ହାଇଦର ଫେରାର ଘଟଣା ; ସଭିଏଁ ନିଜ ବିଫଳତା ଲୁଚାଇବାରେ ବ୍ୟସ୍ତ 

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବାର ୩ ଦିନରୁ ଅଧିକ ସମୟ ବିତିଯିବା ସତ୍ୱେ ରାଜ୍ୟ ପୁଲିସ ଏ ପର୍ଯ୍ୟନ୍ତ ତାହାର କିଛି ସନ୍ଧାନ ପାଇପାରିନାହିଁ। ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀ ହସପିଟାଲରୁ ଖସିପଳାଇବା ଘଟଣାରେ ସମ୍ବଲପୁର ଜେଲ, ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ଭାବମୂର୍ତ୍ତିରେ ଆଞ୍ଚ ଆସିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ବିଭାଗଗୁଡିକ ନିଜର ବିଫଳତାକୁ ଲୁଚାଇବାରେ ବ୍ୟସ୍ତ ରହିଛନ୍ତି। ଏହି ଘଟଣାକୁ ନେଇ ସମ୍ବଲପୁରରେ କୌଣସି ବିଭାଗ ମୁହଁ ଖୋଲିବାକୁ ରାଜି ନାହାନ୍ତି। ଭିମସାର କର୍ତ୍ତୃପକ୍ଷ ନିଜର ଦୋଷ ଲୁଚାଉଥିବା ବେଳେ ପରବର୍ତ୍ତୀ ସମୟରେ ରେଫରାଲ ପତ୍ର ଏବଂ ରେଜିଷ୍ଟାର ତଥ୍ୟ ପଦାକୁ ଆସିଛି। ଏଭଳି ଅନେକ ପ୍ରକାରର ବିଭାଗୀୟ ଭୁଲ ଗୁଡିକ ଧିରେ ଧିରେ ସମ୍ମୁଖକୁ ଆସୁଥିବା ବେଳେ ଏବେ ସବୁ ବିଷୟକୁ ପର୍ଦ୍ଦା ଆଢ଼ୁଆଳରେ ରଖିବାକୁ ପ୍ରବଳ ଚେଷ୍ଟା ଚାଲିଛି।

ଫେରାର ପାଇଁ ବଡ ଡିଲ :

ହାଇଦର ଫେରାର ହେବା ପଛରେ ଅନେକ ପ୍ରକାରର ବିଷୟ ସମ୍ମୁଖକୁ ଆସୁଥିବା ବେଳେ ଏଥିପାଇଁ ଏକ ବଡ ଧରଣର ଡିଲ ସମ୍ବଲପୁରରେ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ହୋଇଥିବା ଜଣାପଡୁଛି। ଏଥିପାଇଁ ହାଇଦରର କିଛି ସମ୍ପର୍କୀୟ ବଲାଙ୍ଗୀର ଦେଇ ସମ୍ବଲପୁର ଆସି ଏଠାରେ କିଛି ଦିନ ଭଡାରେ ରହିଥିବାର କୁହଯାଉଛି। ସେମାନେ ସମ୍ବଲପୁରରେ ଅବସ୍ଥାନ ସମୟରେ ଏହି ଷଡଯନ୍ତ୍ରର ମୂଳଦୁଆ ପଡିଥିଲା। ହାଇଦରର ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଜଡିତ ବିଭାଗ ଗୁଡିକର କିଛି କର୍ମଚାରୀମାନଙ୍କୁ ହାତବାରିଶ କରି ଷଡଯନ୍ତ୍ରକୁ ଚୂଡାନ୍ତ ରୂପ ଦିଆଯାଇଥିଲା ବୋଲି କୁହାଯାଉଥିବା ବେଳେ ପୁଲିସର ନିରବତା ଏହାକୁ ବଳ ପ୍ରଦାନ କରୁଛି।

ହୋଟେଲରେ ରହିଥିଲା ପୁଲିସ ଏସକର୍ଟ ଦଳ :

