ସାପ ଭଳି ମଣିଷ ବି ନିଜ ଶରୀରରେ ତିଆରି କରିପାରେ ବିଷ, ରହିଛି ସ୍ବତନ୍ତ୍ର ‘ଟୁଲକିଟ୍‌’

ଆପଣ କେବେ ଚିନ୍ତା କରିଛନ୍ତି ଯେ ମଣିଷ ନିଜ ଶରୀରରେ ବିଷ ସୃଷ୍ଟି କରିପାରିବ ? ତାହା ପୁଣି ସାପ ଭଳି। ଏହା ସତ୍ୟ ବୋଲି ଦାବି କରିଛନ୍ତି ଜାପାନର ବୈଜ୍ଞାନିକମାନେ। ମଣିଷ ଶରୀରରେ ଏଭଳି ଏକ ‘ଟୁଲ୍‌ କିଟ୍‌’ ରହିଛି, ଯାହାଦ୍ବାରା ବିଷ ସୃଷ୍ଟି ହୋଇପାରିବ। କେବଳ ମଣିଷ ନୁହେଁ, ଅନେକ ସ୍ତନ୍ୟପାୟୀ ପ୍ରାଣୀ ନିଜ ଶରୀରରେ ବିଷ ସୃଷ୍ଟି କରିପାରନ୍ତି। ଏଥିପାଇଁ ସେମାନଙ୍କ ଶରୀରର ସେହି ଜରୁରୀ ଅଂଶ ଆବ୍ୟଶକ ଅନୁସାରେ ବିକଶିତ ହେବା ଦରକାର ବୋଲି ସେମାନେ କହିଛନ୍ତି।

ଜାପାନର ବୈଜ୍ଞାନିକମାନେ କହିଛନ୍ତି ଯେ, ମଣିଷ ଯେକୌଣସି ସମୟରେ ଦୁନିଆର ସବୁଠୁ ବିଷାକ୍ତ ସାପ ରାଟେଲସ୍ନେକ୍‌ ଏବଂ ସବୁଠୁ ବିଷାକ୍ତ ସ୍ତନ୍ୟପାୟୀ ଡକବିଲ୍‌ ବା ପ୍ଲେଟିପସ୍‌ ଭଳି ହୋଇପାରେ। ମଣିଷ ଶରୀରର ପରିବର୍ତ୍ତନଶୀଳ ଜିନ ଯୋଗୁ ଏପରି ସମ୍ଭବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଜିନ୍‌ଗୁଡ଼ିକ ଲାଳ ଗ୍ରନ୍ଥିଗୁଡ଼ିକୁ ବିଷାକ୍ତ ଏବଂ ଅଣ-ବିଷାକ୍ତ ଜୀବ ଅନୁସାରେ ବିକଶିତ କରିଥାଏ।

ଜାପାନର ଓକିନାଭା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ହୋଇଥିବା ଏ ସମ୍ପର୍କିତ ଅଧ୍ୟୟନରେ ଗବେଷକ ଅଗ୍ନିଶ ବରୁଆ କହିଛନ୍ତି ଯେ, ଜୀବଜଗତରେ ଜିନ୍‌ଗୁଡ଼ିକର ପ୍ରଭାବ ଯୋଗୁ ଲାଳ ଗ୍ରନ୍ଥିଗୁଡ଼ିକ ୧୦୦ରୁ ଅଧିକ ଥର ବିକଶିତ ହୋଇଛି ଅଥବା ଆବଶ୍ୟକ ଅନୁସାରେ ବଦଳିଛି। ମଣିଷ ବି ସେହି ସ୍ତରର ବିଷ ସୃଷ୍ଟି କରିପାରିବେ। କେବଳ ଜିନ୍‌ ଯୋଗୁ ସେମାନଙ୍କ ଲାଳ ଗ୍ରନ୍ଥିଗୁଡ଼ିକ ସେହିପରି ବିକଶିତ ହେବା ଦରକାର। ମୁହଁରୁ ନିର୍ଗତ ବିଷ ବା ଓରାଲ ଭେନମ୍‌ ପ୍ରାଣୀ ଜଗତରେ ଏକ ସାଧାରଣ କଥା। ଏହା ଭିନ୍ନ ଭିନ୍ନ ପ୍ରାଣୀ ଯେପରି କି ମାଙ୍କଡ଼, ସାପ ଆଦିରେ ଆବଶ୍ୟକ ହିସାବରେ ବିକଶିତ ହୋଇଥାଏ।

