ଆଇସିସି ବୋର୍ଡ ବୈଠକ ଆଜି : ନୂଆ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଆରମ୍ଭ ହେବ ପ୍ରକ୍ରିୟା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ (ଆଇସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭର୍ଚୁଆଲ୍‍ ଫ୍ଲାଟଫର୍ମରେ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ଆଇସିସି ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ନେଇ ଏଯାବତ୍‍ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଏହି ପ୍ରକ୍ରିୟା ଆସନ୍ତା ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରୁ ଆରମ୍ଭ ହେବ। ନୂଆ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେଉ କି ସର୍ବସମ୍ମତିକ୍ରମେ ମନୋନୟନ ହେଉ ସମସ୍ତ ପ୍ରକ୍ରିୟା ୪ ସପ୍ତାହ ମଧ୍ୟରେ ଶେଷ ହେବ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜଣେ ବୋର୍ଡ ସଦସ୍ୟ କହିଛନ୍ତି ଆସନ୍ତା ଦୁଇସପ୍ତାହ ମଧ୍ୟରେ ଅଧ୍ୟକ୍ଷ ପଦ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିପାରିବେ ଆଶାୟୀ। ଆଇସିସି ବୋର୍ଡରେ ୧୭ଜଣ ସଦସ୍ୟ ଅଛନ୍ତି। ଟେଷ୍ଟ ଖେଳୁଥିବା ୧୨ଟି ଦେଶର କ୍ରିକେଟ୍‍ ବୋର୍ଡ ପ୍ରତିନିଧି, ୩ଟି ସହଯୋଗୀ ଦେଶର କ୍ରିକେଟ୍‍ ବୋର୍ଡ ପ୍ରତିନିଧି, ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଓ ଜଣେ ନିର୍ଦେଶକ ସଦସ୍ୟ ରହିଛନ୍ତି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ ଥିଲେ ମଧ୍ୟ ତାଙ୍କର ଭୋଟଦାନ କ୍ଷମତା ନାହିଁ। ଯଦି ନିର୍ବାଚନ ହୁଏ ତେବେ ଯେଉଁ ଆଶାୟୀ ଦୁଇ-ତୃତୀୟଂଶ ଭୋଟ୍‍ ପାଇବେ ସେ ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ତେବେ ସର୍ବସମ୍ମତିକ୍ରମେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବୋର୍ଡ ବୈଠକରେ ଉଦ୍ୟମ କରାଯିବ ବୋଲି ଜଣାପଡ଼ିଛି। ଆଇସିସିର ନୂଆ ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି ଇଂଲଣ୍ଡ କ୍ରିକେଟ୍‍ ବୋର୍ଡର ପୂର୍ବତନ ମୁଖ୍ୟ କଲିନ୍‍ ଗ୍ରେଭ୍‍ସ। ୱେଷ୍ଟଇଣ୍ଡିଜ କ୍ରିକେଟ୍‍ ବୋର୍ଡର ପୂର୍ବତନ ମୁଖ୍ୟ ଡେଭ୍‍ କାମେରୁନ୍‍ ଅଧ୍ୟକ୍ଷ ପଦରେ ଦୌଡ଼ରେ ଥିବା ବେଳେ ତାଙ୍କୁ ୱେଷ୍ଟଇଣ୍ଡିଜ କ୍ରିକେଟ୍‍ ବୋର୍ଡ ସମର୍ଥନ କରୁନଥିବା ଜଣାପଡ଼ିଛି। ଦ୍‍କ୍ଷିଣ ଆଫ୍ରିକା କ୍ରିକେଟ୍‍ ବୋର୍ଡ ସହ ଜଡ଼ିତ କ୍ରିସ୍‍ ନେନ୍‍ଜାଜି ଅଧ୍ୟକ୍ଷ ପଦ ପାଇଁ ଇଚ୍ଛୁକ ଥିବାବେଳେ ଏହି ବୋର୍ଡର ନିର୍ଦେଶକ ଗ୍ରାହାମ୍‍ ସ୍ମିଥ୍‍ କିଛିଦିନ ତଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଉଚିତ୍‍ ବୋଲି କହିଥିଲେ। ତେବେ ଗାଙ୍ଗୁଲି ଅଧ୍ୟକ୍ଷ ପଦ ନିର୍ବାଚନରେ ଲଢ଼ିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ଅନ୍ୟପକ୍ଷରେ ବର୍ତ୍ତମାନ ଆଇସିସିର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ଇମ୍ରାନ୍‍ ଖାୱାଜା ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି।

Comments are closed.