କଲ ବାହାରେ ରହନ୍ତି ତେବେ ଏହା ମ୍ୟାଚ୍‌ର ଫଳାଫଳ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ। ନୂଆ ନିୟମ ଲାଗୁ ହେବା ପରେ ସବୁ ଦଳ ନିଶ୍ଚିତ ଭାବେ ଧିମା ବୋଲିଂ କରିବାକୁ ବର୍ତ୍ତିବାକୁ ଚେଷ୍ଟା କରିବେ।

Comments are closed.