ଚୀନ୍ ସୀମାରେ ଭାରତୀୟ ଯୁଦ୍ଧ ବିମାନ: ସୁଖୋଇ ଏବଂ ମିଗ୍ ଉଡାଇ ଶକ୍ତି ପ୍ରଦର୍ଶନ କଲା ଭାରତ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ଗାଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଏବେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଭଳି ସମୟରେ, ଶନିବାର ଦିନ ଭାରତ ଆକାଶ ପଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଭାରତ-ଚୀନ୍ ସୀମାରେ ଥିବା ଫରୱାର୍ଡ ଏୟାରବେସରେ ଆପାଚେ ହେଲିକପ୍ଟର, ବାୟୁସେନାର ସୁଖୋଇ ସୁ-୩୦ ଏମକେଆଇ ଏବଂ ମିଗ -୨୯ ବିମାନରେ ଉଡୁଥିବା ଦେଖିବାକୁ ମିଳିଥିଲା।

ଭାରତ-ଚୀନ୍ ସୀମା ନିକଟ ଫରୱାର୍ଡ ଏୟାରବେସରେ ଭାରତୀୟ ବାୟୁସେନାର ଜଣେ ସ୍କ୍ବାଡର୍ଣ୍ଣ ଲିଡର କହିଛନ୍ତି, ‘ଏହି ଏୟାରବେସରେ ଏବଂ ସମଗ୍ର ବାୟୁସେନାରେ ଥିବା ପ୍ରତ୍ୟେକ ବାୟୁସେନା ଯୋଦ୍ଧା ସମ୍ପୂର୍ଣ୍ଣ ତାଲିମପ୍ରାପ୍ତ ଏବଂ ସମସ୍ତ ଆହ୍ବାନକୁ ମୁକାବିଲା କରିବାରେ ସକ୍ଷମ ଅଟନ୍ତି।’

ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଶୁକ୍ରବାର ଦିନ ହଠାତ୍ ଲଦାଖରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୧୫ଜୁନ୍ ରାତିରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଆହତ ଭାରତୀୟ ସୈନିକମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଏହି ସୈନିକମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ମଧ୍ୟ ପହଞ୍ଚିଥିଲେ। ଏଠାରେ ସେ ସୈନିକମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କର ମନୋବଳ ବୃଦ୍ଧି କରିବା​‌ର ପ୍ରୟାସ କରିଥିଲେ।

Comments are closed.