ହାତୀ ଉପଦ୍ରବ ଜନିତ କ୍ଷତି ସହାୟତା ଅପେକ୍ଷାରେ ଶତାଧିକ ପରିବାର

ଯୋଡା: ୨୦୧୪ରୁ ହାତୀ ଉପଦ୍ରବ କାରଣରୁ ବଡବିଲ ଓ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଘରଦ୍ୱାର ହରାଇବା ସହ ବ୍ୟାପକ ଶସ୍ୟ କ୍ଷୟ କ୍ଷତି ଘଟଣାରେ ଶତାଧିକ କ୍ଷତିଗ୍ରସ୍ଥ ପରିବାର ଅଦ୍ୟାବଧି ବ୍ୟବସ୍ଥା ମୁତାବକ ସହାୟତା ରାଶି ପାଇନଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର କେବଳ ମୂଲ୍ୟାୟନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାର ଅଭିଯୋଗ କରିଛନ୍ତି ଯୋଡା ବ୍ଲକ ବଲାଣୀ ପଞ୍ଚାୟତ ଅନ୍ତର୍ଗତ କୋହ୍ଲ-ପଣ୍ଡୁଳି ଗ୍ରାମର ବୁଧୁରାମ ମୁଣ୍ଡା ନାମକ ଜୈନିକ କ୍ଷତିଗ୍ରସ୍ଥ। ତାଙ୍କ ଅଭିଯୋଗ ଅନୁଯାୟୀ,୨୦୧୪ରେ ହାତୀପଲ ତାଙ୍କର ପ୍ରାୟ ୫୦ ଡିସିମିଲ ଧାନ ଫସଲ ଖାଇ ଦଳି ଚକଟି ନଷ୍ଟ କରିଥିବା ସମୟରେ ସମ୍ପୃକ୍ତ ଗ୍ରାମର କରମ ସିଂହ, ରାଉତୁ ମୁଣ୍ଡା ଓ ରାଘବ ଆପଟଙ୍କ ୩୫,୨୦ ଓ ୨୫ ଡିସିମିଲ ଧାନ ଓ ମକା ଫସଲ ହାତୀପଲ ନଷ୍ଟ କରିଥିଲେ। ବଡବିଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅଞ୍ଚଳରେ ସମ୍ପୃକ୍ତ ଘଟଣାରେ ଅଦ୍ୟାବିଧି କ୍ଷତିଗ୍ରସ୍ଥ ପରିବାରଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇନାହିଁ।

ସେହିଭଳି ୨୦୧୮ ଅକ୍ଟୋବରରେ ହାତୀ ଉପଦ୍ରବ କାରଣରୁ ସମ୍ପୃକ୍ତ ଗ୍ରାମର ଚୈତନ ମୁଣ୍ଡା (୫୦ ଡିସିମିଲ) ସମେତ ମଧୁସୂଦନ ମୁଣ୍ଡା ଓ ବିନୁ ମୁଣ୍ଡାଙ୍କ ୩୦ ଡିସିମିଲ ଲେଖାଏଁ,ରାଜୁ ମୁଣ୍ଡା ଓ ସାମନ ମୁଣ୍ଡାଙ୍କ ୨୦ ଡିସିମିଲ ଲେଖାଏଁ ଓ ସୁରେଶ ମୁଣ୍ଡାଙ୍କ ୧୫ ଡିସିମିଲ ନଷ୍ଟ ହୋଇଥିବା ଧାନ ଫସଲ ପ୍ରତିବଦଳରେ ସହାୟତା ରାଶି ମଧ୍ୟ ପ୍ରଦାନ ହୋଇନାହିଁ। ଚମ୍ପୁଆ ଫରେଷ୍ଟ ରେଞ୍ଜରେ ୨୦୧୪ ଅଗଷ୍ଟରେ ହାତୀ ଉତ୍ପାତ କାରଣରୁ ଗୁରୁବେଡା ଗ୍ରାମର କ୍ରିଷ୍ଣା ମୁଣ୍ଡା ଓ ଅନ୍ୟ ଦୁଇ ଅଧିବାସୀଙ୍କ ବାସଗୃହ ଭାଙ୍ଗିତୁଟି ଯାଇଥିବା ସମୟରେ ଜଜାଙ୍ଗ ଗ୍ରାମର ପାଣ୍ଡିଆ ବସ୍ତିର ଉତ୍ତମ ନାୟକଙ୍କ ତେଜରାତି ଦୋକାନ ହାତୀପଲ ଆକ୍ରମଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେହିଭଳି କେତେକ ଝାଡଖଣ୍ଡି ହାତୀ ଦଳର ରାତି ଅଧିଆ ଉପଦ୍ରବ କାରଣରୁ ଫେବୃଆରୀ ୨୦୧୭ରେ ସମ୍ପୃକ୍ତ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଚମକପୁର ଓ ଶଙ୍କରପୁର ଗ୍ରାମର ବେଲ ମୁଣ୍ଡାଗୁରୁବାରୀ ମୁଣ୍ଡା ତଥା ଜୁଲାଇ ୨୦୧୭ରେ ଡଡୁଆଁ ଗ୍ରାମର ରାଧାକାନ୍ତ ବାରିକ୍‍ ଏବଂ ଗତ ବର୍ଷ ଅପ୍ରେଲ ମାସରେ ବିଲେଇପଦା କାରଣସାହିର କିଶନ ପୂର୍ତ୍ତୀ,କଣ୍ଡରା ଗ୍ରାମର ପୂର୍ଣ୍ଣ ମୁଣ୍ଡା ଓ ଜୀବନ ମୁଣ୍ଡାଙ୍କ ସମେତ ଜୁଗୁଡିଧର ଗ୍ରାମର ତ୍ରିବନ ମୁଣ୍ଡାଙ୍କ ଘରଦ୍ୱାର ଓ ଖାଦ୍ୟଶସ୍ୟ ନଷ୍ଟ ଘଟଣାରେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ରାଶି ପ୍ରାପ୍ତ ହୋଇନଥିବାର ଅଭିଯୋଗ ହୋଇଛି।

ସୂଚନା ଯୋଗ୍ୟ ଯେ,୨୦୧୧-୧୨ ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୬୮୦ ବନ୍ୟପ୍ରାଣୀ ମୃତ୍ୟୁର ଶିକାର ହୋଇଥିବା ସମୟରେ ହାତୀ ସଂଖ୍ୟା ୫୩୫। ତେବେ ଏହି ସମୟ ମଧ୍ୟରେ କେବଳ ହାତୀ ଉପଦ୍ରବ କାରଣରୁ ରାଜ୍ୟରେ ପ୍ରାୟ ୬୪୧୭ ବାସଗୃହ ନଷ୍ଟ ହୋଇଥିବା ସମୟରେ ଖାଦ୍ୟଶସ୍ୟ କ୍ଷୟକ୍ଷତିଜଙ୍ଗଲ ବିଭାଗ ସଠିକ୍‍ ମୂଲ୍ୟ ନିର୍ଦ୍ଧାରଣ କରିପାରିନାହିଁ। ସଂଶୋଧିତ ୧୯୭୨ ବନ୍ୟପ୍ରାଣୀ ସୁରକ୍ଷା ନୀତି ମୁତାବକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଘଟଣାରେ ସହାୟତା ରାଶି ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷକୁ ବୃଦ୍ଧି କରାଯାଇଥିବା ସମୟରେ ଗୁରୁତର ଆହତ କ୍ଷେତ୍ରରେ ସହାୟତା ରାଶି ୬୦,୦୦୦ରୁ ୨,୦୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Comments are closed.