ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର:ବିଲ ପାସ କରିବା ଲାଗି ମଧ୍ୟସ୍ଥିଙ୍କ ଜରିଆରେ ଲାଞ୍ଚ ନେଉଥିବା ବେଳେ ଗତ ଡିସେମ୍ବର ୨୯ତାରିଖରେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ସୂଚନାେଯାଗ୍ୟ ଯେ ଉଦ୍ୟାନ କୃଷି ବିଭାଗକୁ କୃଷି ଉପକରଣ ଯୋଗାଉଥିବା ଏକ ଘରୋଇ ସଂସ୍ଥାର ୫୦ ଲକ୍ଷ ଟଙ୍କାର ଏକ ବିଲ୍‌ ପାସ୍‌ କରାଇ ଦେବା ଲାଗି ନିର୍ଦେଶକ ଶ୍ରୀ ଉପାଧ୍ୟାୟ ‌ୟେସ୍‌ ବ୍ୟାଙ୍କର ରିଲେସନ୍‌ସିପ୍‌ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକ ମାଧ୍ୟମରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ।

ଏହି ଘଟଣାରେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଘଟଣାର ଅଧିକ ତଦନ୍ତ ଲାଗି ଭିଜିଲାନ୍ସ ଶ୍ରୀ ଉପାଧ୍ୟାୟଙ୍କୁ ୫ଦିନିଆ ରିମାଣ୍ଡିରେ ନେଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ୫ ତାରିଖରେ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ଜାନୁୟାରୀ ୧୩ ତାରିଖ ପର୍ୟ୍ୟନ୍ତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଶ୍ରୀ ଉପାଧ୍ୟାୟ ଜାମିନ ଆବେଦନ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ ରିେପାର୍ଟ ଓ ଭିଜିଲାନ୍ସ ଓକିଲଙ୍କ ଯୁକ୍ତିକୁ ଆଧାର କରି ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ମାମଲାର ତଦନ୍ତ ଚାଲିଥିବା ଏବଂ ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ନେଇ ଭିଜିଲାନ୍ସ ଓକିଲ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ। ପୂର୍ବରୁ ମଧ୍ୟ ଶ୍ରୀ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା।

Comments are closed.