କଳିଙ୍ଗ ରେଜିମେଣ୍ଟ ନିମନ୍ତେ ଉଦ୍ୟମ କରିବି – ଲେଫ୍ଟନାଣ୍ଟ ଜେନେରାଲ୍‌ ଚଣ୍ଡିପ୍ରସାଦ ମହାନ୍ତି

ଭୁବନେଶ୍ବର: ଲେଫ୍ଟନାଣ୍ଟ ଜେନେରାଲ୍‌ ଚଣ୍ଡିପ୍ରସାଦ ମହାନ୍ତି କୋଭିଡ-୧୯ ଯୋଗୁଁ ବର୍ଷକ ପରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏଠାରେ ପହଞ୍ଚିବା ପୂର୍ବରୁ ତାଙ୍କୁ ପଦୋନ୍ନତି ମିଳିଛି। ଦେଶର ଉପ ସେନାମୁଖ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ପଦ ମିଳିବା ପରେ ତାଙ୍କୁ ବିଭିନ୍ନବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଭଳି ଏକ ମୁହୂର୍ତ୍ତରେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ସ୍ଥାନକୁ ଗସ୍ତ ବେଳେ ସେଠାରେ ମିଳୁଥିବା ଭବ୍ୟ ସମ୍ବର୍ଦ୍ଧନାରେ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଥିବା କହିଛନ୍ତି। ଓଡ଼ିଶାବାସୀଙ୍କର ଏହି ସ୍ନେହ, ଶ୍ରଦ୍ଧା ପାଇ ସେ କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଶାର ପର୍ୟ୍ୟଟନ ସ୍ଥଳୀ ବି ବୁଲିଛନ୍ତି। ପରେ ୧୨୦ ଟିଏ ବାଟାଲିଅନ୍‌ ଓ ସୈନିକ ସ୍କୁଲ ପରିଦର୍ଶନ କରିଛନ୍ତି। ଏପରିକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଓଡ଼ିଶାର ବିକାଶ ଏବଂ ଖାଦ୍ୟପାନୀୟକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି। ଦୀର୍ଘଦିନରୁ ଓଡ଼ିଶାର ଦାବି ହୋଇ ଆସୁଥିବା କଳିଙ୍ଗ ରେଜିମେଣ୍ଟ ସମ୍ପର୍କରେ ସେ ଅବଗତ ଅଛନ୍ତି। ଏନେଇ ଉଦ୍ୟମ କରିବେ ବୋଲି ସେ କହିଛନ୍ତି….।

ଯୁଦ୍ଧ ଜାହାଜ ଦେଖି ଅନୁପ୍ରାଣିତ ହୋଇଥିଲି
ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ମହାନ୍ତି ପାରାଦ୍ବୀପରେ ବିକ୍ରାନ୍ତ ଯୁଦ୍ଧ ଜାହାଜ ଦେଖିବା ପରେ ସେନା ବାହିନୀରେ ଯୋଗ ଦେବା ଲାଗି ଅନୁପ୍ରାଣିତ ହୋଇଥିଲେ। ୧୯୭୧ ଯୁଦ୍ଧ ପରେ ବିକ୍ରାନ୍ତ ଯୁଦ୍ଧ ଜାହାଜ ପାରାଦ୍ବୀପକୁ ଆସିଥିଲା। ସେତେବେଳେ ଏହି ଯୁଦ୍ଧ ଜାହଜ ଦେଖିବାକୁ ବହୁ ଲୋକ ଆସିଥିଲେ। ବାପାଙ୍କ ସହିତ ସେ ଜାହଜ ଦେଖିବାକୁ ଯାଇଥିଲେ। ପରେ ବାପା ଓ ମା’ ମତେ ପ୍ରବର୍ତ୍ତାଇଥିଲେ। ପରେ ମୁଁ ଡେରାଡୁନ୍‌ସ୍ଥିତ ଆର୍‌ଆଇଏମ୍‌ କଲେଜରେ ଯୋଗ ଦେଇଥିଲି। ଏଥିପାଇଁ ବାପା ମା’ଙ୍କର ଅନେକ ଅବଦାନ ରହିଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ ଯବାନଙ୍କୁ ବାହା ଦେବାକୁ ଚାହୁଁ ନ ଥିଲେ
ଓଡ଼ିଶାରେ ୮୦ ଦଶକରେ ଯବାନମାନଙ୍କୁ ଝିଅ ଦେବାକୁ କେହି ରାଜି ହେଉ ନ ଥିଲେ। ସବୁବେଳେ ଯେମିତି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଭୟରେ ଝିଅ ଦେବାକୁ ରାଜି ହେଉ ନ ଥିଲେ। ସେନା ବାହିନୀରେ ଓଡ଼ିଆ ଯବାନଙ୍କ ସଂଖ୍ୟା ବହୁ କମ ଥିଲା। ସେନା ବାହିନୀର ଇଞ୍ଜିନିୟରିଂ ଓ ମେଡିକାଲ୍‌ରେ ବହୁ ଓଡ଼ିଆ ଯାଉଥିଲେ। ସେନା ବାହିନୀକୁ ବେଶୀ ଓଡ଼ିଆ ଯାଉ ନ ଥିଲେ। ବର୍ତ୍ତମାନ ସମୟ ବଦଳିଛି ବହୁ ଓଡ଼ିଆ ସେନାବାହିନୀରେ ସାମିଲ୍‌ ହେଲେଣି। ପ୍ରତ୍ୟେକ ଗାଁରୁ ଜଣେ ଲେଖାଏଁ ସେନା ବାହିନୀରେ ଯୋଗଦେବା ଦରକାର ବୋଲି ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ମହାନ୍ତି ମତ ଦେଇଛନ୍ତି।

