ଆଇଏଏସଙ୍କ କାହାଣୀ: ପୁଅ ପଢ଼ା ପାଇଁ ବାପା ବିକିଥିଲେ ଘର-ଜମି, ମା ଦେଇଥିଲେ ଗହଣା

  • ୨୦୧୮ ମସିହା​‌ରେ ପ୍ରଦୀପଙ୍କୁ ମିଳିଥିଲା ୯୩ ତମ ରାଙ୍କ; ୨୦୨୦ରେ ପହଞ୍ଚିଲେ ୨୬ତମ ସ୍ଥାନରେ 
  • ପ୍ରଦୀପଙ୍କ ଜନ୍ମ ବିହାରର ଗୋପାଳଗଞ୍ଜରେ ହୋଇଥିଲା, ଏବେ ତାଙ୍କୁ ୨୪ ବର୍ଷ
  • ୨୫ ବର୍ଷ ପୂର୍ବରୁ ବାପା ଚାକିରି ଅନୁସନ୍ଧାନରେ ଇନ୍ଦୋର ଆସିଥିଲେ
  • ସିବିଏସ୍ଇ ବୋର୍ଡ଼ରେ ୧୦ମ ଓ ଦ୍ବାଦଶରେ ୮୦%ରୁ ଅଧିକ ନମ୍ବର ରଖିଥିଲେ
  • ଦ୍ବାଦଶ ଶ୍ରେଣୀ ଶିକ୍ଷା ଶେଷ ପ​‌ରେ କମର୍ସରେ ସ୍ନାତକ ଶିକ୍ଷା କରିଥିଲେ ।
  • କଲେଜ ଶିକ୍ଷା ଶେଷ ପରେ ଦିଲ୍ଲୀରେ ସିଭିଲ୍ ସର୍ଭିସ ନିମନ୍ତେ ପ୍ରସ୍ତୁତି କରୁଥିଲେ
  • ଆର୍ଥିକ ସ୍ଥିତି ଖରାପ ଯୋଗୁଁ ବାପା ଘର ଓ ଜମି ବିକ୍ରିକରି ତାଙ୍କୁ ପଢ଼ାଇଥିଲେ .

ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ଇନ୍ଦୋରର ପ୍ରଦୀପ ସିଂହ ୨୬ତମ ସ୍ଥାନ ଦଖଲ କରିଛନ୍ତି । ଏହାପରେ ତାଙ୍କର ଆଇଏଏସ୍ ହେବାର ରାସ୍ତା ପରିଷ୍କାର ହୋଇ ଯାଇଛି । ୨୦୧୮ରେ ସେ ୟୁପିଏସସି ପରୀକ୍ଷାରେ ୯୩ତମ ସ୍ଥାନ ଦଖଲ କରି ଆଇଆରଏସ୍ ପାହ୍ୟା ପାଇଥିଲେ ଓ ଆୟକର ଅଧିକାରୀ ଭାବରେ ଅତିରିକ୍ତ କମିଶନର ପଦରେ ନିଯୁକ୍ତି ପାଇଥିଲେ । ଛୁଟି ନେଇ ପ୍ରଦୀପ ପୁନର୍ବାର ୟୁପିଏସସି ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ ।

ପ୍ରଦୀପଙ୍କ ବାପା ମନୋଜ ସିଂହ ଇନ୍ଦୋରର ନିରଞ୍ଜନପୁର ଦେବା ନଗରସ୍ଥିତ ଡ଼ାଇମଣ୍ଡ ପେଟ୍ରୋଲ ପମ୍ପରେ କାମ କରନ୍ତି । ତାଙ୍କର ଭାଇ ସନ୍ଦୀପ ଓ ମା ଅନୀତା ସିଂହ ଇନ୍ଦୋରରେ ରହନ୍ତି । ପ୍ରଦୀପ କହିଛନ୍ତି ଯେ ପିଲାଦିନୁ ତାଙ୍କର ସ୍ବପ୍ନ ଥିଲା ସେ କିଛି ବଡ଼ କାମ କରି ଦେକାଇବେ । ଯେତେବେଳେ ବିକମ୍ ପାସ୍ କଲେ ସେତେବେଳେ ଆଇଏଏସ୍ ହେବା ପାଇଁ ସ୍ବପ୍ନ ଦେଖିଥିଲେ। ଯାହାଫଳରେ ତାଙ୍କର ବାପା ଓ ମା’ଙ୍କ ସ୍ବପ୍ନକୁ ପୂରଣ କରିପାରିବେ । ପ୍ରଦୀପଙ୍କ ବାପା ମନୋଜ କହିଛନ୍ତି ଏହି ଦିନଟିକୁ ସେ କେବେ ବି ଭୂଲି ପାରିବେ ନାହିଁ । କିଛି ବର୍ଷ ପୂର୍ବରୁ ଏ କଥା କଳ୍ପନା କରି ପାରି ନ ଥିଲି ଯେ ପୁଅ ମୋର ନାମକୁ ଉଜ୍ଵଳ କରିବ।

