ମୋର କେହି ପ୍ରତିଦ୍ୱନ୍ଦି ନାହାନ୍ତି – ରୁଦ୍ର ପ୍ରତାପ

ପିପିଲି : ଦୀର୍ଘ ଦିନର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପିପିଲି ଉପନିର୍ବାଚନ ପାଇଁ  ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସେ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଉପନିର୍ବାଚନରେ ମୋର କେହି ପ୍ରତିଦ୍ୱନ୍ଦୀ ନାହାନ୍ତି । ଅଞ୍ଚଳବାସୀଙ୍କ ଆର୍ଶୀବାଦ, ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ସମସ୍ତଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଉଦ୍ୟମ କରିବି । ବାପା ଓ ମାଆଙ୍କ ଆର୍ଶୀବାଦରେ ବିପୁଳ ଭୋଟ୍‌ରେ ଏଠାରେ ନିଶ୍ଚୟ ବିଜୟୀ ହେବି ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି । ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶାନ୍ତି ଓ ବିକାଶ ଧାରାକୁ ବଜାୟ ରଖିବା ସହ ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ କରିବି ବୋଲି ସେ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଦଳ ତାଙ୍କ ଉପରେ ଭରସା କରି ଟିକେଟ୍‍ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରୁଦ୍ରପ୍ରତାପ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦଳର ନୀତି ଆଦର୍ଶକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିବି ବୋଲି ରୁଦ୍ର ପ୍ରକାଶ କରିଛନ୍ତି ।

ରୁଦ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ଘୋଷଣା କରିବା ପରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ପିପିଲି ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଦଳର ବରିଷ୍ଠ ନେତା, ନେତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ହରିବୋଲ, ହୁଳହୁଳି ସାଙ୍ଗକୁ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ପ୍ରଦୀପ ମହାରଥୀ ଅମର ରହେ ଧ୍ୱନୀରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ଦଳୀୟ ଟିକେଟ୍‍କୁ ନେଇ ଦ୍ୱନ୍ଦରେ ରହିଥିବା କର୍ମୀମାନେ ଖୁସିରେ ନିଜ ନିଜ ଅଞ୍ଚଳରେ ମିଠା ବାଣ୍ଟିଥିବା ପରିଲକ୍ଷିତ ହୋଇଥିଲା ।

ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଆସନ୍ତା ଅପ୍ରେଲ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ପିପିଲି ଏନ୍‍ଏସି, ପିପିଲି ବ୍ଲକ ଓ ଡେଲାଙ୍ଗ ବ୍ଲକ୍‍କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୫୬୧ଜଣ ମହିଳା ଭୋଟର ଓ ୨ଜଣ ଟି.ଜି ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।

Comments are closed.