ବାଲାକୋଟ ଆକ୍ରମଣର ସାଙ୍କେତିକ ଭିଡିଓ ଜାରି କଲା ବାୟୁସେନା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରିଥିଲା। ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଶତାଧିକ ଆତଙ୍କବାଦୀ ନିପାତ ହେବା ସହ ସେମାନଙ୍କ ଶିବିର ଧ୍ଵଂସ ପାଇଥିବା ବାୟୁସେନା ପକ୍ଷରୁ ଦାବି କରାଯାଇଥିଲା। ଶୁକ୍ରବାର ବାୟୁସେନା ବାଲାକୋଟ ଆକ୍ରମଣର ସାଙ୍କେତିକ ଭିଡିଓ ଜାରି କରିଛି। ବାୟୁସେନାର ଯବାନ ତଥା ପାଇଲଟ୍‌ମାନେ କିପରି ଏହି ଆକ୍ରମଣ କରିଥିଲେ ତାହାର ଏକ ପ୍ରମୋଶନାଲ ଭିଡିଓ ପ୍ରକାଶ କରାଯାଇଛି।

ବାୟୁସେନା ଦ୍ବାରା ଏହି ଭିଡିଓରେ ଦର୍ଶାଯାଇଛି ଯେ, ପୁଲୱାମା ଆକ୍ରମଣ ପରେ ଦେଶରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ବିରୋଧରେ ଲୋକଙ୍କ ରୋଷ କିପରି ଥିଲା। ଏହା ପରେ ବାୟୁସେନା ବାଲାକୋଟରେ ବିମାନ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଭିଡିଓ ଅନୁସାରେ ବାୟୁସେନାର ବିମାନଗୁଡ଼ିକରେ ପାକିସ୍ତାନର ବାଲାକୋଟରେ ଚାଲିଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା ଏବଂ ସେଗୁଡ଼ିକୁ ଧ୍ଵଂସ କରିଦିଆଯାଇଥିଲା। ବାଲାକୋଟ ଆକ୍ରମଣର ପରଦିନ ଅର୍ଥା ଫେବୃୟାରୀ ୨୭ ତାରିଖ ସକାଳେ ପାକିସ୍ତାନ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ବାୟୁସେନାର ଯବାନମାନେ ପାକ୍‌ ବିମାନଗୁଡ଼ିକୁ ତଡ଼ି ଦେଇଥିଲେ।

Comments are closed.