ସମ୍ବଲପୁର ଜେଲରେ ହାଇଦରର ବିଳାସମୟ ଜୀବନ ପ୍ରସଙ୍ଗ ଭିତ୍ତିହୀନ – ଜେଲର

ସମ୍ବଲପୁର: ସମ୍ବଲପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେଖ ହାଇଦାର ନାଟକୀୟ ଢ଼ଙ୍ଗରେ ଫେରାର ହେବା ଠାରୁ ଆରମ୍ଭ କରି ଧରାପଡିବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ସମେତ ଏହା ପୂର୍ବର ରହସ୍ୟ ଗୁଡିକର ଉପରୁ ପରଦା ଉଠାଇବା ପାଇଁ ବ୍ୟାପକ ତନାଘନା ଚାଲିଛି। ଏଭଳି ସ୍ଥିତିରେ ଏହି ଘଟଣାରେ ସମ୍ବଲପୁର ସର୍କଲ ଜେଲ ଏକ ପ୍ରମୁଖ ସୁତ୍ର ହୋଇଥିବାରୁ ଏହାକୁ ନେଇ ବେଶ ତନାଘନା ଚାଲିଥିବା ବେଳେ କିନ୍ତୁ ଜେଲ କତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ସାଧାରଣରେ ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରୁଛି। ଏଭଳି ଅନେକ ପ୍ରଶ୍ନର ଉତ୍ତର ଜେଲ କତ୍ତୃପକ୍ଷ ଉତ୍ତର ସ୍ପଷ୍ଟ ଭାବରେ ଦେଉ ନ ଥିବା ବେଳେ ସମ୍ବଲପୁର ଜେଲର ଆଲୋକ କର ଏହି ଘଟଣାରେ ତ୍ରୁଟି ଘଟି ନ ଥିବାର ଦାବି କରିଛନ୍ତି। ଏଭଳି ଦାବି ଜେଲ କତ୍ତୃପକ୍ଷଙ୍କ ତରଫରୁ କରାଯାଉଥିବା ବେଳେ କିନ୍ତୁ ଜେଲ ଭିତରେ ହାଇଦର ସହିତ ସଜା କାଟିଥିବା ଏକ କଏଦୀ ଜେଲ ମଧ୍ୟର ଅନେକ ଗୁମର କଥା ଖୋଲି କହିଥିବାରୁ ଏବେ ଏହି ଘଟଣାକୁ ନେଇ ପୁର୍ନବାର ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବଲପୁର ସର୍କଲ ଜେଲରେ ଝାରସୁଗୁଡା ଜିଲାରେ ଘଟିଥିବା ହତ୍ୟାକାଣ୍ଡର ଜଣେ ପୁରୁଣା କଏଦୀ କହିଛନ୍ତି ଯେ ହାଇଦରର ସେଲରେ ତାଲା ଲାଗୁ ନ ଥିଲା ଏବଂ ସେ ଏକ ରାଜା ଭଳି ରହୁଥିଲା। ଯିଏ ଯେତେବେଳେ ଚାହୁଁଥିଲା ତା ସହିତ ଭେଟ ହେଉଥିଲା, ଯାହା ତା ନିକଟକୁ ପଠା ଯାଉଥିଲା, ତାହା ମଧ୍ୟ ତୁରନ୍ତ ବିନା ଯାଞ୍ଚରେ ତା ନିକଟକୁ ପହୁଞ୍ଚୁଥିଲା। ଏକ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବରେ ୫ ବର୍ଷର ସଜା କାଟିଥିବା ତଥା ଜେଲ ମଧ୍ୟରେ ରୋଷେୟା ଭାବରେ କାର୍ଯ୍ୟ କରିଥିବା ଏହି କଏଦୀ ଜଣକ ଆହୁରୀ କହିଛନ୍ତି ଯେ, ସେ ଜେଲରେ ରନ୍ଧା ଯାଉଥିବା ଖାଦ୍ୟ ତାକୁ ଅନେକ ବାର ଦିଆଯାଇଥିବା ବେଳେ ସେ ତାହା ଖାଉ ନ ଥିବା ବେଳେ ତା ପାଇଁ ସ୍ୱତନ୍ତ୍ର ଭାବରେ ବିରିୟାନୀ, ମଟନ, ଚିକେନ ଆଦି ବିନା ରୋକଟୋକରେ ଜେଲ ବାହାରୁ ଆସୁଥିଲା। ହାଇଦର ଜେଲର ନିକଟକୁ ଇଚ୍ଛାନୁଯାୟୀ ଯାଇ ତାଙ୍କର ଚାମ୍ବରକୁ ଯାଇ ପାଖରେ ବସିବା, କଥାବାର୍ତ୍ତା ହେବା ସହିତ କୁଲର, ପଙ୍ଖା, ଟିଭି ଆଦିର ମଉଜ ନେଉଥିଲା। ତାର ସେଲରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଜେଲର ନିଜେ ଯାଇ ତାଙ୍କର ସୁବିଧା ଅସୁବିଧା ପଚାରି ବୁଝୁଥିଲେ।

