କରୋନା କଟକଣା : କୋଣାର୍କରୁ ଫେରିଲେ ଶତାଧିକ ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବା ଶତାଧିକ ପର୍ଯ୍ୟଟକ ରବିବାର ମନ୍ଦିର ଭିତରକୁ ପ୍ରବେଶ କରିନପାରି ନିରାଶରେ ଫେରିଥିବା ଜଣାପଡ଼ିଛି। ଏନେଇ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି। କରୋନା କଟକଣା ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ପ୍ରକାଶ ଯେ, କରୋନା ଯୋଗୁଁ ବିଶ୍ୱ ଐତିହ୍ୟ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ବ୍ୟବସାୟୀ ଜୀବିକା ହରାଇ ବସି ରହିଥିବାବେଳେ ବାରମ୍ବାର ଦାବି ପରେ ଗତ ସେପ୍ଟେମ୍ବର ୧ ତାରିଖରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କେତେକ ନିୟମ କଡ଼ାକଡ଼ି ପାଳନ କରାଯାଇ ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ଦୈନିକ ସୂର୍ଯ୍ୟ ମନ୍ଦିରକୁ ୨ ହଜାର ପର୍ଯ୍ୟଟକ ପ୍ରବେଶ ଲାଗି ବ୍ୟବସ୍ଥା କରାଯାଇଥିବାବେଳେ ଗୋଟିଏ ଥରରେ ସର୍ବାଧିକ ୧୦୦ ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ କରିବାକୁ ନିୟମ କରାଯାଇଥିଲା। ସେହିପରି ସମସ୍ତ ପର୍ଯ୍ୟଟକଙ୍କ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବାବେଳେ କେବଳ ଅନ୍‍ଲାଇନ୍‍ ମାଧ୍ୟରେ ଟିକଟ୍‍ କରିଥିବା ପର୍ଯ୍ୟଟକ ମନ୍ଦିର ପରିଦର୍ଶନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ୨ ମାସ ବିତିଥିଲେ ମଧ୍ୟ ଏହି ନିୟମରେ ପରିବର୍ତ୍ତନ କରାଯାଇନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ କୋଣାର୍କକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର କରୋନା କଟକଣା ଯୋଗୁଁ ଅଧିକାଂଶ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ନିରୋଜ ସିଂ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି।

Comments are closed.