ଜାଗୁଆର ଯୁଦ୍ଧ ବିମାନ ପାଇଲଟ୍‌ଙ୍କୁ ବାୟୁସେନାର ପ୍ରଶଂସା; ବାର୍ଡ ହିଟ୍‌ ସମୟର ଭିଡିଓ ଜାରି

ନୂଆଦିଲ୍ଲୀ: ଆକାଶରେ ବାର୍ଡ ହିଟ୍‌ ପରେ ଯୁଦ୍ଧ ବିମାନର ଗୋଟିଏ ଇଞ୍ଜିନ ଅଚଳ ହୋଇଯିବା ସତ୍ବେ ସମ୍ଭାବ୍ୟା ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇବାରେ ସଫଳ ହୋଇଥିବା ପାଇଲଟ୍‌ଙ୍କୁ ଭାରତୀୟ ବାୟୁସେନା(ଆଇଏଏଫ) ପ୍ରଶଂସା କରିଛି। ଆକାଶରେ ବାର୍ଡ ହିଟ୍‌ ସମୟରେ ରେକର୍ଡ ହୋଇଥିବା ୪୮ ସେକେଣ୍ଡ ଦୃଶ୍ୟର ଭିଡିଓକୁ ବାୟୁସେନା ଜାରି କରିଛି। ଉପସ୍ଥିତ ବୁଦ୍ଧି ଖଟାଇ ପାଇଲଟ୍‌ ନିଜ ଜୀବନ ବଞ୍ଚାଇବା ସହିତ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ରକ୍ଷା କରିପାରିଥିବାରୁ ତାଙ୍କୁ ଏଭଳି ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ, ଦୁଇଦିନ ତଳେ ରାଜସ୍ଥାନର ଅମ୍ବାଲା ଏୟାରବେସ୍‌ରୁ ଭରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ଉଡ଼ାଣ ଆରମ୍ଭ କରିଥିଲା। କିଛି ସମୟ ମଧ୍ୟରେ ଆକାଶରେ ବିମାନ ସହିତ ଏକ ଦଳ ପକ୍ଷୀ ମାଡ଼ ହୋଇଥିଲେ। ଏହା ପରେ ଗୋଟିଏ ଇଞ୍ଜିନ ଅଚଳ ହୋଇଯାଇଥିଲା। ବିମାନଟି ସୁନିଶ୍ଚିତ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ଥିବାବେଳେ ପାଇଲଟ୍‌ ଉପସ୍ଥିତ ବୁଦ୍ଧି ବଳରେ ତୁରନ୍ତ ବିମାନ ବାହାରେ ରହିଥିବା ଇନ୍ଧନ ଟ୍ୟାଙ୍କକୁ ବାହାର କରିଦେଇଥିଲେ। ଫଳରେ ଆକାଶରେ ଇନ୍ଧନ ଟ୍ୟାଙ୍କଟି ବିସ୍ଫୋରଣ ଘଟିଥିଲା। କିଛି ସମୟ ପରେ ପାଇଲଟ୍‌ ସୁରକ୍ଷିତ ଭାବେ ବିମାନକୁ ଏୟାରବେସ୍‌ରେ ଲ୍ୟାଣ୍ଡ କରାଇଥିଲେ।

Video courtesy: Hindustan Times

Comments are closed.