ଆମେ ସାଧାରଣ କଏଦୀଙ୍କ ଭଳି ଜୀବନଯାପନ କରୁଥିବା ବେଳେ ତାକୁ କିନ୍ତୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଥିଲା। ସାଧାରଣ କଏଦୀଙ୍କ ପାଇଁ ସ୍ୱତନ୍ତ୍ର କୋଠୀରେ ମୁଲାକାତ ବ୍ୟବସ୍ଥା ରହିଥିବା ବେଳେ ହାଇଦରଙ୍କ ଜେଲ ର କାର୍ଯ୍ୟାଳୟରେ ମୁଲାକାତ ହେଉଥିଲା। ଜେଲ କତ୍ତୃପକ୍ଷ ତାଙ୍କୁ ଟଙ୍କା ପାଇଁ କିମ୍ବା ଗୁଣ୍ଡା ବଳରେ ଡରୁଥିଲେ ତାହା ମୁଁ ଜାଣି ନ ଥିବା ବେଳେ କିନ୍ତୁ ତାଙ୍କୁ ଜେଲର ସମର୍ଥନ କରୁଥିଲେ ବୋଲି କଏଦୀ ଜଣକ କହିଛନ୍ତି।

ଏ ସର୍ମ୍ପକରେ ସମ୍ବଲପୁର ସର୍କଲ ଜେଲର ଆଲୋକ କରଙ୍କୁ ପଚରାଯିବାରୁ ସେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ହାଇଦରକୁ ସୁରକ୍ଷା କଏଦୀ ରୂପେ ଅତି ସୁରକ୍ଷା ୱାର୍ଡ ମଧ୍ୟରେ ରଖାଯାଇଥିଲା। ସରକାରଙ୍କ ହାଇ ସିକ୍ୟୁରିଟି କଏଦୀମାନଙ୍କ ପାଇଁ ଯାହା ନିୟମ କରିଛନ୍ତି ତାହା ହିଁ ତାକୁ ଲାଗୁ କରାଯାଇଥିଲା। ତା ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟ ଓ ମୁଲାକାତର ଯେଉଁ କଥା କୁହାଯାଉଛି ତାହା ସମ୍ପୁର୍ଣ୍ଣ ଭିତ୍ତିହୀନ ଅଟେ। ଏହା ଏକ ସର୍କଲ ଜେଲ ଏବଂ ଏହା ଦୁର୍ଗ ଭଳି ଅଟେ। ୧୯ଟି ଉପକାରାଗାର ଗୁଡିକର ମୁଖ୍ୟାଳୟ ହେବା ସହିତ ଏଠାରେ ଡିଆଇଜିଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ୬୪ଟି ସିସିଟିଭିର ନଜର ସହିତ ଏପିଆର ପୁଲିସ ବାହିନୀ ୨୪ ଘଣ୍ଟା ଜଗିଛନ୍ତି, ୪ଟି ୱାଚ ଟାୱାର ରହିଛି। ଏହା ସହିତ ଏଠାକୁ ନିୟମିତ ଭାବରେ ଜିଲାପାଳ, ଏସପି, ମାଜିଷ୍ଟ୍ରେଟ, କୋର୍ଟର ଗାଡି ସମେତ ବିଭିନ୍ନ ପଦସ୍ଥ ପ୍ରଶାସନିକ, ଜେଲ, ପୁଲିସ, କୋର୍ଟ ଆଦି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଯାତାୟାତ କରିଥାନ୍ତି। ନିୟମିତ ଜେଲ ଡିଆଇଜି ମଧ୍ୟ ପରିଦର୍ଶନ କରିଥାନ୍ତି। ଏଭଳି ଏକ ଜନଗହଳି ଓ ଚଳଚଞ୍ଚଳ ସ୍ଥାନ ହୋଇ ସହିତ ସମସ୍ତଙ୍କ ନଜରରେ ରହିଥିବାରୁ ଏଠାରେ ଲୁକାୟିତ ଭାବରେ ବିଭିନ୍ନ କାର୍ଯ୍ୟ କରାଯାଇଥିବାର ଯାହା କୁହାଯାଉଛି, ତାହା ସମ୍ଭବପର ନୁହେଁ।