ଅବସରପ୍ତାପ୍ତ ସୈନିକ ଆମର ରୋଲ୍ ମଡେଲ୍‌
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦,୦୦୦ ରୁ ଅଧିକ ଅବସରପ୍ରାପ୍ତ ସୈନିକ ଅଛନ୍ତି। ସେମାନଙ୍କର ପରିବାରକୁ ମିଶାଇଲେ ୨ ଲକ୍ଷ ହେବେ। ପ୍ରତ୍ୟେକ ଥର ଓଡ଼ିଶା ଆସିବା ସମୟରେ ଅବସରପ୍ରାପ୍ତ ସୈନିକଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଥାଏ। ମୋର ସମସ୍ତଙ୍କୁ ଅନୁରୋଧ ସେମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ସାମିଲ କରନ୍ତୁ। ସମସ୍ତେ ନିଜ ସାଙ୍ଗରେ ମିଶାଇ ରଖନ୍ତୁ। ମୋର ସମସ୍ତଙ୍କୁ ଅନୁରୋଧ ସେମାନେ ଆମ ସମାଜ ପାଇଁ ବହୁତ କିଛି କରିପାରିବେ। ସେମାନଙ୍କୁ ରୋଲ୍ ମଡେଲ୍‌ ଭାବେ ଦେଖନ୍ତୁ। ସେମାନଙ୍କର ବହୁତ ଜ୍ଞାନ ରହିଛି। ସେମାନେ ସମାଜ ପାଇଁ ଅନେକ କିଛି କରିପାରିବେ। ବହୁତ ବରିଷ୍ଠ ଅବସରପ୍ରାପ୍ତ ସେନା ଅଧିକାରୀ ଓଡ଼ିଶାରେ ଅଛନ୍ତି।

