ପଞ୍ଚାୟତ ଦେୟ ପୈଠ କରିବାକୁ ମୂଲ ଲାଗୁଛନ୍ତି ମହିଳା ସରପଞ୍ଚ

ହାଇଦରାବାଦ : ପଞ୍ଚାୟତରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ନିମନ୍ତେ କରାଯାଇଥିବା ଋଣ ଅର୍ଥ ପରିଶୋଧ କରିବାକୁ ଜଣେ ମହିଳା ସରପଞ୍ଚ ଦିନମଜୁରିଆ ଭାବରେ କାମ କରିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଅର୍ଥ ସରକାର ପୈଠ କରିବା କଥା, କିନ୍ତୁ ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉଦାସୀନତା ଅବଲମ୍ବନ କରୁଥିବାରୁ ମହିଳା ସରପଞ୍ଚ ଅନିତା (୩୨) ଶେଷରେ ନିଜେ ଶ୍ରମିକ ଭାବରେ କାମ କରି ଉକ୍ତ ଅର୍ଥ ପରିଶୋଧ କରୁଛନ୍ତି। ଜଣାଯାଇଛି ଯେ ଗ୍ରାମରେ ବିକାଶମୂଳକ କାର୍ଯ୍ୟ କରିବାକୁ ଅନିତା ୮ ଲକ୍ଷ ଟଙ୍କା ଋଣ କରିଥିଲେ। କାମ ସରିବା ପରେ ସେ ଉକ୍ତ କାମର ବିଲ୍‍ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ସେହି ଅର୍ଥ ତାଙ୍କୁ ମିଳିନାହିଁ। ତାଙ୍କ ପଞ୍ଚାୟତକୁ ପୂର୍ବରୁ ଆସୁଥିବା ଅର୍ଥକୁ ସେ ଋଣଦାତା ଏବଂ ଠିକାଦାରମାନଙ୍କୁ ପ୍ରଦାନ କରିଥାନ୍ତି। ପରେ ସରକାରୀ ତହବିଲରୁ ଟଙ୍କା ଆସିଲେ ସେ ଋଣ ଦାତାଙ୍କୁ ତାହା ପରିଶୋଧ କରିଥାନ୍ତି।
ଏହି ଘଟଣା ଆନ୍ଧ୍ରପ୍ରଦେଶର ହୋଇଥିବାବେଳେ ଏବେ ସର୍ବସମ୍ମୁଖକୁ ଆସିଛି। ଉକ୍ତ ରାଜ୍ୟର ହାନାମକୋଣ୍ଡା ଜିଲା ଅନ୍ତର୍ଗତ ବିଶ୍ୱନାଥ କଲୋନୀ ଏକ ନୂଆ ଗ୍ରାମପଞ୍ଚାୟତ ଭାବରେ ତିନିବର୍ଷ ପୂର୍ବେ ସୃଷ୍ଟି କରାଯାଇଥିଲା। କିନ୍ତୁ ସରକାରୀ ଉଦାସୀନତା କାରଣରୁ ତାଙ୍କ ପଞ୍ଚାୟତ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଅନିତା ଶାସକ ଟିଆରଏସ୍‍ ଦଳର ସଦସ୍ୟା ଏବଂ ସେ ୨୦୨୦ରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ସରକାର ପଞ୍ଚାୟତକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବା ପରେ ଗତ ଦୁଇବର୍ଷ ମଧ୍ୟରେ ପଞ୍ଚାୟତରେ ଖର୍ଚ୍ଚ ହୋଇଥିବା ବିଲ୍‍ ପୈଠ କରାଯାଇପାରିନାହିଁ। ଏହାଫଳରେ ଅନେକ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଅନିତା ଯେଉଁମାନଙ୍କ ନିକଟରୁ ଟଙ୍କା ଧାର ଆଣିଥିଲେ ସେମାନେ ତାଙ୍କୁ ଟଙ୍କା ମାଗିବାରୁ ଅନିତା ନିଜେ ଦିନ ମଜୁରିଆ ଭାବରେ କାମ କରି ସେମାନଙ୍କ ଅର୍ଥ ପରିଶୋଧ କରୁଛନ୍ତି।

Comments are closed.