ହାଇଦ୍ରାବାଦ ମାମଲାକୁ ନେଇ ସଂସଦରେ ଉଦ୍‌ବେଗ; ଅଭିଯୁକ୍ତଙ୍କୁ ଡିସେମ୍ବର ୩୧ ପୂର୍ବରୁ ମୃତ୍ୟୁଦଣ୍ଡ ଦେବାକୁ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର କରାଯିବା ପରେ ଜୀବନ୍ତ ପୋଡ଼ି ହତ୍ୟା କରିବା ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋମବାର ଏହି ମାମଲା ସଂସଦରେ ଉଠିଛି। ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ​‌ ନେତା ଗୁଲାମନବୀ ଆଜାଦ ଏହି ମାମଲା ଉଠାଇବା ସହିତ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ଲୋକସଭାରେ ବାଚସ୍ପତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ଦେଶବ୍ୟାପୀ ଯେଉଁଭଳି ଘଟଣା ଘଟୁଛି ତାହାକୁ ନେଇ  ସଂସଦ ବି ଚିନ୍ତିତ ବୋଲି ସେ କହିଛନ୍ତି। ରାଜ୍ୟସଭାରେ ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ହାଇଦ୍ରାବାଦ ମାମଲାରେ କହିଥିଲେ ଯେ, ଏହା ଏଭଳି ଏକ ସମୟ ଯେଉଁଠି ଲୋକମାନେ ଚାହୁଁଛନ୍ତି ସରକାର ଉଚିତ ଏବଂ ନିଶ୍ଚିତ ଜବାବ ଦେବା ଆବଶ୍ୟକ। ଏପରି ରାକ୍ଷସଙ୍କୁ ଜନତାଙ୍କୁ ହସ୍ତାନ୍ତର କରିଦିଅ ଏବଂ ଜନତା ପିଟି ପିଟି ସେମାନଙ୍କୁ ମାରି ଦିଅନ୍ତୁ। ଏଆଇଏଡିଏମକେ ସାଂସଦ ବିଜିଲା ସତ୍ୟନାଥ କହିଛନ୍ତି, ମହିଳା ଏବଂ ଶିଶୁମାନଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ। ଏଭଳି ଅପରାଧ କରିଥିବା ୪ ଅଭିଯୁକ୍ତଙ୍କୁ ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବରୁ ମୃତ୍ୟୁଦଣ୍ଡ ଦେବା ଉଚିତ। ଏହି ମାମଲାର ବିଚାର ପାଇଁ ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରିବା ଦରକାର। ନ୍ୟାୟ ଦେବାରେ ବିଳମ୍ବ କରିବା ଅନ୍ୟାୟ ବୋଲି ସେ କହିଛନ୍ତି।

Comments are closed.