ଭାରତୀୟ ସେନା ବାହିନୀ ବୃହତ୍ତମ ସ୍ବେଚ୍ଛାକୃତ ବାହିନୀ
ଭାରତୀୟ ସେନାବାହିନୀ ବିଶ୍ବରେ ତୃତୀୟ ବୃହତ, କିନ୍ତୁ ସବୁଠାରୁ ବୃହତ ସ୍ବେଚ୍ଛାକୃତ ସେନା ବାହିନୀ। ସବୁସ୍ତରରେ ସେନା ବାହିନୀ ବିଷୟରେ ମୌଳିକ ଶିକ୍ଷା ଦିଆଯିବା ଦରକାର। ପାଠ୍ୟକ୍ରମ ସହିତ ଏନ୍‌ସିସିରେ ବହୁ ଯୁବକ ଯୋଗ ଦେବା ଦରକାର। ଓଡ଼ିଶା ଭିତ୍ତିଭୂମି କ୍ଷେତ୍ରରେ ବହୁ ସୀମିତ ସମ୍ବଳ ରହିଛି। ଏଡି କଲେଜ ସବୁଠାରୁ ବଡ଼ ଆର୍ମି କଲେଜ। ସେହିପରି ଆଇଏନ୍ଏସ୍‌ ଚିଲିକା ସବୁଠାରୁ ବଡ଼ ନୌସେନା ପ୍ରଶିକ୍ଷଣ କେନ୍ଦ୍ର। ୧୨୦ ଟିଏ ବାଟାଲିଅନ୍‌ ରହିଛି। ବାଲେଶ୍ବରରେ ଡିଆର୍‌ଡିଏ ଏବଂ ସମ୍ବଲପୁରରେ ଏକ ଛୋଟ କାର୍ୟ୍ୟାଳୟ ରହିଛି।

ଓଡ଼ିଶା ଖାଦ୍ୟପେୟ, ହକି ଖେଳକୁ ପ୍ରଶଂସା
ପ୍ରତିବର୍ଷ ପ୍ରାକୃତିକ ବିପର୍ୟ୍ୟୟ ପରେ ଓଡ଼ିଶାର ପୁନର୍ଗଠନ ଓ ବିକାଶକୁ ଦେଖି ମୁଁ ବହୁତ ଖୁସି। ଭାରତୀୟ ହକିକୁ ଓଡ଼ିଶାର ଅବଦାନ ଅନେକ। ହକି ଟିମ୍‌ର ଟି-ସାର୍ଟ ଦେଖିଲେ ଭାରି ଖୁସି ଲାଗେ। ଓଡ଼ିଶାର ଅନେକ ଖାଦ୍ୟ ଭାରତରେ ପ୍ରସିଦ୍ଧ। ଓଡ଼ିଶାର ପର୍ୟ୍ୟଟନ ଦିନକୁ ଦିନ ବାହାର ଲୋକଙ୍କୁ ଆକର୍ଷିତ କରୁଛି। ମତେ ଭଲ ଲାଗିଲା କୋଣାର୍କର ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’।

ଏନ୍‌ସିସି, ଖେଳକୁଦ ପାଇଁ ଯୁବକଯୁବତୀଙ୍କୁ ଆହ୍ବାନ
ଓଡ଼ିଶାର ଯୁବକଯୁବତୀ ଅଧିକରୁ ଅଧିକ ଖେଳକୁଦ ପାଇଁ ଆଗ୍ରହ ଦେଖାନ୍ତୁ। ଏନ୍‌ସିସିରେ ଭାଗ ନେବା ସହିତ ଅଧିକରୁ ଅଧିକ ସୈନିକ ସ୍କୁଲ, ଆର୍‌ଆଇଏମ୍‌ସି, ନୌସେନା ଓ ବାୟୁସେନାରେ ଯୋଗଦେବା ଲାଗି ମୁଁ ଆହ୍ବାନ କରୁଛି। ସେଥିପାଇଁ ଓଡ଼ିଶାରେ ଏନ୍‌ଡିଏ ଏବଂ ଏସ୍‌ଏସ୍‌ବି ପାଇଁ ପ୍ରସ୍ତୁତି ଲାଗି ଅନୁଷ୍ଠାନ ଗଢ଼ି ଉଠିବା ଉଚିତ୍‌ ବୋଲି ଶ୍ରୀ ମହାନ୍ତି ମତ ଦେଇଛନ୍ତି। ଯୁବତୀଙ୍କୁ ସେନା ବାହିନୀ ପାଇଁ ସୁଯୋଗ ମିଳିଲାଣି। ତେଣୁ ସେମାନେ ଏଥିପାଇଁ ଆଗ୍ରହ ଦେଖାନ୍ତୁ। ଓଡ଼ିଶାର ସୈନିକ ସ୍କୁଲର ଏନ୍‌ଡିଏ ଫଳାଫଳରେ ଅଧିକ ଭଲ ହେବା ଦରକାର।

Comments are closed.