ଆଇସିସି ବୋର୍ଡ ବୈଠକ ଆଜି: ଆଇପିଏଲ ଆଶାରେ ବିସିସିଆଇ, ହୋଇପାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ନିଷ୍ପତ୍ତି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭର୍ଚୁଆଲ ବୋର୍ଡ ବୈଠକ ସୋମବାର ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ନିଷ୍ପତ୍ତି ଗତ ଦୁଇମାସ ହେବ ଝୁଲି ରହିଛି। ବିଶ୍ବକପ ଆୟୋଜିତ ହେବ କି ସ୍ଥଗିତ ରହିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ଉକ୍ତ ବୈଠକରେ ନିଆଯିବା ଆଶା କରାଯାଉଛି। ବର୍ତ୍ତମାନର କରୋନା ମହାମାରୀର ସ୍ଥିତିକୁ ଦେଖି ଟ୍ବେଣ୍ଟି୨୦ ବିଶ୍ବକପ ସ୍ଥଗିତ ରହିବା ନେଇ ବିସିସିଆଇ ଆଶା ରଖିଛି। ଟ୍ବେଣ୍ଟି୨୦ ବିଶ୍ବକପ ବାତିଲ ହେଲେ ଆଇପିଏଲ ଆୟୋଜନ ନେଇ ବାଟ ଫିଟିବାର ଆଶା କରାଯାଉଛି।
ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ୟ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବା ନେଇ କାର୍ୟ୍ୟସୂଚୀ ସ୍ଥିର ହୋଇଛି। ତେବେ ଦେଶରେ କରୋନା ମହାମାରୀ ପ୍ରକୋପ ଲାଗି ରହିଥିବାରୁ ଅଷ୍ଟ୍ରେଲିଆରେ ଉକ୍ତ ମେଗା ପ୍ରତିଯୋଗିତା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ ଘୁଞ୍ଚିବା ନିଶ୍ଚିତ ମନେ କରାଯାଉଛି। ଟ୍ବେଣ୍ଟି୨୦ ବିଶ୍ବକପ ଘୁଞ୍ଚିବା କିମ୍ବା ବାତିଲ ହେଲେ ବିସିସିଆଇ ପାଇଁ ଆଇପିଏଲ ବାଟ ଫିଟିବ। ଭାରତରେ କରୋନା ମହାମାରୀ ଉଗ୍ରରୂପ ନେଉଥିବାବେଳେ ୟୁଏଇରେ ଆଇପିଏଲ ଆୟୋଜନ ନେଇ ବିସିସିଆଇ ଳକ୍ଷ୍ୟ ରଖିଛି। ଯଦି ଭାରତ ସରକାର ଅନୁମତି ପ୍ରଦାନ କରନ୍ତି ତେବେ ୟୁଏଇରେ ଆଇପିଏଲ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଏସିଆ କପ୍‌ ଭଳି ପ୍ରତିଯୋଗିତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଟ୍ବେଣ୍ଟି୨୦ ବିଶ୍ବକପ ଘୁଞ୍ଚିବା ନେଇ ଆଇସିସିର ନିଷ୍ପତ୍ତି ପରେ ବିସିସିଆଇ ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିବ। ଟ୍ବେଣ୍ଟି୨୦ ବିଶ୍ବକପ -୨୦୨୦ ଉକ୍ତବର୍ଷ ହିଁ ଆୟୋଜିତ ହେବ । ନଚେତ ସମ୍ପୂର୍ଣ୍ଣ ବାତିଲ ହେବ। କାରଣ ୨୦୨୧ ସଂସ୍କରଣ ଅଧିକାରକୁ ଭାରତ ବଦଳ କରିବାକୁ ଚାହୁଁନାହିଁ। ଅନ୍ୟପକ୍ଷରେ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆଇସିସି ସବୁ ପ୍ରକାର ବିକଳ୍ପ ନେଇ ଆଲୋଚନା କରିବ। ଅନ୍ୟପକ୍ଷରେ ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉକ୍ତ ପଦ ଖାଲି ପଡ଼ିଛି। ନୂତନ ଆଇସିସି ଅଧ୍ୟକ୍ଷ ନିର୍ବାଚନ ନେଇ ମଧ୍ୟ ଆଲୋଚନା କରାଯିବ। ଅଧ୍ୟକ୍ଷ ପଦ ଦୌଡ଼ରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ କଲିନ୍‌ ଗ୍ରେଭ୍ସ ସବୁଠୁ ଆଗରେ ରହିଥିବାବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ନ୍ୟୁଜିଲାଣ୍ଡର ଗ୍ରେଗର ବାରକ୍ଲେ ଓ ହଂକଂର ଇମ୍ରାନ ଖାଜ୍ବା ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି।

Comments are closed.