ଗ୍ରୀନକାର୍ଡ କରିଦେବା ଠକେଇ ଘଟଣାରେ ପତିପତ୍ନୀ ଗିରଫ, କାର ଜବତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ, ତୋରାଣିପୋଖରି, ଚିକିଣିଆ, ମନୋହରପୁର, ପର୍ଶୁରାମପୁର ଓ ଅସନବଣି ଆଦି ଆଖପାଖ ଗ୍ରାମର ମହିଳାଙ୍କୁ ଗ୍ରୀନକାର୍ଡ କରାଇଦେବା ସହ ୨ ଲକ୍ଷ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଜଣେ ମହିଳା ଓ ତାଙ୍କ ଦ୍ବିତୀୟ ସ୍ବାମୀ ଶହଶହ ମହିଳାଙ୍କୁ ଠକି ଜଣ ପ୍ରତି ୫ ହଜାର ଟଙ୍କା ଲେଖାଏଁ ଠକି ନେଇଛନ୍ତି । ମହିଳାମାନେ ଠକେଇର ଶୀକାର ହୋଇଥିବା ଜାଣି ଗତକାଲି ଚିକିଣିଆରେ ସଂପୃକ୍ତ ମହିଳା ସନ୍ତୋଷିନୀ ମହାନ୍ତଙ୍କୁ ଅଟକ ରଖିଥିଲେ । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଚିକିଣିଆ ଗ୍ରାମରୁ ଘଟଗାଁ ଥାନାକୁ ନେଇ ପଚରାଉଚରା କରିଥିଲେ । ଶତାଧିକ ମହିଳାଙ୍କୁ ଠକେଇ ମାମଲାରେ ପୁଲିସ ନିକଟରେ ବହୁ ଅଭିଯୋଗ ପହଞ୍ଚିଥିଲେ ମଧ୍ୟ ଆଜି ଅପରାହ୍ନ ସୁଦ୍ଧା ସନ୍ତୋଷିନୀ ମହାନ୍ତ ଓ ତାଙ୍କ ଦ୍ବିତୀୟ ସ୍ବାମୀ ଘଟଗାଁ ବ୍ଲକ ସରାସପଶି ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଯୋଗେଶ୍ଵର ମହାନ୍ତ(୩୯) ମୋଟ ୮ ଲକ୍ଷ ୫୬ ହଜାର ୨ ଶହ ଟଙ୍କା ଠକି ନେଇଥିବା ପ୍ରମାଣ ପାଇବା ପରେ ଉଭୟଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ସୁଇପ୍ଟ୍ ଡିଜାୟାର କାରକୁ ମଧ୍ୟ ଜବଦ କରିଛନ୍ତି । ସନ୍ତୋଷିନୀ ଓ ଯୋଗେଶ୍ବର ଙ୍କ ନାମରେ ଘଟଗାଁ ଥାନା କେଶ ନଂ ୧୮ ମୂଳେ ପୁଲିସ ୪୨୦, ୫୦୬, ୩୪ ଆଇପିସି ମୂଳେ ଏମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗ୍ରାମ ରୋଜଗାର ସେବକ ଠକେଇରେ ଗିରଫ ହେବା ପରେ ଥାନା ରିପୋର୍ଟ ମିଳିଲେ ତାଙ୍କୁ କାର୍ୟ୍ୟରୁ ଅନ୍ତର କରାଯିବ ବୋଲି ଏବିଡିଓ ଚିତ୍ତରଞ୍ଜନ ନାୟକ ମତ ରଖିଛନ୍ତି ।

Comments are closed.