ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରୁ ପର୍ବତାରୋହୀ ଦଳକୁ ଉଦ୍ଧାର କଲା ବାୟୁସେନା

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏଏନ୍‍-୩୨କୁ ଠାବ କରିବାକୁ ଯାଇଥିବା ୧୫ ଜଣିଆ ପର୍ବତାରୋହୀ ଦଳଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। ଶନିବାର ସନ୍ଧ୍ୟାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଚଳିତ ମାସ ୧୨ ତାରିଖରୁ ସେହି ସଦସ୍ୟମାନେ ୧୭ ଦିନ ଧରି ଗୋଟିଏ ସ୍ଥାନରେ ଅଟକି ରହିଥିଲେ। ଜୁନ୍‍ ୩ ତାରିଖରେ ୧୩ଜଣ ବାୟୁସେନା ଯବାନଙ୍କୁ ନେଇ ଯାଇଥିବା ଏଏନ୍‍-୩୨ ବିମାନ ଅରୁଣାଚଳପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ୧୦ ତାରିଖରେ ଉଦ୍ଧାରକାରୀ ଦଳ ବିମାନର ଭଗ୍ନାବଶେଷ ଠାବ କରିଥିଲେ।

ଦୁର୍ଘଟଣାସ୍ଥଳରୁ ବିମାନ କର୍ମଚାରୀ ଏବଂ ବିମାନର ଭଗ୍ନାବଶେଷ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସେଠାରେ ରହିଥିଲେ। ତେବେ ଅବିଶ୍ରାନ୍ତ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳଙ୍କୁ ଫେରାଇ ଆଣିବା ସମ୍ଭବପର ହୋଇନଥିଲା। ଉଦ୍ଧାର କରାଯିବା ପରେ ଡାକ୍ତରଖାନାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

Comments are closed.