ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ମୋଦୀ

0

ମାଲେ : ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ରାଜଧାନୀ ମାଲେରେ ପହଞ୍ଚିବା ପରେ ମୋଦୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନବଗଠିତ ପାର୍ଲାମେଣ୍ଟର ବାଚସ୍ପତି କାଶିମ୍‍ ଇବ୍ରାହିମ୍‍ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଶପଥଗ୍ରହଣ ଉତ୍ସବରେ ମୋଦୀ ନିକଟରେ ନିର୍ବାସନରୁ ଫେରିଥିବା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍‍ ଓ ପୂର୍ବତନ ରାଷ୍ଟ୍ରପତି ମାଉମୁନ୍‍ ଅବଦୁଲା ଗାୟୁମ୍‍ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କ ଗହଣରେ ଉପସ୍ଥିତ ଥିଲେ।
ଏହି ଅବସରରେ ମୋଦୀ ସୋଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ମାଳଦ୍ୱୀପରେ ଗଣତନ୍ତ୍ରର ବିଜୟ ହୋଇଥିବା ଦର୍ଶାଇ ସମସ୍ତ ବିକାଶମୂଳକ କାର୍ଯ୍ୟରେ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ଦେଶ ଏକତ୍ର କାର୍ଯ୍ୟ କରିବା ପାଇଁ ସେ ସମ୍ମତି ପ୍ରଦାନ କରିଛନ୍ତି। ଭାରତ ସର୍ବଦା ମାଳଦ୍ୱୀପରେ ସ୍ଥିର ଗଣତାନ୍ତ୍ରିକ ଓ ବିକାଶୋନ୍ମୁଖୀ ଶାସନ ଆଶା ରଖେ ବୋଲି ସେ କହିଛନ୍ତି। ମାଳଦ୍ୱୀପର ଜନସାଧାରଣ ସାମ୍ପ୍ରତିକ ନିର୍ବାଚନରେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବାରୁ ମୋଦୀ ସେମାନଙ୍କୁ ସାଧୁବାଦ ଜଣାଇଥିଲେ।
ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀ ଭାବେ ଏହା ମୋଦୀଙ୍କ ପ୍ରଥମ ଗସ୍ତ। ସାର୍କ ରାଷ୍ଟ୍ର ମଧ୍ୟରୁ କେବଳ ମାଳଦ୍ୱୀପକୁ ମୋଦୀ ଅଦ୍ୟାବଧି ଗସ୍ତ କରି ନ ଥିଲେ। ବିଦାୟୀ ରାଷ୍ଟ୍ରପତି ୟାମିନ୍‍ ବିଭିନ୍ନ ପ୍ରସଙ୍ଗରେ ଚୀନ୍‍ ପଟକୁ ଢ଼ଳିବାରେ ୨୦୧୫ରୁ ଏହି ଦ୍ୱୀପ ରାଷ୍ଟ୍ର ସହିତ ଭାରତର ସମ୍ପର୍କ ସାମାନ୍ୟ ତିକ୍ତ ହୋଇଥିଲା। ମାଳଦ୍ୱୀପରେ ୟାମିନ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ସହ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିଲେ। ୟାମିନ ଭାରତୀୟଙ୍କ ଉପରେ କଟକଣା ଲାଗୁ କରିଥିଲେ। ସେଥିପାଇଁ ୨୦୧୫ରେ ମୋଦୀଙ୍କ ପ୍ରସ୍ତାବିତ ଗସ୍ତ ବାତିଲ ହୋଇଥିଲା। ମୋଦୀଙ୍କ ବର୍ତ୍ତମାନର ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବା ଆଶାକରାଯାଉଛି। ସେପ୍ଟେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ୫୪ବର୍ଷୀୟ ସୋଲି ଅବଦୁଲ୍ଲା ୟାମିନଙ୍କୁ ପରାସ୍ତ କରିଛନ୍ତି।

Leave A Reply