ଶାବରୀମାଳା ଭକ୍ତଙ୍କୁ ଶାହାଙ୍କ ଦୃଢ ସମର୍ଥନ

0

କନ୍ନୁର : ଶାବରୀମାଳାରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ରାୟକୁ ବିରୋଧ କରୁଥିବା ଭଗବାନ ଆୟପ୍ପାଙ୍କ ଭକ୍ତଙ୍କୁ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ଶନିବାର ଦୃଢ ସମର୍ଥନ କରିଛନ୍ତି। କନ୍ନୁର ବିମାନବନ୍ଦର ଉଦ୍‍ଘାଟନ କରି ଏଠାରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି, ଭଗବାନ ଆୟପ୍ପା ଭକ୍ତମାନଙ୍କୁ ବିଜେପି ଦୃଢ ସମର୍ଥନ କରେ। ନିକଟରେ ମନ୍ଦିରରେ ମାସିକ ପୂଜା ସମୟରେ ଆୟପ୍ପା ଭକ୍ତମାନଙ୍କୁ ଯେଭଳି ଦୁର୍ବ୍ୟବହାର କରାଯାଇଛି ସେଥିନେଇ ସେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‍ଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରକୁ ସତର୍କ କରିଛନ୍ତି। ସେ କହିଛନ୍ତି, ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି, ଆର୍‍ଏସ୍‍ଏସ୍‍ ତଥା ଅନ୍ୟ ସଂସ୍ଥାର ୨୦୦୦ରୁ ଊର୍ଦ୍ଧ୍ବ କର୍ମୀଙ୍କୁ ରାଜ୍ୟ ସରକାର ଗିରଫ କରି ଜରୁରୀକାଳୀନ ପରିସ୍ଥିତି ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ଧର୍ମ ନାମରେ ହିଂସା ଏବଂ ସୁପ୍ରିମକୋର୍ଟଙ୍କ ରାୟ ଆଳରେ ରାଜ୍ୟ ସରକାର କ୍ରୁର ଆଚରଣ ବନ୍ଦ କରିବା ଆବଶ୍ୟକ। ଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ଉପରେ କଟକଣା ଥିବା ବେଳେ ମହିଳାଙ୍କୁ ଦର୍ଶନ ସୁଯୋଗ ଦିଆଯାଏ। ଏଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟ ପାଳନ କରିବାକୁ ଯାଇ ଭଗବାନ ଆୟପ୍ପାଙ୍କ ଭକ୍ତମାନଙ୍କ ଭାବନାକୁ କୁଠାରଘାତ କରିବା ଅନୁଚିତ ବୋଲି ସେ ଦର୍ଶାଇଛନ୍ତି।

Leave A Reply