ପ୍ରେମିକା ସହିତ ସ୍ୱାମୀ ଫେରାର, ଏସପିଙ୍କ ନିକଟରେ ପତ୍ନୀଙ୍କ ଅଭିଯୋଗ

ସମ୍ବଲପୁର: ପତ୍ନୀକୁ ଛାଡି ପ୍ରେମିକା ସହିତ ସ୍ୱାମୀ ଫେରାର ହେବା ଏବଂ ନ୍ୟାୟ ପାଇଁ ସମ୍ପୃକ୍ତ ମହିଳା ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି। ସୋମବାର ପିଡିତା ମହିଳା ଅଞ୍ଜଳି ବାଗ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ଦେଇ ନ୍ୟାୟ ଦାବି କରିଛନ୍ତି।

ଅଞ୍ଜଳି ଦେଇଥିବା ଦାବିପତ୍ର ଅନୁଯାୟୀ, ସମ୍ବଲପୁର ଜିଲା ଧମା ଥାନା ଅର୍ନ୍ତଗତ ଜୟଘଣ୍ଟ ଗ୍ରାମ ନିବାସୀ ଅଞ୍ଜଳି ବାଗ ୧ ମେ ୨୦୧୯ରେ ସଙ୍ଖଳା ଗ୍ରାମ ନିବାସୀ ହେମନ୍ତ ସେଠଙ୍କ ସହିତ ବୈଦିକ ରିତିନିତି ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ତାଙ୍କର ପିତା ବିନୋଦ ବାଗ ନିଜର ସାମର୍ଥ୍ୟ ମତେ ଉପହାର ଦେଇ ଝିଅକୁ ଶଶୁର ଘରକୁ ବିଦା କରିଥିଲେ। କିଛି ଦିନ ଶଶୁର ଘରେ ଠିକଠାକ ରହିବା ପରେ ହେମନ୍ତ ଏକ ବାଇକ ଓ ଟଙ୍କା ବାପ ଘରୁ ଆଣିବା ପାଇଁ ଅଞ୍ଜଳିଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ତେବେ ଅଞ୍ଜଳି ଏଭଳି କରିବାକୁ ମନା କରିଦେବାରୁ ସେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ମାଡପିଟ କରିଥିଲେ। ଶଶୁର ଘର ଲୋକେ ସବୁ ଜାଣିଶୁଣି ମଧ୍ୟ ଚୁପ ରହିଥିଲେ। ପରେ ହେମନ୍ତ ଅଞ୍ଜଳିଙ୍କୁ ତାଙ୍କର ବାପ ଘରେ ଛାଡି ଦେଇ ଆସିଥିଲେ। ଏହା ପରେ ହେମନ୍ତ ତାଙ୍କର ପ୍ରେମିକା ସଶ୍ମିତାଙ୍କ ସହିତ ବୈଦାରକଣ୍ଟା ଗ୍ରାମରେ ରହୁଥିବାର ଅଞ୍ଜଳି ଓ ତାଙ୍କର ବାପ ଘର ଲୋକେ ଜାଣିବାକୁ ପାଇଥିଲେ। ଏଣୁ ସେମାନେ ହେମନ୍ତଙ୍କ ପିତା ଓ ଭାଇକୁ ଗୁହାରୀ କରିବାରୁ ସେମାନେ ହେମନ୍ତକୁ ଗ୍ରାମକୁ ଫେରାଇ ଆଣିଥିଲେ। ଏହା ପରେ ଗ୍ରାମରେ ଅନୁଷ୍ଠିତ ବୈଠକ ଅନୁଯାୟୀ ହେମନ୍ତ ଅଞ୍ଜଳିଙ୍କୁ ସାଥିରେ ରଖିବା ଓ ଅତ୍ୟାଚାର ନ କରିବା ପାଇଁ ରାଜି ହୋଇଥିଲେ।

ଏହା ପରେ ପୁର୍ନବାର ହେମନ୍ତ ଅଞ୍ଜଳିଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଥିଲା। ଏହା ପରେ ଅଚାନକ ସେ ଘର ଛାଡି ପଳାଇ ଯାଇଥିଲା। ପରେ ସେ ତାଙ୍କର ପ୍ରେମିକା ସହିତ ଥିବାର ଅଞ୍ଜଳି ଜାଣିବାକୁ ପାଇଥିଲେ। ଅନ୍ୟ ପଟରେ ହେମନ୍ତ ଗାୟବ ହେବା ପରେ ତାଙ୍କର ଶଶୁର ଘର ପରିବାର ତାଙ୍କୁ ଅଞ୍ଜଳିଙ୍କ ବାପ ଘର ଜୟଘଣ୍ଟରେ ଛାଡି ଦେଇଥିଲେ। ଏ ନେଇ ଅଞ୍ଜଳି ଧମା ଥାନାରେ ଗତ ମେ ୩ ତାରିଖରେ ମାମଲା ଦାୟର କରିଥିବା ବେଳେ କୌଣସି ସୁଫଳ ନ ମିଳିବାରୁ ସେ ବାଧ୍ୟ ହୋଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ପୂର୍ବରୁ ତାଙ୍କର ସ୍ୱାମୀ ତାଙ୍କୁ ମାରିବାକୁ ଚେଷ୍ଟା କରିଥିବା ବେଳେ ଜୀବନ ପ୍ରତି ବିପଦ ରହିଛି। ଏଣୁ ହେମନ୍ତକୁ ଉଚିତ ଦଣ୍ଡ ଦେବା ସହିତ ତାଙ୍କର ଭବିଷ୍ୟତର ଭରଣପୋଷଣର ବ୍ୟବସ୍ଥା କରି ଉଚିତ ନ୍ୟାୟ ପ୍ରଦାନ ପାଇଁ ଅଞ୍ଜଳି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

Comments are closed.