ହାଇଦରାବାଦ ଏନକାଉଣ୍ଟର ଘଟଣା : ସୁପ୍ରିମକୋର୍ଟ ଗଲେ ୪ ମୃତ ଅଭିଯୁକ୍ତଙ୍କ ପରିବାର

ନୂଆଦିଲ୍ଲୀ : ହାଇଦରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ମାମଲାରେ ୪ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ସେମାନେ ଏନକାଉଣ୍ଟରରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛନ୍ତି।
ସୂଚନା ମୁତାବକ, ୪ ଜଣ ମୃତ ଅଭିଯୁକ୍ତଙ୍କ ପରିବାର ଲୋକେ ଗୁରୁବାର ସୁପ୍ରିମ କୋର୍ଟ ଯାଇ ଏକ ମାମଲା ରୁଜୁ କରିଛନ୍ତି। ସେମାନେ ସଂପୃକ୍ତ ପୁଲିସ କର୍ମୀଙ୍କ ନାମରେ ଏଫଆଇଆର ଦେବା ସହ ଘଟଣାର ତଦନ୍ତ ପାଇଁ ଦାବୀ କରିଛନ୍ତି।


ଉଲ୍ଲେଖ ଯୋଗ୍ୟ, ଗତ ୨୭ ତାରିଖ ରାତି ୯ଟା ୨୦ରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିବାରେ ସାହାଯ୍ୟ କରିବାକୁ ପ୍ରଲୋଭିତ କରିଥିଲେ। ପରେ ତାଙ୍କୁ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ସାଢ଼େ ୧୦ଟାବେଳକୁ ତାଙ୍କୁ ପୋଡ଼ି ମାରିଦେଇଥିଲେ। ଇଟା ବୋଝେଇ ଟ୍ରକ୍‌ କର୍ମଚାରୀ ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ଜଣାପଡିଥିଲା । ସ୍କୁଟର ପଙ୍କଚର ହୋଇଯିବା ପରେ ଡାକ୍ତରାଣୀ ତାଙ୍କ ଭଉଣୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଥା ସରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିକଟସ୍ଥ ଏକ କାନ୍ଥ ନିକଟକୁ ଟେକି ନେଇ ବଳାତ୍କାର କରିଥିଲେ। ୯ଟା ୪୫ବେଳକୁ ଡାକ୍ତରାଣୀଙ୍କ ଫୋନ୍‌ ବନ୍ଦ କରିଦେଇଥିଲେ। ପରେ ୧୦ଟା ୨୦ ସୁଦ୍ଧା ସେମାନେ ତାଙ୍କୁ ହତ୍ୟା କରିଥିଲେ। ୧୦ଟା ୨୮ରେ ତାଙ୍କ ମୃତଦେହକୁ ନିଜ ଗାଡ଼ିରେ ରଖି ପଳାଇଥିଲେ। ଅପରପକ୍ଷରେ ଆରିଫ ଓ ନବୀନ ଡାକ୍ତରାଣୀଙ୍କ ଗାଡ଼ିକୁ ନିକଟସ୍ଥ କୋଠୁର ଗ୍ରାମକୁ ନେଇ ଏହାର ନମ୍ବର ପ୍ଲେଟ୍‌ ଖୋଲି ଛାଡ଼ି ପଳାଇଥିଲେ। ମୃତଦେହ ନେଇ ଯାଇଥିବା ଅନ୍ୟ ଦୁଇ ଜଣ ବାଟରେ ପେଟ୍ରୋଲ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ରାତି ପ୍ରାୟ ୨ଟା ୩୦ ସୁଦ୍ଧା ସେମାନେ ଚେତନପାଲୀରେ ମୃତଦେହକୁ ଏକ ପୋଲ ନିକଟରେ ପୋଡ଼ିଦେଇଥିଲେ। ପରେ ସେମାନେ ହାଇଦରାବାଦ ଫେରି ଅଟ୍ଟାପୁରଠାରେ ଟ୍ରକ୍‌ରୁ ଇଟା ଖଲାସ କରି ଫେରାର ହୋଇଯାଇଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ପୁଲିସ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବା ବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା।

Comments are closed.