ନନ୍ଦା ଦେବୀରେ ନିଖୋଜ ୮ ପର୍ବତାରୋହୀ ମୃତ, ୫ ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ/ଡେରାଡୁନ୍‍ : ଉତ୍ତରାଖଣ୍ଡର ନନ୍ଦା ଦେବୀ ପର୍ବତ ଶିଖର ଆରୋହଣ କରିବାକୁ ଯାଇଥିବା ୮ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସୋମବାର ୫ ଜଣଙ୍କ ଶବ ଦେଖିବାକୁ ମିଳିଛି। ଶବଗୁଡ଼ିକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁସାରେ ୧୨ ସଦସ୍ୟ ବିଶିଷ୍ଟ ଦଳରୁ ୮ ସଦସ୍ୟ ମେ’ ୧୩ରେ ନନ୍ଦା ଦେବୀ ଶିଖର ଆରୋହଣ ଆରମ୍ଭ କରିଥିଲେ ଓ ମେ’ ୨୬ ସୁଦ୍ଧା ସେମାନଙ୍କୁ ଫେରିବାର ଥିଲା। ମେ’ ୩୧ ସୁଦ୍ଧା କୌଣସି ସୂଚନା ନମଳିବାରୁ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଜୁନ ୨ରେ ଏହି ଦଳରେ ସାମିଲ ୪ ବ୍ରିଟେନ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ବ୍ୟତୀତ ୪ ବ୍ରିଟେନ, ୨ ଆମେରିକୀୟ, ଜଣେ ଭାରତୀୟ ଓ ଜଣେ ଅଷ୍ଟ୍ରେଲିୟ ପର୍ବତାରୋହୀ ନିଖୋଜ ଥିଲେ।
ଉଦ୍ଧାର ବ୍ରିଟେନ ପର୍ବତାରୋହୀ ମାର୍କ ଥୋମାସ ସୋମବାର ଭାରତୀୟ ବାୟୁ ସେନା ହେଲିକପ୍ଟର ଯୋଗେ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବାକୁ ଯାଇଥିଲେ। ମାର୍ଗ ଥୋମାସ ପର୍ବତାରୋହଣ ବେଳେ ଟେଣ୍ଟ ମରାଯାଇଥିବା ସ୍ଥାନର ଫଟୋ ନେଇଥିଲେ। ଏହି ଫଟୋରେ ୫ଟି ଶବ ଦେଖିବାକୁ ମିଳିଛି। ଥୋମାସ ପର୍ବତର ତଳ ଟେଣ୍ଟର ଥିଲାବେଳେ ୮ ଜଣ ସଦସ୍ୟ ଶିଖର ଆରୋହଣ କରୁଥିଲେ। ଶିଖର ଆରୋହଣ କରୁଥିବା ଦଳର ନେତୃତ୍ୱ ନେଉଥିଲେ ବ୍ରିଟେନ ପର୍ବତାରୋହୀ ମାର୍ଟିନ ମୋରାନ। ପୂର୍ବରୁ ସେ ୨ ଥର ଏହି ଶିଖର ଆରୋହଣ କରିଥିଲେ। କିନ୍ତୁ ଏ ଥର ଅଭିଯନ ଆରମ୍ଭ ପୂର୍ବରୁ ସେ ଫେସ୍‍ବୁକ୍‍ରେ ସୂଚନା ଦେଇଥିଲେ ଯେ ତାଙ୍କ ଦଳ ଏଥର ଏକ ନୂଆ ଶିଖର ଆରୋହଣ କରିବ, ଯେଉଁଠିକି ପୂର୍ବରୁ କେହି ଯାଇନାହାନ୍ତି।

Comments are closed.