ହାଇଦର ମାମଲାରେ ଅନେକ ନିୟମ ଉଲ୍ଲଂଘନ କରିଥିବା ସମ୍ବଲପୁର ପୁଲିସର ଏସକର୍ଟ ଦଳ କଟକ ପୁଲିସକୁ ବିନା ସୁଚାଇ ମଙ୍ଗଳାବାଗର ଏକ ହୋଟେଲରେ ରହିଥିବାର ଜଣାପଡିଛି। ଏସକର୍ଟ ଦଳ ପ୍ରଥମ ଦିନ ଉକ୍ତ ହୋଟେଲରେ ୮ ଜଣଙ୍କ ପାଇଁ ୨ଟି ରୁମ ବୁକ କରିଥିବା ବେଳେ ତହିଁ ପରଦିନ ଗୋଟିଏ ରୁମ ଛାଡି ଦେଇଥିଲେ। ପରବର୍ତ୍ତୀ ସମୟରେ ୧୦ ଦିନ ବାବଦକୁ ୧୪ ହଜାର ୪୦୦ ଟଙ୍କା ପଇଠ କରିଥିବାର କୁହାଯାଉଛି। ସାଧାରଣତଃ ହାଇଦର ଭଳି ହାଇପ୍ରୋଫାଇଲ ମାମଲାରେ ଡାକ୍ତରଖାନା ରହିଥିବା ଅଞ୍ଚଳର ଥାନାକୁ ସୂଚନା ଦିଆଯିବା ସହିତ ଏସକର୍ଟ ଦଳର ରହିବା ଖାଇବା ବ୍ୟବସ୍ଥା ସଂପୃକ୍ତ ଥାନା ପକ୍ଷରୁ କରାଯିବାର ପ୍ରାବଧାନ ରହିଛି। କିନ୍ତୁ ଏହି ହାଇପ୍ରୋଫାଇଲ ମାମଲାରେ ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଅନ୍ୟ ପଟରେ ପୁଲିସ ୩ ଦିନ ବିତିଯିବା ସତ୍ୱେ ମୁହଁ ନ ଖୋଲିବା ଏଭଳି ସନ୍ଦେହକୁ ଦୃଢିଭୁତ କରୁଛି।

ଜେଲ ମାନୁଆଲ ଖୋଲାଖୋଲି ଉଲ୍ଲଂଘନ :

ଜେଲ ମାନୁଆଲ ଅନୁଯାୟୀ କୌଣସି କୁଖ୍ୟାତ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପାଇଁ ଜେଲରୁ କୌଣସି କାରଣରୁ ବାହାରକୁ ବାହାରିଲେ ସମସ୍ତ ପ୍ରକାରର ସୁରକ୍ଷା ସମେତ ଅନ୍ୟାନ୍ୟ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ସମ୍ବଲପୁର ଜେଲରୁ ହାଇଦରକୁ କଟକ ଏସସିବି ପଠାଇବାରେ ବ୍ୟାପକ ଅନିମୟତା କରାଯାଇଥିବାର ଅଭିଯୋଗ ହେଉଛି। ଏ ସର୍ମ୍ପକରେ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କଲେ ସୁଦ୍ଧା କେହି ମୁହଁ ଖୋଲିବାକୁ ରାଜି ହେଉ ନାହାନ୍ତି। ଅପର ପକ୍ଷରେ ସମ୍ବଲପୁର ପୁଲିସ ପକ୍ଷରୁ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ କିଛିଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଜେଲ ଅଧିକାରୀଙ୍କର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବଲପୁର ପୁଲିସର ଖାମଖିଆଲି ନିତି ଏବେ ପଡୁଛି ଭାରି :

ଜେଲରୁ କୌଣସି ଦୁର୍ଦ୍ଦାନ୍ତ ଅପରାଧି ବାହାରକୁ ବାହାରିଲେ ତାକୁ ସୁରକ୍ଷିତ ଭାବରେ ନିଆ ଅଣାର ଗୁରୁଦାୟିତ୍ୱ ଉକ୍ତ ଜିଲାର ପୁଲିସ ରହିଥାଏ। ହାଇଦର ଭଳି ଅପରାଧିକୁ ଜେଲରୁ ନିଆଯିବା ସମୟରେ ଅତି କମରେ ଜଣେ ଦକ୍ଷ ଏସଆଇ ପାହ୍ୟାର ଅଧିକାରୀଙ୍କ ସମେତ ଅନ୍ୟ ପୁଲିସ ବଳ ସୁରକ୍ଷା ଦାୟିତ୍ୱରେ ରହିବା ଉଚିତ। ଏହା ସହିତ ପୁଲିସ ମାନୁଆଲ ଅନୁଯାୟୀ ଏସକର୍ଟ ଡ୍ୟୁଟି ସମୟରେ ରାସ୍ତାରେ ପଡୁଥିବା ଥାନା ଗୁଡିକୁ ପୂର୍ବ ସୂଚନା, ସବୁ ବେଳେ ସଜାଗ ରହିବା, କାହାରି ଠାରୁ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନ କରିବା, ଡାକ୍ତରଖାନା ରହିଥିବା ଅଞ୍ଚଳର ଥାନାକୁ ସୂଚନା ଆଦି ଅନେକ ନିୟମ ରହିଥିବା ବେଳେ ସର୍ବନିମ୍ନ ନିୟମ ମଧ୍ୟ ପାଳନ କରାଯାଇ ନାହିଁ। କିନ୍ତୁ ସମ୍ବଲପୁରରୁ ହାଇଦର ବାରମ୍ବାର କଟକ ଯାଉଥିବା ବେଳେ ଏଥି ପ୍ରତି ଏସପିଙ୍କ ସମେତ କୌଣସି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନ ଥିବାରୁ ଏବେ ନେଡି ଗୁଡ କହୁଣୀକୁ ବହିଯାଇଛି।

