ହ୍ୟୁଷ୍ଟନ କନସ୍ୟୁଲେଟ କାର୍ଯାଳୟର ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜାଳିଦେଲା ଚୀନ

ଆମେରିକା-ଚୀନ ବିବାଦ ତୀବ୍ର: ୭୨ ଘଣ୍ଟା ମଧ୍ୟରେ କନସ୍ୟୁଲେଟ ବନ୍ଦ କରିବାକୁ ଆମେରିକାର ନିର୍ଦେଶ

ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଅତି ସ୍ପର୍ଶକାତର ହେବାରେ ଲାଗିଛି । ମଙ୍ଗଳବାର ରାତିରେ ହ୍ୟୁଷ୍ଟନସ୍ଥିତ ଚୀନା କନସୁଲେଟରେ ବିପୁଳ ପରିମାଣର ଗୁରୁତ୍ବପୂର୍ଣ ନଥି ପତ୍ର ଜଳାଇ ଦିଆଯାଇଛି । ଏହାର କିଛି ସମୟ ପରେ ଆମେରିକା ଚୀନକୁ ୭୨ ଘଣ୍ଟା ମଧ୍ୟରେ କନସୁଲେଟ ବନ୍ଦ କରିବାକୁ ନିର୍ଦେଶ ଦେଇଛି ।

ମଙ୍ଗଳବାର ସ୍ଥାନୀୟ ସମୟ ରାତି ପ୍ରାୟ ୮ଟା ବେଳେ ହ୍ୟୁଷ୍ଟନର ଚୀନ କନସୁଲେଟର ପଛ ଭାଗରେ ନିଆଁ ଜଳୁଥିବା ଓ ଧୂଆଁ ଉଠୁଥିବା ଦେଖାଯାଇଥିଲା । ନିକଟରେ ରହୁଥିବା ଲୋକମାନେ ଏ ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ୫ ମିନିଟ୍ ମଧ୍ୟରେ ପୁଲିସ ଓ ନିଆଁଲିଭା ଦଳ କନସ୍ୟୁଲେଟରେ ପହଞ୍ଚି ଯାଇଥିଲେ । ମାତ୍ର ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଇ ନ ଥିଲା । ଏହାର କିଛି ସମୟ ପରେ ନିଆଁ ଲିଭି ଯାଇଥିଲା । କନସ୍ୟୁଲେଟର ନିକଟସ୍ଥ ଏକ କୋଠାରେ ରହୁଥିବା ଜଣେ ବ୍ୟକ୍ତି ଘଟଣାର ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ ।

ଏଥିରେ ସ୍ପଷ୍ଟ ଦେଖାଯାଉଥିଲା ଯେ ପ୍ଲାଷ୍ଟିର ଏକ ସାମଗ୍ରୀରେ କିଛି ଦସ୍ତାବିଜ ଅଣାଯାଉଥିଲା ଓ ଏହାକୁ ନିଆଁରେ ପକାଯାଉଥିଲା । ଏହାର କିଛି ସମୟ ପରେ ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ । ନିକଟରେ ରହୁଥିବା କିଛି ଲୋକ ବି ପହଞ୍ଚିଥିଲେ । ମାତ୍ର ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଇ ନ ଥିଲା । କନସ୍ୟୁଲେଟ୍ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

ସୋସିଆଲ ମିଡ଼ିଆରେ ଚୀନ କନସ୍ୟୁଲେଟ ଭିତରେ ନିଆଁକୁ ନେଇ ଯାବତୀୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କାଗଜପତ୍ର ଅତ୍ୟନ୍ତ ସମ୍ବେଦନଶୀଳ ଦସ୍ତାବିଜ ହୋଇଥାଇପାରେ ବୋଲି ଅନେକ ଆଶଙ୍କା କରିଛନ୍ତି ଏବଂ ସେଇଥିପାଇଁ ତାକୁ ଜଳାଇ ଦିଆଯାଇଛି ବୋଲି କେହିକେହି କହିଛନ୍ତି । ଯଦି ଅକସ୍ମାତ ନିଆଁ ଲାଗିଥିଲା, ତେବେ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାକୁ କାହିଁକି ସୁଯୋଗ ଦିଆଗଲା ନାହିଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ଚୀନ ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏ ସମ୍ପର୍କରେ ସୂଚନା ଦେବା ସହ ଏପରି ନିଷ୍ପତ୍ତିକୁ ପାଗଳାମୀ ବୋଲି କହିଛି ।

Comments are closed.