ଜେଲ ୱାର୍ଡର ଶିବ ନାରାୟଣ ନନ୍ଦଙ୍କ ଘନିଷ୍ଠ ସର୍ମ୍ପକ ହାଇଦର ସହିତ ଥିବାର ପୁଲିସ ତଦନ୍ତରେ ଜଣାପଡିଛି। ତେବେ ବିଭାଗୀୟ ଓ ପୁଲିସ ତଦନ୍ତ ପରେ ଏହା ବିଷୟରେ ସବିଶେଷ ଜଣାପଡିବ। ଜେଲରେ ରହୁଥିବା ସମୟରେ ୱାର୍ଡର ନନ୍ଦ ଓ ହାଇଦର ମଧ୍ୟରେ ସର୍ମ୍ପକ ରହିଥିବାର ଜଣା ନ ଥିବା ବେଳେ ବିଗତ ବର୍ଷ ଗୁପ୍ତ ରିପୋର୍ଟ ଅନୁଯାୟୀ କଏଦୀମାନଙ୍କ ସହିତ କୌଣସି ସର୍ମ୍ପକ ରହିଥିବାର ସୂଚନା ପାଇବା ପରେ କିଛି ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ୨୦୧୮ ମସିହାରେ ଯେତେବେଳେ ହାଇଦର ସମ୍ବଲପୁର ଜେଲକୁ ଆସିଥିଲା, ସେ ସମୟରେ ସରକାରୀ ପ୍ରଣାଳୀ ଅନୁଯାୟୀ ତତ୍କାଳୀନ ଡାକ୍ତର ଚିତ୍ତରଞ୍ଜନ ମହାପାତ୍ର ମଧ୍ୟ ଅନେକ ପ୍ରକାରର ରୋଗ ରହିଥିବାର ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେ ଏହା ସହିତ କଟକର ଏସସିବି ମେଡିକାଲରେ ବିଭିନ୍ନ ବିଭାଗରେ ଚିକିତ୍ସିତ ହେଉଥିବାର ଡାକ୍ତର ମହାପାତ୍ର ସେ ସମୟରେ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହିତ ହାଇଦର ଆସିଲା ସମୟରେ ତାର ଚିକିତ୍ସା ସମ୍ବନ୍ଧୀୟ ଏକ ବଡ ଫାଇଲ ନେଇ ଆସିଥିଲା। ତାର ବଳରେ ସେ ବିଭିନ୍ନ ସମୟରେ ଭିମସାରକୁ ମଧ୍ୟ ଯାଇ ବିଭିନ୍ନ ବିଭାଗରେ ଚିକିତ୍ସିତ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ବିଭାଗ ଏବଂ ବିଭିନ୍ନ ସ୍ତରରେ ତଦନ୍ତ କରାଯାଉଥିବା ବେଳେ ଯାହାର ଭୁଲ ଥିବ ସେ ଦଣ୍ଡ ନିହାତି ପାଇବ ବୋଲି ଜେଲର ଶ୍ରୀ କର କହିଛନ୍ତି।

ହାଇଦର ଫେରାର ମାମଲାରେ ନିୟମିତ ନୁଆ ନୁଆ କଥା ପଦାକୁ ବାହାରୁଥିବା ବେଳେ ଏ ପର୍ଯ୍ୟନ୍ତ ଯେଭଳି ଭାବରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର କଥା, ତାହା ପରିଲକ୍ଷିତ ହୋଇ ନାହିଁ। ଅନେକ ହାଇପ୍ରୋଫାଇଲ ମାମଲା ଭଳି ଏହି ମାମଲାରେ ମଧ୍ୟ ପ୍ରାଥମିକ ସ୍ତରରେ ତଳିଆ କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ କିନ୍ତୁ ଏହି ଘଟଣାର ୧୨ ଦିନ ବିତିଯିବା ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ବିଭାଗର ବଡ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ଏବେ ମଧ୍ୟରେ ସାଧରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ପର୍ଦ୍ଦା ଆଢ଼ୁଆଳ ମଧ୍ୟରେ ରହିଛି।

Comments are closed.