ଓଟିଟି ପ୍ଲାଟଫର୍ମର ପ୍ରତିନିଧିଙ୍କୁ ଭେଟିଲେ ଜାଭଡେକର

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ବିଭିନ୍ନ ଓଟିଟି ପ୍ଲାଟଫର୍ମର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଲ୍ଟ ବାଲାଜୀ, ହଟ୍ ଷ୍ଟାର, ଆମାଜନ ପ୍ରାଇମ, ନେଟଫ୍ଲିକ୍ସ, ଜିଓ, ଜି ୫, ଭାୟାକମ ୨୮, ଶେମାରୋ, ଏମଏକ୍ସ ପ୍ଲେୟାର ଆଦିର ପ୍ରତିନିଧିମାନେ ସାମିଲ ଥିଲେ।

ଶିଳ୍ପ ଜଗତର ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର ପୂର୍ବରୁ ବିଭିନ୍ନ ଓଟିଟି କର୍ତ୍ତୃପକ୍ଷଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ବିଚାରବିମର୍ଶ କରିବା ସହିତ ସ୍ୱ-ନିୟାମକ ବ୍ୟବସ୍ଥାର ଆବଶ୍ୟକତା ଉପରେ ଜୋର ଦେଇ ସାରିଛନ୍ତି।

ଶ୍ରୀ ଜାଭଡ଼େକର କହିଥିଲେ ଯେ ତାଙ୍କୁ ଚଳଚ୍ଚିତ୍ର ଏବଂ ଟିଭି ଜଗତ ପକ୍ଷରୁ କେତେକ ପ୍ରସ୍ତାବ ମିଳିଥିଲା। ସେମାନଙ୍କ ପାଇଁ ନିୟାମକ ବ୍ୟବସ୍ଥା ଥିବା ବେଳେ ଓଟିଟି ପ୍ଲାଟଫର୍ମ ପାଇଁ ଏପରି ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।  ଏହାପରେ ସରକାର ଓଟିଟି ସଂସ୍ଥାଗୁଡ଼ିକ ପାଇଁ ଏକ ପ୍ରଗତିଶୀଳ ସଂସ୍ଥାଗତ ବ୍ୟବସ୍ଥା କରିବା ଏବଂ ସ୍ୱ-ନିୟାମକ ବିଚାର ସହିତ ଆଗକୁ ଆସିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହିସବୁ ନିୟମାବଳୀକୁ ଅଧିକାଂଶ ଓଟିଟି ପ୍ଲାଟଫର୍ମ ସ୍ୱାଗତ କରିଥିବା ମନ୍ତ୍ରୀ ପ୍ରଶଂସା କରିଥିଲେ।

ଓଟିଟି ଜଗତର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଅତି ସାଧାରଣ ଆବଶ୍ୟକତା ଭାବେ କେବଳ ସୂଚନା ଦେବାକୁ ହେବ ଏବଂ  ମନ୍ତ୍ରଣାଳୟ ନିକଟରେ କୌଣସି ପ୍ରକାରର ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ଏଥିପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରାଯିବ। ଆହୁରି ନିୟମାବଳୀରେ କୌଣସି ପ୍ରକାରର ସେନ୍ସରସିପ ପରିବର୍ତ୍ତେ ବିଷୟବସ୍ତୁ (କଣ୍ଟେଣ୍ଟ)ର ସ୍ୱ-ବର୍ଗୀକରଣର ଆବଶ୍ୟକତା ରହିଛି। ଅନୁରୂପ ଭାବେ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ଏକ ପ୍ରଭାବୀ ଅଭିଯୋଗ ସମାଧାନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ଏ ସଂକ୍ରାନ୍ତ ହେଉଥିବା ଗୁଜବକୁ ଖଣ୍ଡନ କରି ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ସ୍ୱ-ନିୟାମକ ସଂସ୍ଥାର କୌଣସି ସଦସ୍ୟଙ୍କୁ ସରକାର ନିଯୁକ୍ତି ଦେବେ ନାହିଁ। ଏହି ନିୟମାବଳୀ ଅନ୍ତର୍ଗତ ସରକାରଙ୍କ କ୍ଷମତା ସମ୍ପର୍କରେ ଆଲୋକପାତ କରି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ ଯେ ସ୍ୱ-ନିୟାମକ ସ୍ତରରେ ସମାଧାନ ହୋଇପାରୁନଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଲାଗି ସରକାର ଏକ ଆନ୍ତଃବିଭାଗୀୟ ସମିତି ଗଠନ କରିବେ।

ଓଟିଟି ଶିଳ୍ପ ଜଗତର ପ୍ରତିନିଧିମାନେ ନିୟମାବଳୀକୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କର ଚିନ୍ତା ଦୂର ପାଇଁ ଉଦ୍ୟମ କରିଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଶେଷରେ ମନ୍ତ୍ରୀ କହିଥିଲେ ଯେ ଶିଳ୍ପ ଜଗତ ପାଇଁ ଏ ସଂକ୍ରାନ୍ତରେ କୌଣସି ପ୍ରକାରର ସ୍ପଷ୍ଟୀକରଣ ଏବଂ ସନ୍ଦେହର ସମାଧାନ ଲାଗି ମନ୍ତ୍ରଣାଳୟ ସବୁବେଳେ ପ୍ରସ୍ତୁତ ଅଛି।

Comments are closed.