ଦିଲ୍ଲୀରେ କୋଚିଂ ନେବା ବେଳେ ପ୍ରଦୀପଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲା । ୟୁପିଏସସି ପ୍ରସ୍ତୁତି ନିମନ୍ତେ ତାଙ୍କର ବାପା ମନୋଜ ସିଂହଙ୍କୁ ନିଜର ଘର ବିକ୍ରି କରିବାକୁ ପଡ଼ିଥିଲା । ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସବୁପ୍ରକାର ସହାୟତା କରିଥିଲେ । ମା‘ ନିଜ ଗହଣା ବିକ୍ରି କରି ତାଙ୍କ ପଢ଼ା ପାଇଁ ଟଙ୍କା ପଠାଉଥିଲେ । କୋଚିଂ ନିମନ୍ତେ ଦେଢ଼ଲକ୍ଷ ଟଙ୍କା ଦେବା ନିମନ୍ତେ ମନୋଜଙ୍କୁ ଗାଁର ପୈତୃକ ସମ୍ପତ୍ତି ସୁଦ୍ଧା ବିକ୍ରି କରିବାକୁ ପଡ଼ିଥିଲା ।

ପଦ ଗୁରୁତ୍ଵ ନୁହେଁ, ପରିଶ୍ରମ ଓ ପ୍ରାର୍ଥନାରୁ ମିଳିଛି ସଫଳତା: ପ୍ରଦୀପ

ପ୍ରଦୀପ କହିଛନ୍ତି ଯେ ତାଙ୍କ ପାଇଁ ପଦ ବା କ୍ୟାଡ଼ର ଗୁରୁତ୍ଵପୂର୍ଣ୍ଣ ନୁହେଁ । ଯେଉଁ କାମ ନିମନ୍ତେ ଆମେ ପରିଶ୍ରମ କରୁଛୁ ତାହାର ଫଳାଫଳକୁ ସ୍ବୀକାର କରିବାକୁ ପଡ଼ିବ । ପ୍ରାର୍ଥନା ଓ ପରିଶ୍ରମ ହିଁ ସଫଳତାର ମୂଳ ପିଣ୍ଡ । ମୁଁ ପରିଶ୍ରମ କରିଛି ଓ ମୋର ପରିଜନ, ବାପା-ମା ମୋ ପାଇଁ ପ୍ରାର୍ଥନା କରିଛନ୍ତି । ମୋର ଜନ୍ମଭୂମି ବିହାର ଓ କର୍ମଭୂମି ହେଉଛି ଇନ୍ଦୋର । ଯେତେବେଳେ ମୁଁ ସପ୍ତମରେ ପଢ଼ୁଥିଲି, ସେତେବେଳେ ମୋର ଜେଜେବାପା କିଛି ଭଲ କାମ କରି ଦେଖାଅ, ଯେଉଁଥିରେ ପରିବାରର ନାମ ଗୌରବାନ୍ବିତ ହେବ ବୋଲି କହୁଥିଲେ । ବିହାରରେ ବହୁତ ଯୁବକ ଆଇଏଏସ୍ ଓ ଆଇପିଏସ୍ ପାଉଥିଲେ, ତେଣୁ ତାଙ୍କ ମନରେ ଆଇଏଏସ୍ ହେବା ପାଇଁ ସ୍ବପ୍ନ ରହିଥିଲା ବୋଲି କହିଛନ୍ତି ପ୍ରଦୀପ ।

Comments are closed.