image courtesy: aajtak

ଅଗ୍ନିଶ ଆହୁରି କହିଛନ୍ତି ଯେ, ସ୍ଲୋ ଲେରିସ୍‌ ମାଙ୍କଡ଼ ଶ୍ରେଣୀର ଏକମାତ୍ର ଜୀବ, ଯାହାର ମୁହଁରେ ବିଷ ଗ୍ରନ୍ଥି ରହିଛି। ମୁହଁରୁ ବାହାରୁଥିବା ବିଷ ଲାଳ ଗ୍ରନ୍ଥିଗୁଡ଼ିକର ବିକାଶର ପରିଣାମ ବୋଲି ଜୀବ ବିଜ୍ଞାନୀମାନେ କୁହନ୍ତି। କିନ୍ତୁ ଏହା ପଛରେ ମଲିକୁଲାର ମେକାନିକ୍‌ସ କାମ କରୁଛି ବୋଲି ଏବେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଅଷ୍ଟ୍ରେଲିଆର କୁଇନ୍‌ସଲାଣ୍ଡ  ବିଶ୍ଵବିଦ୍ୟାଳୟର ବାୟୋକେମିଷ୍ଟ ତଥା ବିଷ ବିଶେଷଜ୍ଞ ବ୍ରାଏନ ଫ୍ରାଇ କୁହନ୍ତି, ଏହି ତଥ୍ୟ ଅନ୍ତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହା ଜୀବ ବିଜ୍ଞାନୀମାନଙ୍କ ପାଇଁ ଏକ ମାଇଲ୍‌ଖୁଣ୍ଟ। ନ୍ୟାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମର ବିଷ ଗବେଷକ ରୋନାଲ୍ଡ ନେର କହୁନ୍ତି, ବିଷରେ ରହିଥିବା ବିଷାକ୍ତତା ଅନେକ ଜୀବଙ୍କଠାରେ ସମାନ ହୋଇଥାଏ। ଯେପରି କି ସେଣ୍ଟିପିଡ୍‌ର ବିଷ ସାପର ଅନେକ ପ୍ରଜାତିଙ୍କ ବିଷ ସହିତ ମେଳ ଖାଇଥାଏ।

ଅଗ୍ନିଶ କୁହନ୍ତି, ବିଷାକ୍ତତା ଯେକୌଣସି ଶରୀରରେ ଯେକୌଣସି ସମୟରେ ବିକଶିତ ହୋଇପାରେ। ଏହା ଅନେକ ରସାୟନିକ ପଦାର୍ଥର ଜଟିଳ ମିଶ୍ରଣ। ଏହି ଅଧ୍ୟୟନରେ ସାମିଲ ଥିବା ଅନ୍ୟତମ ଗବେଷକ ଆଲେକ୍‌ଜାଣ୍ଡର ମିଖେୟେଭ କହିଛନ୍ତି, ମଣିଷ ସମେତ ଅନେକ ଜୀବଙ୍କଠାରେ ଏକ ହାଉସକିପିଂ ଜିନ୍‌ ରହିଛି, ଯାହା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ, କିନ୍ତୁ ତାହା ବିଷ ହୋଇ ନ ଥାଏ।

ମଣିଷ ସାପଙ୍କ ଭଳି ବିଷ ସୃଷ୍ଟି କରିପାରେ। ଏହାକୁ ପ୍ରମାଣିତ କରିବା ଲାଗି ବୈଜ୍ଞାନିକମାନେ ତାଇୱାନ ହାବୁ ନାମକ ଧୂସର ରଙ୍ଗର ପିଟ୍‌ ଭାଇପର ସାପ ଉପରେ ଅଧ୍ୟୟନ କରିଥିଲେ। କାରଣ ଏହି ସାପ ଓକିନାଭାରେ ସହଜରେ ମିଳିଥାଆନ୍ତି। ଅଗ୍ନିଶ କହିଛନ୍ତି ଯେ, କେଉଁ କେଉଁ ଜିନ୍‌ ବିଷ ସୃଷ୍ଟି କରିବା ପାଇଁ ଜରୁରୀ ଏବଂ କେଉଁ ଜୀବଙ୍କଠାରେ ସାଧାରଣତଃ ସେହି ଜିନ୍‌ ଦେଖିବାକୁ ମିଳିଥାଏ ତାହାକୁ ଏଥିରେ ଅଧ୍ୟୟନ କରାଯାଇଥିଲା।

image courtesy: aajtak

ଅଗ୍ନିଶ ଏବଂ ତାଙ୍କ ଟିମ୍‌କୁ ଏଭଳି ଅନେକ ଜିନ୍‌ ମିଳିଥିଲା, ଯେଉଁଗୁଡ଼ିକ ବିଷ ସୃଷ୍ଟି କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଏହି ବିଷ ଶରୀରରେ ଥିବା ବିଭିନ୍ନ କୋଷିକାରେ ସୃଷ୍ଟି ହୋଇଥାଏ। ଏହି କୋଷିକାଗୁଡ଼ିକରୁ ବାହାରୁଥିବା ରସାୟନିକ ପଦାର୍ଥଗୁଡ଼ିକୁ ଆମିନୋଟ୍‌ସ କୁହାଯାଇଥାଏ। ସେଗୁଡ଼ିକ ମଧ୍ୟରୁ ଅନେକ ଜିନ୍‌ ଏଭଳି ହୋଇଥାନ୍ତି, ଯେଉଁଗୁଡ଼ିକ ଫୋଲ୍ଡିଂ ପ୍ରୋଟିନ୍‌ ତିଆରି କରିଥାଏ। ଏହି ଫୋଲ୍ଡିଂ ପ୍ରୋଟିନ୍‌ଗୁଡ଼ିକରୁ ହିଁ ବହୁ ପରିମାଣରେ ବିଷାକ୍ତ ରସାୟନିକ ପଦାର୍ଥ ବାହାରିଥାଏ। ଏହି ରସାୟନିକ ପଦାର୍ଥ ହେଉଛି ଏକ ପ୍ରକାର ପ୍ରୋଟିନ।

ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଅନେକ ହାଉସକିପିଂ ଜିନ୍‌ ମଣିଷର ଲାଳ ଗ୍ରନ୍ଥିଗୁଡ଼ିକରେ ପ୍ରବଳ ମାତ୍ରାରେ ରହିଛି, ଯେଉଁଗୁଡ଼ିକ ବହୁ ମାତ୍ରାରେ ଷ୍ଟ୍ୟୁ ପ୍ରୋଟିନ ସୃଷ୍ଟି କରିଥାଏ। ଏହି ପ୍ରୋଟିନ ଶରୀରରେ ବିଷ ତିଆରି କରିଥାଏ।

ମଣିଷର ଲାଳ ଗ୍ରନ୍ଥିଗୁଡ଼ିକରୁ ବାହାରୁଥିବା ଛେପରେ ଏକ ସ୍ବତନ୍ତ୍ର ପ୍ରକାର ପ୍ରୋଟିନ ରହିଥାଏ, ଯାହାକୁ କେଲିକ୍ରେନ୍‌ସ କୁହାଯାଇଥାଏ। ଏହି ପ୍ରୋଟିନ ଅନ୍ୟ ପ୍ରୋଟିନଗୁଡ଼ିକର ପାଚନ କ୍ରିୟାରେ ସହାୟକ ହୋଇଥାଏ। ଏହା ସହଜରେ ମ୍ୟୁଟେଟ ହୋଇ ନ ଥାଏ। କିନ୍ତୁ ସାପ ଏବଂ ଅନ୍ୟ ବିଷାକ୍ତ ଜୀବଙ୍କଠାରେ ଏହି ପ୍ରୋଟିନ ମ୍ୟୁଟେଟ୍‌ ହୋଇଯାଇଥାଏ। ଏହା ଅତ୍ୟଧିକ ଭୟଙ୍କର ଏବଂ ଘାତକ ବିଷ ତିଆରି କରିବାର ସିଷ୍ଟମକୁ ବିକଶିତ କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବ୍ରାଏନ ଫ୍ରାଇ କୁହନ୍ତି, କେଲିକ୍ରେନ୍‌ସ ଦୁନିଆର ସମସ୍ତ ବିଷାକ୍ତ ଜୀବଙ୍କ ବିଷରେ କୌଣସି ନା କୌଣସି ରୂପରେ ରହିଥାଏ। ଏହା ଏକ ଅତି ସକ୍ରିୟ ଏନଜାଇମ୍‌। ଏହି ପ୍ରୋଟିନ୍‌ ମଣିଷ ଶରୀରରେ ସାପ ଭଳି ବିଷ ସୃଷ୍ଟି କରିବାର କ୍ଷମତା ରଖିଥାଏ। କରୋନା ମହାମାରୀ ସମ୍ପର୍କରେ ଅଗ୍ନିକ ଥଟ୍ଟାରେ କୁହନ୍ତି, ଯଦି ମଣିଷଙ୍କୁ ବଞ୍ଚିବାର ଅଛି, ତେବେ ସେମାନଙ୍କୁ ବିଷାକ୍ତ ହେବାକୁ ପଡ଼ିବ। ଆମକୁ କେଲିକ୍ରେନ୍‌ସ ଡୋଜ୍‌ ବଢ଼ାଇବାକୁ ପଡ଼ିବ।

ତେବେ ମଣିଷ ଶରୀରରେ ଏହି ପ୍ରୋଟିନ ସହଜରେ ବିକଶିତ ହେବ ନାହିଁ। କାରଣ ପ୍ରକୃତି ସେହି ଜୀବକୁ ବିଷ ଦେଇଥାଏ, ଯେଉଁମାନଙ୍କୁ ନିଜକୁ ଶିକାରରୁ ସୁରକ୍ଷିତ ରହିବାକୁ ପଡ଼ିଥାଏ। ବିଷ କେଉଁ ପ୍ରକାରର ହେବ ତାହା ଜୀବର ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ଅର୍ଥାତ ସେ କେଉଁଭଳି ଭାବେ ବିକଶିତ ହୋଇଛି। ଯେପରି କି ମରୁଭୂମିରେ ମିଳୁଥିବା ସାପଙ୍କ ବିଷ ଭିନ୍ନ ଭିନ୍ନ ହୋଇଥାଏ, କିନ୍ତୁ ସେମାନଙ୍କ ପ୍ରଜାତି ଗୋଟିଏ।

Comments are closed.