ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ଯେକୌଣସି ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ : ରଜନୀକାନ୍ତ

ନୂଆଦିଲ୍ଲୀ : ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ଯେକୌଣସି ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଦକ୍ଷିଣ ଭାରତୀୟ ସିନେଜଗତର ସୁପରଷ୍ଟାର ରଜନୀକାନ୍ତ। ରବିବାର ତାଙ୍କ ବାସଭବନରେ ମୁସଲମାନ ସଂଗଠନର କିଛି ନେତାଙ୍କୁ ଭେଟିବା ପରେ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନିନ୍ଦା କରିବା ସହ ରଜନୀକାନ୍ତ ଏହା କହିଛନ୍ତି।
ସେ ଟ୍ବିଟ୍ କରି କହିଛନ୍ତି ଯେ, ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ଯେକୌଣସି ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ମୁଁ ମଧ୍ୟ ତାଙ୍କ ସହ (ମୁସଲମାନ ସଂଗଠନର ନେତା) ସହମତ ଯେ ଦେଶର ମୂଳ ଉଦ୍ଦେଶ୍ୟ ପ୍ରେମ, ଏକତା ଏବଂ ଶାନ୍ତି ହେବା ଉଚିତ୍।
ଉଲ୍ଲେଖ ଯୋଗ୍ୟ, ଗତ ସପ୍ତାହରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ହୋଇଥିଲା। ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ଯେଉଁଥିରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୦ ଜଣ ଆହତ ହୋଇଥିଲେ। ଗତ ସପ୍ତାହରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ରଜନୀକାନ୍ତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଏହି ଦଙ୍ଗାର ଜୋରଦାର ମୁକାବିଲା କରାଯିବା ଉଚିତ୍। ଯଦି ହିଂସା ବନ୍ଦ ହୋଇପାରିବ ନାହିଁ ତେବେ ଶାସକ ଦଳ ଇସ୍ତଫା ଦେବା ଉଚିତ୍ ବୋଲି ସେ କହିଥିଲେ।