ଆଇସିସି ଟେଷ୍ଟ ମାନ୍ୟତା : ପୁଣି ଶୀର୍ଷକୁ ଫେରିଲେ କୋହଲି

0

ଦୁବାଇ : ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଆଇସିସି ବ୍ୟାଟସମ୍ୟାନଙ୍କ ତାଲିକାରେ ପୁଣି ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନଟିଂହାମରେ ସଦ୍ୟସମାପ୍ତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ କୋହଲି ଦୁଇଟି ଇନିଂସରେ ଯଥାକ୍ରମେ ୯୭ ଓ ୧୦୩ କରିଥିବା କାରଣରୁ ଏହା ତାଙ୍କର ମାନ୍ୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି। ଚଳିତ ସିରିଜର ପ୍ରଥମ ଟେଷ୍ଟରେ (ବର୍ମିଂହାମ) କୋହଲି ଉଭୟ ଇନିଂସରେ ୧୪୯ ଓ ୫୧ ରନ କରିବାପରେ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‍ଙ୍କୁ ହଟାଇ ଏହି ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ (ଲର୍ଡସ) ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେ ପୁଣି ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲେ। ଚେତେଶ୍ୱର ପୂଜାରା ଦ୍ୱିତୀୟ ଶ୍ରେଷ୍ଠ ଭାରତୀୟ ଭାବେ ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଓପନର ଶିଖର ଧାୱନ ଚାରିଟି ଲେଖାଏଁ ପାହ୍ୟା ଉପରକୁ ଉଠି ଯଥାକ୍ରମେ ୧୯ ଓ ୨୨ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମାନ୍ୟତାରେ ଆଠଟି ପାହ୍ୟାର ଉନ୍ନତି ଘଟିଥିବାବେଳେ ସେ ୫୧ତମ ସ୍ଥାନରେ ଉପନୀତ ହୋଇଛନ୍ତି।

ଟେଷ୍ଟ ବୋଲରଙ୍କ ତାଲିକାରେ ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍‍ସ ଆଣ୍ଡରସନ ଶୀର୍ଷରେ ଥିବାବେଳେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୨ୟ ଓ ଭାରତର ରବୀନ୍ଦ୍ର ଜାଡେଜା ୩ୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ଦଶ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ୭ମ ସ୍ଥାନ ଅଧିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୩ଟି ପାହ୍ୟା ଉପରକୁ ଉଠି ୫୧ତମ ସ୍ଥାନରେ ପହଞ୍ଚିଥିବାବେଳେ ଯଶପ୍ରୀତ ବୁମ୍‍ରା ଆଠଟି ପାହ୍ୟା ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୩୭ତମ ସ୍ଥାନରେ ଉପନୀତ ହୋଇଛନ୍ତି। ଅପରପକ୍ଷରେ ଟେଷ୍ଟ ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ ଅଲ୍‍ ହାସାନ ୧ମ, ରବୀନ୍ଦ୍ର ଜାଡେଜା ୨ୟ ଓ ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡର ୩ୟ ସ୍ଥାନ ଅଧିକାର କରିଛନ୍ତି।

 

 

Leave A Reply