ଭିମସାରର ରେଫର ଚିଠିରେ ନାହିଁ ତାରିଖ :

‘ସମାଜ’କୁ ହସ୍ତଗତ ହୋଇଥିବା ଭିମସାରରୁ ହାଇଦରକୁ କଟକ ରେଫର କରାଯାଇଥିବା ଚିଠିରେ କୌଣସି ତାରିଖ ଉଲ୍ଲେଖ୍ ନଥିବା ନଜରକୁ ଆସିଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ଭିମସାର କତ୍ତୃପକ୍ଷ ସମ୍ପୁର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି।

ରାଜ୍ୟ ବାହାରେ ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଦଳ :

ହାଇଦର ଫେରାର ହେବା ପରେ ସମ୍ବଲପୁର ସହିତ ଏହି ଘଟଣା ପୁଙ୍ଖାନୁପୁଙ୍ଖ ଜଡିତ ଥିବାରୁ ସମ୍ବଲପୁର ପୁଲିସ ପକ୍ଷରୁ ନିଜ ଭାବମୂର୍ତିକୁ ସୁଧାରିବା ପାଇଁ ଗଠିତ ଦଳ ଗୁଡିକ ବିଭିନ୍ନ ସ୍ଥାନକୁ ରବିବାର ଠାରୁ ପ୍ରେରିତ ହୋଇଛନ୍ତି। ପୁଲିସର ଦଳଗୁଡିକ ଏବେ ରାଜ୍ୟ ବାହାର ମୁହାଁ ହୋଇଛନ୍ତି। ତେବେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଦଳ ଗୁଡିକୁ ଚଢ଼ଉ କରିବା ସତ୍ୱେ ଏ ପର୍ଯ୍ୟନ୍ତ କାଣିଚାଏଁ ସଫଳତା ମିଳି ପାରି ନ ଥିବାର ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

ତଳିଆ କର୍ମଚାରୀଙ୍କ ଉପରେ ଅଠା ବୋଳିବାର ପ୍ରୟାସ :

ସାଧାରଣତଃ ଏଭଳି ମାମଲାରେ ତଳିଆ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦି ଉପରିସ୍ଥ ଅଧିକାରୀମାନେ ଖସି ଯାଇଥାନ୍ତି। ଠିକ ସେହି ନିତିରେ କାର୍ଯ୍ୟ ଚାଲିଥିବାର ଜଣାପଡିଛି। ହାଇଦର ଫେରାର ମାମଲାରେ ଧିରେ ଧିରେ ସମ୍ବଲପୁର ପୁଲିସର ଗୁମର ଫିଟୁଥିବା ବେଳେ ଏହି ମାମଲାରେ ୬ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯାଇ ସେମାନଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା ଚାଲିଛି। ଗ୍ୟାଙ୍ଗଷ୍ଟରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ସର୍ବନିମ୍ନ ଗାଇଡ ଲାଇନକୁ ମଧ୍ୟ ପାଳନ କରାଯାଇ ନ ଥିବା ପ୍ରାଥମିକ ବିଭାଗୀୟ ଯାଞ୍ଚରୁ ଜଣାପଡିଥିବା ବେଳେ ଦାୟିତ୍ୱବାନ ଉପରିସ୍ଥ ଅଧିକାରୀମାନେ ନିଜର ଦୋଷକୁ ଲୁଚାଇ ତଳିଆ କର୍ମଚାରୀଙ୍କ ଉପରେ ପକାଇବାକୁ ଉଦ୍ୟମ କରୁଥିବାର କୁହାଯାଉଛି।

Comments are closed.